ଜଗତସିଂହପୁର, ୦୭/୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)-ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମଗ୍ର ଶିକ୍ଷା ଅଭିଯାନ (ଏସଏସଏ)ର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜା।
ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଡିଜିଟାଲ ବ୍ଲାକବୋର୍ଡ ସ୍ଥାପନ ସମ୍ପର୍କିତ ବକେୟା ବିଲ୍ ଛାଡ଼ କରାଇବା ପାଇଁ ଚନ୍ଦ୍ରଜିତ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ଡିଜିଟାଲ ବ୍ଲାକବୋର୍ଡ ସ୍ଥାପନ କାମର ଯାଞ୍ଚ ପାଇଁ ଗଠିତ ପ୍ରୋକ୍ୟୁରମେଣ୍ଟ ଓ ଟେକ୍ନିକାଲ କମିଟିର ସଦସ୍ୟ ଥିଲେ ଚନ୍ଦ୍ରଜିତ। ସ୍ଥାପନ କାମ ଯାଞ୍ଚ କରି ତାଙ୍କ ପକ୍ଷରୁ ପ୍ରମାଣପତ୍ର ଦିଆଯିବା ପରେ ହିଁ ଠିକାଦାରଙ୍କ ବକେୟା ବିଲ୍ ଛାଡ଼ ହେବାର ବ୍ୟବସ୍ଥା ଥିଲା।
ଅଭିଯୋଗକାରୀ କାମ ସମ୍ପୂର୍ଣ୍ଣ ହୋଇଥିବାରୁ ଯାଞ୍ଚ କରିବା ପାଇଁ ଚନ୍ଦ୍ରଜିତଙ୍କୁ ଏକାଧିକ ଥର ଅନୁରୋଧ କରିଥିଲେ। ହେଲେ ସେ ଯାଞ୍ଚ ପାଇଁ କୌଣସି ପଦକ୍ଷେପ ନେଇନଥିବା ବେଳେ ବିଲ୍ ପାସ୍ କରାଇବାରେ ସହଯୋଗ ପାଇଁ ୩୦ ହଜାର ଟଙ୍କା ଦାବି କରିଥିଲେ।
ଏନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଗୁରୁବାର ଚନ୍ଦ୍ରଜିତ ଅଭିଯୋଗକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କଠାରୁ ସମ୍ପୂର୍ଣ୍ଣ ୩୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଲାଞ୍ଚ ଧରାପଡ଼ିବା ପରେ ଚନ୍ଦ୍ରଜିତଙ୍କ ସହ ସମ୍ପର୍କିତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ତାଙ୍କର ଆୟଠାରୁ ଅଧିକ ସମ୍ପତ୍ତି ଉପରେ ମଧ୍ୟ ତଦନ୍ତ କରାଯାଉଛି।