ସର୍କିଟ ହାଉସରୁ ଏବିଭିପି ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ବଲାଙ୍ଗୀର ଛାତ୍ର ବିଜେଡିର ବିରୋଧ
ବଲାଙ୍ଗୀର ଛାତ୍ର ବିଜେଡି ନେତାଙ୍କୁ ଗିରଫ ବେଆଇନ
ସରକାରୀ କଳ, ପ୍ରଶାସନ ଓ ପୋଲିସର ଅପବ୍ୟବହାର କରୁଛି ବିଜେପି
ଭୁବନେଶ୍ୱର, ୧୪/୧୦: ସାରା ରାଜ୍ୟରେ ଏବିଭିପି ପୋଲିସ ଓ ସରକାରୀ କଳକୁ ହାତବାରିସି ସଜାଇ ଛାତ୍ର ସଂସଦ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରୁଛି ବୋଲି ବିଜେଡି ସମାଲୋଚନା କରିଛି ।
ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ ନନ୍ଦଙ୍କୁ ମିଥ୍ୟା ମକଦ୍ଦମାରେ ଗିରଫ କରାଯାଇଛି । ଯାହାକୁ ବିଜେଡି ଦୃଢ ନିନ୍ଦା କରୁଛି । ଏବିଭିପି ପିଲାମାନେ ଗତ କିଛି ଦିନ ଧରି ବଲାଙ୍ଗାରୀ ସର୍କିଟ ହାଉସକୁ ଛାତ୍ର ସଂସଦ ନିର୍ବାଚନ ପାଇଁ ବେଆଇନ ଭାବେ ବ୍ୟବହାର କରୁଛନ୍ତି । ବିଜୁ ଛାତ୍ର ଜନତା ଦଳ ଏହାର ପ୍ରତିବାଦ କରିବାରୁ ମିଥ୍ୟା ମକଦ୍ଦମାରେ ଫସାଇ ଗିରଫ କରାଯାଇଛି । ଯାହା ଗଣତନ୍ତ୍ରର ପରିପନ୍ଥୀ । ପୋଲିସ ପ୍ରଶାସନ ଏତେ ତଳକୁ ଖସିଯିବା ପରିତାପର ବିଷୟ ।
ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ମିଥ୍ୟା ମକଦ୍ଦମାରେ ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତାକୁ ଗିରଫର ଜବାବ ବଲାଙ୍ଗୀର ଛାତ୍ର ସମାଜ, ଛାତ୍ର ସଂସଦ ନିର୍ବାଚନରେ ଭୋଟ ଦେଇ ଉତ୍ତର ଦେବେ । ଦିନକୁ ଦିନ ତଳକୁ ତଳ ଖସି ଯାଉଥିବା ବିଜେପି ସରକାର ନିଜର ଛାତ୍ର ସଂଗଠନ ଏବିଭିପି, ସରକାରୀ କଳ, ପ୍ରଶାସନ, ପୋଲିସକୁ ବ୍ୟବହାର କରି ଗଣତନ୍ତ୍ରକୁ ରୁଗ୍ଣ କରି ଛାତ୍ର ସଂସଦ ନିର୍ବାଚନ ଜିତିବାକୁ ଅପଚେଷ୍ଟା କରୁଛି । ଏହାର ପ୍ରତିଉତ୍ତର ସମଗ୍ର ରାଜ୍ୟର ଛାତ୍ରସମାଜ ନିଜର ଭୋଟ ମାଧ୍ୟମରେ ଦେବେ ବୋଲି ବିଜେଡି ଦୃଢୋକ୍ତି କରିଛି ।