ଭୁବନେଶ୍ୱର, ୨୭/୦୯: ବିଶ୍ବ ପର୍ଯ୍ୟଟନ ଦିବସ ତଥା ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅବସରରେ ରାଜଧାନୀର ଐତିହାସିକ ଖଣ୍ଡଗିରି ପରିସରରେ ଏକ ବୃହତ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ୟୁନିସେଫ୍ଙ୍କ ନେତୃତ୍ୱରେ କାର୍ଯ୍ୟକରୁଥିବା ‘Youth4water plus’ ପକ୍ଷରୁ ଏହି ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୨୦ରୁ ଅଧିକ ଉତ୍ସାହୀ ଯୁବକଯୁବତୀ ସାମିଲ ହୋଇ ଖଣ୍ଡଗିରି ପରିସରରୁ ୧୫୦ କିଲୋଗ୍ରାମରୁ ଅଧିକ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ ଏବଂ ପରେ ସେଗୁଡ଼ିକୁ ପୃଥକୀକରଣ କରାଯାଇ ବିଏମ୍ସିକୁ ହସ୍ତାନ୍ତର କରାଯାଇଥିଲା। ଭୁବନେଶ୍ବର ମହାନଗର ନିଗମ ଓ ଏଏସ୍ଆଇ ସମେତ ଜୀବନସେବା ଫାଉଣ୍ଡେସନ୍, ସୂର୍ଯ୍ୟଲକ୍ଷ୍ମୀ ଫାଉଣ୍ଡେସନ୍, ୟୁଥ୍ ଫର୍ ସେବା, ଆଭା ରୁଟ୍ସ ଏବଂ ମହାରାଜା କଲେଜର ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଅବସରରେ WASH ରାଜ୍ୟ ପରାମର୍ଶଦାତା ଯୋଗେନ୍ଦ୍ର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ‘ସ୍ବଚ୍ଛତା ପାଠଶାଳା’ ଅନୁଷ୍ଠିତ ହୋଇଥିବାବେଳେ ‘Youth4water plus’ର ଲିଡ୍ ଶୁଭ୍ରସୀମା ମହାନ୍ତି ଏବଂ ସ୍ବେଚ୍ଛାସେବୀ ଅଭିଷେକ ମହାନ୍ତି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଅଭିଯାନରେ ୟୁନିସେଫ୍ର ଖାଦ୍ୟ ଓ ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ, WASH ପରାମର୍ଶଦାତା ସାଙ୍ଖୁଲି ବିଶ୍ୱାଳ, ଧର୍ମାନନ୍ଦ ସୁନ୍ଦରରାୟ, ରଘୁନାଥ ମଣ୍ଡଳ, ମହାରାଜା କଲେଜର ଭାଇସ୍ ପ୍ରିନ୍ସିପାଲ୍ ଅମୃତ ଅଭିଷେକ, ରବିନାରାୟଣ ମିଶ୍ର ଏବଂ ଏନ୍ଏସ୍ଏସ୍ ସହକାରୀ ସଂଯୋଜକ ନୀରଦ ବରଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଯୁବପିଢ଼ିଙ୍କୁ ସ୍ବଚ୍ଛତା ସମ୍ପର୍କରେ ଉତ୍ସାହିତ କରିଥିଲେ।