ସରକାରୀ ଜମିର ସୁରକ୍ଷା ନେଇ ରାଜସ୍ୱ ପର୍ଷଦର ଦୃଢ଼ ଆଭିମୁଖ୍ୟ

ଚାଷ ପାଇଁ ୧୯୬୮ ମସିହାରେ ମୂଲ୍ୟବାନ ସରକାରୀ ଜମି ଲିଜ୍ ନେଇଥିଲେ ଓଏଏସ୍ ଅଫିସର୍ ; ପରେ ବିକ୍ରି କରି ବ୍ୟକ୍ତିଗତ ନାମରେ ରେକର୍ଡ଼ ଆବେଦନକୁ ଖାରଜ କଲେ ରାଜସ୍ୱ ପର୍ଷଦ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କରିବ ପୁଙ୍ଖାନୁପୁଙ୍ଖ ତଦନ୍ତ

ଭୁବନେଶ୍ୱର, ୦୮/୧୦: ସରକାରୀ ଜମିର ସୁରକ୍ଷା ନେଇ ଏକ ରିଭିଜନ୍ ମାମଲାର ଶୁଣାଣି କରି ସଦସ୍ୟ, ରାଜସ୍ବ ପର୍ଷଦ ଶ୍ରୀ ସତ୍ୟବ୍ରତ ସାହୁ ଏକ ଗୁରୁତ୍ବପୂର୍ଣ ରାୟ ପ୍ରଦାନ କରିଛନ୍ତି। ସରକାରୀ ଜମି ବ୍ୟକ୍ତିଗତ ନାମରେ ରେକର୍ଡ଼ ଆବେଦନକୁ ଖାରଜ କରି ରାଜସ୍ୱ ବିଭାଗକୁ ଘଟଣାର ତଦନ୍ତ ନିମନ୍ତେ ରାଜସ୍ୱ ପର୍ଷଦଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l

ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅଧୀନସ୍ଥ ଓଗାଳପଡା ମୌଜାର ସରକାରୀ ଜମିକୁ ନେଇ ଏକ ରୋଚକ ଘଟଣା ରାଜସ୍ୱ ପର୍ଷଦଙ୍କ ଦୃଷ୍ଟିଗୋଚର ହୋଇଥିଲା । ଏହି ଜମି ଭୁବନେଶ୍ବର-ଖୋର୍ଦ୍ଧା ଜାତୀୟ ରାଜପଥ ସଂଲଗ୍ନ ଅଟେ। ପ୍ରାୟ ୪.୨୪ ଏକରରୁ ଅଧିକ ଏହି ସରକାରୀ ଜମିର ବର୍ତ୍ତମାନର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ। ରାଜସ୍ବ ରେକର୍ଡରେ ଜମି ସରକାରଙ୍କ ନାମରେ ଥିବାବେଳେ, ଏହାର ମାଲିକାନା, ଲିଜ୍ ଓ ପରବର୍ତ୍ତୀ ହସ୍ତାନ୍ତରକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।

ଘଟଣା ଟି ଆରମ୍ଭ ହେଉଛି ୧୯୬୮ ମସିହାର ଏକ ଦାବିରୁ। ମାମଲାରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ, ସେତେବେଳେ ଏହି ସରକାରୀ ଜମି ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ନାମରେ OGLS Act, ୧୯୬୨ ଅନୁଯାୟୀ ଲିଜ୍‌ ମାଧ୍ୟମରେ ଦିଆଯାଇଥିଲା । ପରେ ସେହି ଜମି ବିକ୍ରି ହୋଇ ଅନ୍ୟ ବ୍ୟକ୍ତିଙ୍କ ହାତକୁ ଯାଇଥିବା ଦଲିଲରୁ ଜଣାପଡ଼ିଥିଲା । ସେ ଅଧିକାରୀ ସେତେବେଳେ ବନ୍ଦୋବସ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସରକାରୀ ଜମି ଜଣେ ଅଧିକାରୀଙ୍କ ନାମରେ ଲିଜ୍ ହୋଇ, ଲିଜ୍ ହୋଇଥିବା ଜମି ପରେ ବିକ୍ରି ହେବା ସମ୍ପର୍କରେ ରାଜସ୍ୱ ପର୍ଷଦ ପ୍ରଶ୍ନ କରିଥିଲେ l

