କଲ୍ୟାଣସିଂହପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧବାର୍ଷିକ ପରୀକ୍ଷା ସ୍ଥଗିତ

କଲ୍ୟାଣସିଂହପୁର, ୦୮/୧୦ (ନିପ୍ର): କେନ୍ଦ୍ର ସରକାର ଙ୍କ ଦ୍ୱାରା ପ୍ରଣୀତ ଖଣି ଓ ଖଣିଜ (ଏମଏମଡ଼ିଆର) ସଂଶୋଧନ ଆଇନକୁ ପ୍ରତ୍ୟାହାର ଦାବିରେ ବାମପନ୍ଥୀ, ଅଖିଳ ଭାରତୀୟ କୃଷି ଏବଂ ଗ୍ରାମୀଣ ଶ୍ରମିକ ସଂଘ ଓ କଂଗ୍ରେସ ଦଳ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିବାରୁ ତାହାର ପ୍ରଭାବରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଦାସଙ୍କ ଡାକରାରେ ରାୟଗଡା ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଆହ୍ୱାନ କ୍ରମେ ବ୍ଲକ ସଭାପତି ଚିନ୍ତାଲୀ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ବହୁ କଂଗ୍ରେସ ଦଳର କର୍ମୀ ନେତା ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଛନ୍ତି। ରୋଗୀବୁହା, ଅଗ୍ନିଶମ ଜରୁରୀକାଳୀନ ସେବାକୁ ବାଦ ଦେଇ ସ୍କୁଲ, କଲେଜ, ଛୋଟ ବଡ଼ ଦୋକାନ ବଜାର କାର୍ଯ୍ୟାଳୟ ଗୁଡିକ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧବାର୍ଷିକ ପରୀକ୍ଷା ମଧ୍ୟ ଆଜି ସ୍ଥଗିତ କରାଯାଇଛି। ଏଥିରେ ସାଂସଦ ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟା, ବିଧାୟକ ପ୍ରତିନିଧି ପ୍ରଶାନ୍ତ ନନ୍ଦ କୌଶଲ୍ୟା, ଦଳୀୟ ସରପଞ୍ଚ ଗୌତମ ବାର୍ଲି, ସିପିଆଇଏମ ଏଲ ରାମଚାନ୍ଦ୍ର ପ୍ରସ୍କା, ଚୈତନ୍ୟ ଗରଡ଼ିଆ, ରଘୁ ବାଗ୍ରୀୟା, ଶିକରପାଇର ଏସି ସେଲର ଜିଲ୍ଲା ଉପସଭାପତି (ବୁଡୁ) ଚିତ୍ତରଞ୍ଜନ ଗାଣ୍ଟା, ଲାଡୀ ଶଙ୍କର, କନ୍ଧପାଣି ପ୍ରହଲ୍ଲାଦ, ଗେମ୍ବାଲି ତିରୁମୂଳା ପ୍ରମୁଖ ଉପସ୍ଥିତ ରହିଥିଲେ। କଲ୍ୟାଣସିଂହପୁର ଓ ଶିକରପାଇ ଛକ ଠାରେ ବାଉଁଶ ବାନ୍ଧି ବନ୍ଦ ପାଳନ କରାଯାଇଛି।