ଇ-ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ ଦେଇ ସ୍ୱଚ୍ଛତା ଅଭିଯାନ ଜାରି ରଖିଛି ପୂର୍ବତଟ ରେଳପଥ

ସ୍ୱଚ୍ଛତା ଅଭିଯାନ ୬.୦ ଅଧୀନରେ ଜନସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର, ୧୬/୧୦: ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ପକ୍ଷ ୨୦୨୬ ଏବଂ ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରାଯାଉଛି। ଏହି ଅଭିଯାନରେ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ (ଇ-ବର୍ଜ୍ୟ)ର ଉପଯୁକ୍ତ ନିଷ୍କାସନ, ଦୀର୍ଘଦିନ ଧରି ଜମା ହୋଇ ରହିଥିବା ବର୍ଜ୍ୟବସ୍ତୁର ଅପସାରଣ ଏବଂ ରେଳ ପରିସରକୁ ସ୍ୱଚ୍ଛ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ପରିବେଶ ସୁରକ୍ଷା ଓ ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଅଭିଯାନ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥର ସମସ୍ତ କ୍ଷେତ୍ରରେ ଜାରି ରହିବ।

ସ୍ୱଚ୍ଛତା ଅଭିଯାନ ଅଧୀନରେ କାର୍ଯ୍ୟାଳୟ ପରିସରରୁ ଇ-ବର୍ଜ୍ୟ ଏବଂ ପୁରୁଣା ଫାଇଲ୍‌ଗୁଡ଼ିକର ଉପଯୁକ୍ତ ନିଷ୍କାସନ ଓ ଅପସାରଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଅଦରକାରୀ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଅବ୍ୟବହୃତ ପୁରୁଣା ରେକର୍ଡଗୁଡ଼ିକର ସୁଚାରୁ ପରିଚାଳନା ସହ କାର୍ଯ୍ୟାଳୟ ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଉନ୍ନତ ବର୍ଜ୍ୟ ପରିଚାଳନା ପଦ୍ଧତିକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ। ଏଥିସହ କାର୍ଯ୍ୟାଳୟ ପରିସରରେ ଯାନ୍ତ୍ରିକ ପଦ୍ଧତିରେ ସଫେଇ ଏବଂ ରେଳଧାରଣା ପାର୍ଶ୍ୱରେ ଜମା ହୋଇଥିବା ବର୍ଜ୍ୟବସ୍ତୁର ଅପସାରଣ କାର୍ଯ୍ୟ ମଧ୍ୟ କରାଯାଉଛି।

ନୂତନ ପିଢ଼ି ମଧ୍ୟରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପିଲାମାନଙ୍କ ପାଇଁ କୁଇଜ୍, ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି।

ଅନ୍ୟପକ୍ଷରେ, ଚାଲୁ ରହିଥିବା ସ୍ୱଚ୍ଛତା ଅଭିଯାନ ୬.୦ ଅଧୀନରେ ରାୟଗଡ଼ା, ବଲାଙ୍ଗିର, ବରପାଲି ଓ ଟିଟିଲାଗଡ଼ ଆଦି ରେଳ ଷ୍ଟେସନରେ ଜନସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯାତ୍ରୀ ଓ ସାଧାରଣ ଜନତା ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯାତ୍ରୀମାନେ ରେଳ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ଷ୍ଟେସନରେ ଉପଲବ୍ଧ ସୁବିଧା, ଟ୍ରେନ୍‌ର ସ୍ୱଚ୍ଛତା ଏବଂ ଯାତ୍ରୀ ସେବା ସମ୍ପର୍କରେ ନିଜର ଅନୁଭୂତି, ମତାମତ ଓ ପରାମର୍ଶ ଦେବାର ସୁଯୋଗ ପାଇଥିଲେ। ଯାତ୍ରୀମାନଙ୍କଠାରୁ ମିଳିଥିବା ମତାମତ ଆଧାରରେ ଉନ୍ନତି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ସହ ଯାତ୍ରୀ ସନ୍ତୋଷ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ।

ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ପୂର୍ବତଟ ରେଳପଥ ବର୍ଜ୍ୟବସ୍ତୁର ଦାୟିତ୍ୱପୂର୍ଣ୍ଣ ପରିଚାଳନା, ରେଳ ପରିସରରେ ସ୍ୱଚ୍ଛତାର ଉନ୍ନତି ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଦିଗରେ ପ୍ରୟାସ ଜାରି ରଖିଛି।