ସୂଚନାଯୋଗ୍ୟ ଯେ, ସାଧାରଣତଃ ସରକାରୀ ଜମି ବ୍ୟକ୍ତିଗତ ଜମି ଭଳି ଇଚ୍ଛାମତେ ବଣ୍ଟନ କରାଯାଏ ନାହିଁ। ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ, ୧୯୬୨ ଏବଂ ସମ୍ପୃକ୍ତ OGLS Rules, ୧୯୬୩ ଅନୁଯାୟୀ ଏଥିପାଇଁ ରହିଛି ନିର୍ଦ୍ଦିଷ୍ଟ ପ୍ରକ୍ରିୟା, ଯୋଗ୍ୟତା, ପ୍ରାଥମିକତା ଓ କର୍ତ୍ତୃପକ୍ଷଙ୍କ ଅନୁମୋଦନ । ଜମି ସଂରକ୍ଷଣଠାରୁ ପ୍ରିମିୟମ୍ ଓ ଭଡ଼ା ଆଦାୟ ପର୍ଯ୍ୟନ୍ତ, ସବୁକିଛି ପାଇଁ ରହିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥା । କୃଷି ଉଦ୍ଦେଶ୍ୟରେ ସରକାରୀ ଜମି ବନ୍ଦୋବସ୍ତରେ ମଧ୍ୟ ଆଇନ ପ୍ରାଥମିକତା ନିର୍ଦ୍ଦିଷ୍ଟ କରିଛି । ଭୂମିହୀନ କୃଷି ଶ୍ରମିକଙ୍କ ସମବାୟ ସମିତି, ଗ୍ରାମ ବା ପଡ଼ୋଶୀ ଗ୍ରାମର ଭୂମିହୀନ କୃଷି ଶ୍ରମିକ, ନିର୍ଦ୍ଦିଷ୍ଟ ଶ୍ରେଣୀର ପୂର୍ବତନ ସୈନିକ ଏବଂ ସୀମିତ ଜମି ଥିବା ରାୟତମାନଙ୍କୁ ପ୍ରାଥମିକତା ଦେବାର ବ୍ୟବସ୍ଥା ରହିଛି ।

ତେବେ ଓଗାଳପଡାର ଏହି ଜମିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ଓଡ଼ିଶା ପ୍ରଶାସନିକ ଅଧିକାରୀ କେଉଁ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇ ଏହି ଜମି ପାଇଥିଲେ ? କେଉଁ ଯୋଗ୍ୟତା ଆଧାରରେ ତାଙ୍କ ଆବେଦନ ଗ୍ରହଣ ହୋଇଥିଲା ? ଏହି ସବୁ ପ୍ରଶ୍ନର ଉତ୍ତର ମୂଳ ଲିଜ୍ ଫାଇଲ୍‌ରେ ଥିବା ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ, ଏହି ମୂଳ ରେକର୍ଡ ବର୍ତ୍ତମାନ ଜଟଣୀ ତହସିଲ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ ବୋଲି ଜଟଣୀ ତହସିଲଦାର ଅଦାଲତରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି ରେକର୍ଡର ଅନୁପସ୍ଥିତି ଜମିର ମୂଳ ଉତ୍ସ ଓ ଲିଜ୍ ପ୍ରକ୍ରିୟାକୁ ନେଇ ସନ୍ଦେହକୁ ଆହୁରି ଘନୀଭୂତ କରିଛି । ଆଉ ଯଦି ଲିଜ୍ ପାଇଥିବା ବ୍ୟକ୍ତି ନିଜେ ରାଜସ୍ବ ପ୍ରଶାସନର ଜଣେ ଅଧିକାରୀ ଥିଲେ, ତେବେ ତାଙ୍କ ଆବେଦନ କେଉଁ ପ୍ରକ୍ରିୟାରେ ବିଚାର ହୋଇଥିଲା? ତାଙ୍କ ସରକାରୀ ପଦବୀ ଓ ଜମି ପାଇବାର ଯୋଗ୍ୟତା ମଧ୍ୟରେ କୌଣସି ସମ୍ପର୍କ ଥିଲା କି? ନା ସେ ଅନ୍ୟ ସାଧାରଣ ଆବେଦନକାରୀଙ୍କ ଭଳି ସମାନ ପ୍ରକ୍ରିୟାରେ ଜମି ପାଇଥିଲେ? ଏହା ମଧ୍ୟ ତଦନ୍ତରେ ସ୍ପଷ୍ଟ ହେବାକୁ ଥିବା ମୁଖ୍ୟ ଦିଗ।

