ଭୁବନେଶ୍ୱର, ୨୭/୦୯: ଭୁବନେଶ୍ୱର ରାସ୍ତା ଓ କୋଠା ବିଭାଗରେ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ ଘଟଣାରେ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି ମାମଲାରେ ପୂର୍ବରୁ ଦୁଇଜଣ କର୍ମଚାରୀ ଗିରଫ ହୋଇଥିବା ବେଳେ ଏବେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱର ଏସ୍ଇ ଅଫିସ୍ରେ କାର୍ଯ୍ୟରତ ଦୁଇଜଣ ଡାଟା ଏଣ୍ଟ୍ରି ଅପରେଟର ଏବଂ ଦୁଇଜଣ ପିଅନଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଗିରଫ ହୋଇଥିବା ଦୁଇ ଡିଇଓ ହେଲେ ରାଜୀବ ଲୋଚନ ସେନାପତି ଓ ସୌମ୍ୟ ରଞ୍ଜନ ମହାପାତ୍ର। ସେହିପରି ପିଅନ ଦୀପକ ରାଉତରାୟ ଓ ଲକ୍ଷ୍ମଣ ବିଶ୍ୱାଳଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି। ଏହା ପୂର୍ବରୁ ଏହି ମାମଲାରେ ସେକ୍ସନ୍ ଅଫିସର୍ ବନଲତା ମହାନ୍ତି ଓ ଜୁନିଅର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କୁ ଗିରଫ କରାଯାଇଥିଲା। ନୂଆକରି ଗିରଫ ହୋଇଥିବା ୪ କର୍ମଚାରୀ ବନଲତା ଓ ବିଭୁଦତ୍ତଙ୍କ ଅଧୀନରେ କାମ କରୁଥିବା ତଦନ୍ତରୁ ସାମ୍ନାକୁ ଆସିଛି।
ଭିଜିଲାନ୍ସର ପ୍ରାଥମିକ ତଦନ୍ତ ଅନୁସାରେ, ୨୦୨୨-୨୩ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ରହିଛି। ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରୋଭିଜନାଲ ଗ୍ରାଚୁଇଟି, ଅବ୍ୟବହୃତ ଛୁଟି ବାବଦରେ ଦରମା ଏବଂ ଅଫିସ୍ କଣ୍ଟିଜେନ୍ସି ଫଣ୍ଡ୍ ନାଁରେ ଜାଲିଆତି କରି ବିଲ୍ ପ୍ରସ୍ତୁତ କରାଯାଇଥିଲା। ଏହି ଜାଲ୍ ବିଲ୍ଗୁଡ଼ିକୁ ଆଇଏଫଏମଏସ ମାଧ୍ୟମରେ ପ୍ରକ୍ରିୟାକରଣ କରି ସରକାରୀ ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଯାଇଥିଲା।
ତଦନ୍ତ ବେଳେ ୭୭ଟି ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର ହୋଇଥିବା ଜଣାପଡ଼ିଛି। ଏହି ଆକାଉଣ୍ଟଗୁଡ଼ିକ ୪୮ ଜଣଙ୍କ ନାଁରେ ଥିବା ବେଳେ, ସେମାନଙ୍କ ମଧ୍ୟରେ ଅଭିଯୁକ୍ତ କର୍ମଚାରୀଙ୍କ ସମ୍ପର୍କୀୟ ଓ ପରିଚିତଙ୍କ ଆକାଉଣ୍ଟ ଥିଲା।
ଏହି ଘଟଣାରେ ମୋଟ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କାର ସରକାରୀ ଅର୍ଥ ହେରଫେର ହୋଇଥିବା ବେଳେ ତଦନ୍ତ ବେଳେ ପ୍ରାୟ ୩ କୋଟି ୯୬ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି।