ସୁନ୍ଦରଗଡ଼ର ୫ଟି ପ୍ରକଳ୍ପ ପାଇଁ ଏମ୍ସିଏଲ୍ ଦେବ ୨୨.୬୪ କୋଟି ଟଙ୍କା
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହ ଏମ୍ଓୟୁ ସ୍ୱାକ୍ଷର
ସମ୍ବଲପୁର, ୧୪/୧୦: ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୨୨.୬୪ କୋଟି ଟଙ୍କା ବ୍ୟୟ କରିବ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)। କମ୍ପାନୀର ସିଏସ୍ଆର୍ ପାଣ୍ଠିରୁ ୫ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହ ଏମ୍ସିଏଲ୍ ପକ୍ଷରୁ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଛି।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କଟା ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୪.୩୨ କୋଟି ଟଙ୍କା, ବ୍ରାହ୍ମଣୀ ବନ୍ଧ ପାଇଁ ୩.୯୮ କୋଟି ଟଙ୍କା ଏବଂ ଅବଦୁଲ ହୁସେନ ବନ୍ଧ ପାଇଁ ୨.୬୯ କୋଟି ଟଙ୍କା ବ୍ୟୟ କରାଯିବ। ସେହିପରି ହେମଗିରି ବ୍ଲକ୍ର ଖଣି ପ୍ରଭାବିତ ଅଞ୍ଚଳରେ ମଧୁର ଜଳ ମତ୍ସ୍ୟଚାଷର ବିକାଶ ପାଇଁ ୩.୮୧ କୋଟି ଟଙ୍କା ଏବଂ ତଳସରା ବିଧାନସଭା କ୍ଷେତ୍ରରେ ଜଳାଶୟଗୁଡ଼ିକର ନବୀକରଣ, ଉନ୍ନତୀକରଣ ଓ ନିର୍ମାଣ ପାଇଁ ୭.୮୪ କୋଟି ଟଙ୍କା ଖର୍ଚ୍ଚ ହେବ।
କେନ୍ଦ୍ର ସରକାରଙ୍କ ‘ଅମୃତ ସରୋବର’ ଅଭିଯାନ ସହ ଏହି ଜଳାଶୟ ପୁନରୁଦ୍ଧାର ପ୍ରକଳ୍ପଗୁଡ଼ିକୁ ସଂଯୋଗ କରାଯାଇଛି। ଏହାଦ୍ୱାରା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି ଏବଂ ପରିବେଶର ଉନ୍ନତି ହୋଇପାରିବ। ଏଥିସହ ଜଳାଶୟଗୁଡ଼ିକୁ ମନୋରଞ୍ଜନ ଓ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରି ସ୍ଥାନୀୟ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି କରିବା ଲକ୍ଷ୍ୟ ରହିଛି।
ଏହି କାର୍ଯ୍ୟ ଅନ୍ତର୍ଗତ ଜଳାଶୟର ହୁଡ଼ା ସୁରକ୍ଷା, ଚଲାପଥ ନିର୍ମାଣ, ଗାଧୋଇବା ପାଇଁ ପାହାଚ, ପଥର ପ୍ୟାକିଂ, ରେଲିଂ, ବସିବା ପାଇଁ ସ୍ଥାନ, ବିଦ୍ୟୁତ୍ ବ୍ୟବସ୍ଥା ଏବଂ ବୃକ୍ଷରୋପଣ ଓ ଉଦ୍ୟାନର ବିକାଶ କରାଯିବ।
ଅନ୍ୟପକ୍ଷରେ, ହେମଗିରି ବ୍ଲକ୍ରେ ମତ୍ସ୍ୟଚାଷ ପ୍ରକଳ୍ପ ମାଧ୍ୟମରେ ୭୦୦ରୁ ଅଧିକ କ୍ଷୁଦ୍ର ଚାଷୀ ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ)ର ସଦସ୍ୟ ଉପକୃତ ହେବେ। ଏଥିପାଇଁ ୫୦ଟି ନୂଆ ପୋଖରୀ ନିର୍ମାଣ ସହ ୨୦ଟି ପୁରୁଣା ପୋଖରୀର ପୁନରୁଦ୍ଧାର କରାଯିବ।
ଏହାସହ ମହିଳାଙ୍କ ନେତୃତ୍ୱରେ ମାଛ ଯାଆଁଳ ଉତ୍ପାଦନ ୟୁନିଟ୍ ଏବଂ କଷ୍ଟମ୍ ହାୟାରିଂ ସେଣ୍ଟର ସ୍ଥାପନ କରାଯିବ। ମତ୍ସ୍ୟଚାଷ ସମ୍ପର୍କିତ ତାଲିମ ଓ ଉଦ୍ୟୋଗ ବିକାଶ ପାଇଁ ଏକ ଆକ୍ୱା ବିଜନେସ୍ ସ୍କୁଲ୍ ଏବଂ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ (ଏଫ୍ଏଫ୍ପିଓ) ଗଠନର ମଧ୍ୟ ଯୋଜନା ରହିଛି।
ଏହି ୫ଟି ପ୍ରକଳ୍ପ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାରେ ଜଳ ସମ୍ପଦର ସୁପରିଚାଳନା, ମତ୍ସ୍ୟଚାଷର ବିକାଶ, ସ୍ଥାୟୀ ଜୀବିକା ସୃଷ୍ଟି ଏବଂ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବାକୁ ଏମ୍ସିଏଲ୍ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ସହ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟତା ମିଳିବ।