ଜମିର ପୁରୁଣା ରେକର୍ଡ, ନକ୍ସା ଓ କ୍ଷେତ୍ର ଯାଞ୍ଚ ରିପୋର୍ଟରେ ମଧ୍ୟ ଜମିର ପରିମାଣକୁ ନେଇ ଅସଙ୍ଗତି ଥିବା ଜଣାପଡ଼ିଛି l ଲିଜ୍‌ରେ ପ୍ରକୃତରେ କେତେ ଜମି ଦିଆଯାଇଥିଲା, ପରେ କେତେ ଜମି ହାତବଦଳ ହେଲା ଏବଂ ରେକର୍ଡ ଓ ନକ୍ସାରେ ଏହି ଫରକ କାହିଁକି ରହିଛି, ଏ ନେଇ ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି l

ଏପଟେ ବିକ୍ରୟ ଦଲିଲରେ ଜମିର ମାଲିକାନା ସମ୍ପର୍କରେ ଥିବା ବର୍ଣ୍ଣନା ଓ ସରକାରୀ ଲିଜ୍‌ର ଇତିହାସ ମଧ୍ୟରେ ଅସଙ୍ଗତି ଥିବା ତଥ୍ୟ ସାମ୍ନାକୁ ଆସିଛି। ଯଦି ଜମିର ମୂଳ ଉତ୍ସ ସରକାରୀ ଲିଜ୍, ତେବେ ପରବର୍ତ୍ତୀ ବିକ୍ରୟ ଦଲିଲରେ ମାଲିକାନା କେଉଁ ଆଧାରରେ ଦର୍ଶାଯାଇଥିଲା ; ଏହି ପ୍ରଶ୍ନର ଉତ୍ତର ମଧ୍ୟ ଖୋଜାଯିବ। ସେହିପରି ଜଟଣୀ ତହସିଲଦାରଙ୍କ ରିପୋର୍ଟରେ ସେଠାକାର ସରକାରୀ ଜମିର ଅବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ଚିତ୍ର ମିଳିଛି । ରିପୋର୍ଟ ଅନୁସାରେ, ସେହି ମୌଜାର ପ୍ରାୟ ୨୦ ଏକରରୁ ଉର୍ଦ୍ଧ୍ବ ସରକାରୀ ଜମି ସରକାରଙ୍କ ନାମରେ ଥିଲେ ମଧ୍ୟ ଲୋକମାନଙ୍କ ଦ୍ବାରା ଜବରଦଖଲ ହୋଇ ରହିଛି।

ଅର୍ଥାତ୍, ଘଟଣାଟି କେବଳ ଜଣେ ବ୍ୟକ୍ତିଙ୍କ ନାମରେ ସରକାରୀ ଜମି ଲିଜ୍ ହେବାର ଅଭିଯୋଗରେ ସୀମିତ ନୁହେଁ। ଅନ୍ୟ ଲୋକମାନେ ମଧ୍ୟ ସରକାରୀ ଜମି ମାଡ଼ି ବସିଥିବା ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ଉଚ୍ଛେଦ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ରହିଥିବାର ମଧ୍ୟ ଶୁଣିବାକୁ ମିଳିଛି। ଫଳରେ ସରକାରୀ ଜମିର ସୁରକ୍ଷା, ଦଖଲମୁକ୍ତି ଓ ଏହାର ରେକର୍ଡ ସୁରକ୍ଷିତ ରଖିବା ପ୍ରସଙ୍ଗ ଆହୁରି ଗୁରୁତ୍ବ ପାଇଛି।

