ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଏସ୍‌ପିସିବିର ୧୩୫ତମ ବୋର୍ଡ ବୈଠକ

ପରିବେଶ ସୁରକ୍ଷାରେ ପ୍ରଯୁକ୍ତି ଓ ଗବେଷଣାର ନୂଆ ଦିଗ: ଓଏସ୍‌ପିସିବିକୁ ଅଧିକ ସକ୍ଷମ କରିବା ଉପରେ ଗୁରୁତ୍ୱ

ବୈଜ୍ଞାନିକ ଗବେଷଣା ସହ ପରିବେଶ ସଚେତନତାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ

ଭୁବନେଶ୍ୱର, ୦୮/୧୦: ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରଯୁକ୍ତିନିର୍ଭର ଓ ଜନକୈନ୍ଦ୍ରିକ କରିବା ଦିଗରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଏସ୍‌ପିସିବିର ୧୩୫ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଦସ୍ୟ ସଚିବ ଡ. ମନୋଜ ଭି. ନାୟର, ଆଇଏଫ୍‌ଏସ୍‌ଙ୍କ ସମେତ ବୋର୍ଡର ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ବୈଠକରେ ଓଏସ୍‌ପିସିବିର ପ୍ରତିଷ୍ଠାନଗତ ଓ ବୈଷୟିକ କ୍ଷମତା ବୃଦ୍ଧି, ପରୀକ୍ଷାଗାର ବ୍ୟବସ୍ଥାର ଆଧୁନିକୀକରଣ, ଗବେଷଣା ପ୍ରକଳ୍ପ ଏବଂ ଉପକୂଳ ପରିବେଶ ନିରୀକ୍ଷଣକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା । ପାରାଦୀପସ୍ଥିତ ଉପକୂଳ ପରିବେଶ ନିରୀକ୍ଷଣର ନୋଡାଲ୍‌ ସେଣ୍ଟର( ସିଏମ୍‌ସିଇ)କୁ ଉପକୂଳୀୟ ପରିବେଶ ନିରୀକ୍ଷଣ ଓ ବିଶ୍ଳେଷଣ ପାଇଁ ନୋଡାଲ୍‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଭାବେ ବିକଶିତ କରିବା ପ୍ରସ୍ତାବ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ମୁଖ୍ୟ ଶାସନ ସଚିବ କହିଥିଲେ ଯେ, “ପାରାଦୀପର ଏହି କେନ୍ଦ୍ର କେବଳ ଏକ ପରୀକ୍ଷାଗାର ନହୋଇ ଉପକୂଳ ପରିବେଶ ସୁରକ୍ଷା ପାଇଁ ବିଜ୍ଞାନ, ତଥ୍ୟ ଓ ପ୍ରଯୁକ୍ତିର ସମନ୍ୱିତ କେନ୍ଦ୍ର ଭାବେ ବିକଶିତ ହେବା ଆବଶ୍ୟକ।”

ରାଜ୍ୟର ପରିବେଶ ପର୍ଯ୍ୟବେକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କଟକ, ଝାରସୁଗୁଡ଼ା, କୋରାପୁଟ, କଳିଙ୍ଗନଗର, ଭୁବନେଶ୍ୱର, କେନ୍ଦୁଝର ଓ ସମ୍ବଲପୁରଠାରେ ନିଜସ୍ୱ ଆଞ୍ଚଳିକ କାର୍ଯ୍ୟାଳୟ ଭବନ ନିର୍ମାଣ ଏବଂ ପଟିଆସ୍ଥିତ ପରୀକ୍ଷାଗାରର ଆଧୁନିକୀକରଣ ସମ୍ପର୍କିତ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଶ୍ରୀମତୀ ଗର୍ଗ ନୂତନ ଭିତ୍ତିଭୂମିରେ ସବୁଜ ଭବନ (Green Building), ବର୍ଷାଜଳ ସଂରକ୍ଷଣ, ସୌରଶକ୍ତିର ବ୍ୟବହାର ଏବଂ ଜିଆଖତ ପ୍ରସ୍ତୁତି (Vermicomposting) ବ୍ୟବସ୍ଥାକୁ ପ୍ରାଥମିକତା ଦେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ବ୍ୟାଖ୍ୟା ଓ ସୂଚନା କେନ୍ଦ୍ର (Interpretation Centre) ସ୍ଥାପନ ଓ କାର୍ଯ୍ୟକ୍ଷମ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