ଏହି ସମସ୍ତ ତଥ୍ୟକୁ ଦେଖି ରାଜସ୍ବ ପର୍ଷଦ ପରବର୍ତ୍ତୀ ସମୟରେ ଜମି କିଣିଥିବା ବ୍ୟକ୍ତିଙ୍କ ନାମରେ ଜମି ରେକର୍ଡ କରିବା ଦାବିକୁ ଗ୍ରହଣ କରିନାହାନ୍ତି । ବର୍ତ୍ତମାନର ସରକାରୀ ରେକର୍ଡକୁ ବିବାଦୀୟ ଦଲିଲ କିମ୍ବା ମ୍ୟୁଟେସନ ଆଧାରରେ ପରିବର୍ତ୍ତନ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ମୂଳ ଲିଜ୍ ଫାଇଲ୍, ରାଜସ୍ବ ରେକର୍ଡ, ନକ୍ସା, ମ୍ୟୁଟେସନ ରେକର୍ଡ, ବିକ୍ରୟ ଦଲିଲ ଓ କ୍ଷେତ୍ର ଯାଞ୍ଚ ସମ୍ପର୍କିତ ସମସ୍ତ କାଗଜପତ୍ର ସଂଗ୍ରହ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିକଟକୁ ସ୍ବତନ୍ତ୍ର ତଦନ୍ତ ନିମନ୍ତେ ପଠାଇବାକୁ ନିର୍ଦ୍ଦେଶ କରିଛନ୍ତି । ଏବେ ତଦନ୍ତରେ ଖୋଜାଯିବ—ଲିଜ୍ କେଉଁ ନିୟମରେ ଦିଆଯାଇଥିଲା, ଲିଜ୍‌ଧାରୀଙ୍କ ଯୋଗ୍ୟତା କ’ଣ ଥିଲା, ସେତେବେଳେ ସମ୍ପୃକ୍ତ ଅଧିକାରୀମାନଙ୍କ ଭୂମିକା କ’ଣ ଥିଲା, ମୂଳ ରେକର୍ଡ କାହିଁକି ମିଳୁନାହିଁ, ଜମିର ମାପ ଓ ନକ୍ସାରେ ଫରକ କାହିଁକି ରହିଛି, ଲିଜ୍ ପରେ ଜମି କିପରି ହାତବଦଳ ହେଲା ଏବଂ ଏହି ପ୍ରକ୍ରିୟାରେ ସରକାରଙ୍କ କୌଣସି କ୍ଷତି ହୋଇଛି କି ନାହିଁ।

ତେବେ ଓଗାଳପଡାର ଏହି ମାମଲା ପରିପ୍ରେକ୍ଷୀରେ ସରକାରୀ ଜମି କେଉଁ ନିୟମରେ ଜଣେ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ନାମରେ ଲିଜ୍ ହୋଇଥିଲା, ଲିଜ୍ ପାଇବାର ଯୋଗ୍ୟତା କ’ଣ ଥିଲା, ଲିଜ୍ ପରେ ଏହା ଅନ୍ୟ ବ୍ୟକ୍ତିଙ୍କ ହାତକୁ କିପରି ଗଲା, ମୂଳ ଫାଇଲ୍ କେଉଁଠି ଏବଂ ନକ୍ସା ଓ ରେକର୍ଡରେ ଫରକ କାହିଁକି ; ବିଭାଗୀୟ ତଦନ୍ତ ପରେ ଏସବୁ ପ୍ରଶ୍ନର ଉତ୍ତର ମିଳିବ।

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସରକାରୀ ଜମିର ସୁରକ୍ଷା, ଜବରଦଖଲ ମୁକ୍ତ ଏବଂ ପୁନରୁଦ୍ଧାର କରିବା ଦିଗରେ ସର୍ବଦା ଗୁରୁତ୍ଵ ଦେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ପର୍ଷଦଙ୍କ ଏହି ରାୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥିବା ବେଳେ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ସଜାଗ ଏବଂ ସଚେତନ ହୋଇ ସଚ୍ଚୋଟତାର ସହ ଦାୟିତ୍ଵ ସମ୍ପାଦନ କରିବା ନିମନ୍ତେ ଏହି ନିଷ୍ପତ୍ତି ପ୍ରାସଙ୍ଗିକ ହୋଇଛି ।