ପରିବେଶ ନିରୀକ୍ଷଣକୁ ଅଧିକ ତ୍ୱରିତ ଓ ତଥ୍ୟଭିତ୍ତିକ କରିବା ପାଇଁ ନୟାପଲ୍ଲୀସ୍ଥିତ ଓଏସ୍‌ପିସିବି ମୁଖ୍ୟାଳୟରେ କମାଣ୍ଡ ଓ କଣ୍ଟ୍ରୋଲ୍‌ ସେଣ୍ଟର ପ୍ରତିଷ୍ଠା ଉପରେ ଆଲୋଚନା ହୋଇଥିଲା । ପରୀକ୍ଷାଗାର ତଥ୍ୟ, ଜଳ ନମୁନା ପରୀକ୍ଷା ଓ କ୍ଷେତ୍ର ନିରୀକ୍ଷଣର ତଥ୍ୟକୁ ଏକୀକୃତ କରି ତ୍ୱରିତ ବିଶ୍ଳେଷଣ ଓ ନିଷ୍ପତ୍ତି ଗ୍ରହଣରେ ଏହା ସହାୟକ ହେବ । ସେହିପରି ରୋବୋଟିକ୍‌ ପ୍ରଯୁକ୍ତି ମାଧ୍ୟମରେ ଜଳ ନମୁନା ସଂଗ୍ରହ ଓ ନିରୀକ୍ଷଣ ଏବଂ ଡ୍ରୋନ୍‌ ମାଧ୍ୟମରେ କ୍ଷେତ୍ର ନିରୀକ୍ଷଣକୁ ଅଧିକ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ସେ କହିଥିଲେ, “ଓଏସ୍‌ପିସିବି ଆମ ପରିବେଶ ପ୍ରତି ଥିବା ଯତ୍ନ ଓ ଦାୟିତ୍ୱର ଏକ ପ୍ରତୀକ ଭାବେ ଠିଆ ହେବା ଉଚିତ।”

ଫ୍ଲାଇ ଆଶ୍‌ ପରିଚାଳନାକୁ ଅଧିକ ବୈଜ୍ଞାନିକ ଓ ଫଳପ୍ରଦ କରିବା ପାଇଁ ଓଡ଼ିଶା ଫ୍ଲାଇ ଆଶ୍‌ ଆଟଲାସ୍‌ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହା ମାଧ୍ୟମରେ ଫ୍ଲାଇ ଆଶ୍‌ର ଉତ୍ପାଦନ, ଉପଲବ୍ଧତା, ଚାହିଦା ଓ ଉତ୍ପାଦକରୁ ବ୍ୟବହାରକାରୀ ପର୍ଯ୍ୟନ୍ତ ପ୍ରବାହକୁ ଚିହ୍ନଟ କରାଯିବ। ଏଥିସହ ଫ୍ଲାଇ ଆଶ୍‌ ବାୟୋ-ଷ୍ଟାବିଲାଇଜେସନ୍‌ ଓ ବାୟୋ-ଟ୍ରାନ୍ସଫର୍ମେସନ୍‌ ଉପରେ ପ୍ରତିଷ୍ଠିତ ଗବେଷଣା ଓ ଶିକ୍ଷାନୁଷ୍ଠାନ ସହଯୋଗରେ ଗବେଷଣାକୁ ଆଗେଇ ନିଆଯିବ।

ଓଏସ୍‌ପିସିବିର ବାର୍ଷିକ ରିପୋର୍ଟକୁ ଅଧିକ ଜନକୈନ୍ଦ୍ରିକ, ସରଳ ଓ ସହଜବୋଧ୍ୟ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବହୁ ତଥ୍ୟ ସମ୍ବଳିତ ବାର୍ଷିକ ରିପୋର୍ଟକୁ ସାଧାରଣ ନାଗରିକଙ୍କ ପାଇଁ ସହଜ କରିବା ନିମନ୍ତେ ଚାର୍ଟ, ଚିତ୍ର, ସରଳ ତଥ୍ୟ ଓ ଡିଜିଟାଲ୍‌ ଉପସ୍ଥାପନା ମାଧ୍ୟମରେ ଏହାକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ପରିବେଶ ସୁରକ୍ଷାର ବାର୍ତ୍ତାକୁ ଯୁବପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସ୍କୁଲ୍‌ ଓ କଲେଜ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ କମିକ୍‌ ଓ ଇ-କମିକ୍‌ ପୁସ୍ତକ ବଣ୍ଟନ ଭଳି ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ଏକ ବିଜ୍ଞାନଭିତ୍ତିକ, ପ୍ରଯୁକ୍ତିସମ୍ପନ୍ନ, ସ୍ୱଚ୍ଛ ଓ ନାଗରିକକୈନ୍ଦ୍ରିକ ପରିବେଶ ଶାସନ ବ୍ୟବସ୍ଥା ଗଠନ ପାଇଁ ସମସ୍ତ ପଦକ୍ଷେପକୁ ସମନ୍ୱିତ ଭାବେ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ ।