ସମ୍ବଲପୁର ମହୋତ୍ସବ୍-୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବର୍ଷର ସବୁଠାରୁ ବଡ଼ ସାଂସ୍କୃତିକ ମହାକୁମ୍ଭ ହେବ ‘ସମ୍ବଲପୁର ମହୋତ୍ସବ-୨୦୨୬’
ସମ୍ବଲପୁର, ୧୬/୧୦: ପ୍ରତି ବର୍ଷ ଭଳି ସମ୍ବଲପୁର ମାଟିରେ ଆସୁଛି ଆଉ ଏକ ବିରାଟ ସାଂସ୍କୃତିକ ପର୍ବ ‘ସମ୍ବଲ୍ପୁର୍ ମହୋତ୍ସବ୍’। ଆସନ୍ତା ନଭେମ୍ବର ମାସରେ ସମ୍ବଲପୁରର ଅଇଁଠାପାଲି ସ୍ଥିତ ବିର୍ସା ମୁଣ୍ଡା ମଇଦାନ (P.H.D. Ground) ଠାରେ ଜାତୀୟ ସ୍ତରର ଆଦି-ଲୋକ-ଜନଜାତି ଓ ସମସାମୟିକ ସାଂସ୍କୃତିକ ମହୋତ୍ସବ ‘ସମ୍ବଲପୁର ମହୋତ୍ସବ-୨୦୨୬’ ଆୟୋଜିତ ହେବାକୁ ଯାଉଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ମହୋତ୍ସବ ଚଳିତ ବର୍ଷ ନଭେମ୍ବର ୧୦ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ବିରାଟ୍ ସାଂସ୍କୃତିକ ଯାତରା। ଏହି ରାଜ୍ୟସ୍ତରୀୟ ତଥା ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିବାକୁ ଥିବା କଳାକାରମାନେ ନିଜର ପାରମ୍ପରିକ ଲୋକନୃତ୍ୟ, ସଙ୍ଗୀତ ଏବଂ କଳା ପ୍ରଦର୍ଶନ କରିବେ।
ଏହି ମହୋତ୍ସବ ପଶ୍ଚିମାଂଚଲର ସମ୍ବଲ୍ପୁରୀ ସାଂସ୍କୃତିକ ପରମ୍ପରା, ଲୋକକଳା ଏବଂ ଆଦି, ଜନଜାତି ଓ ଆଧୁନିକ ପ୍ରଦର୍ଶନ କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଛନ୍ତି। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆଜି ସମ୍ବଲ୍ପୁର୍ ପ୍ରେସ୍ କ୍ଲବ୍ ଠାରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକରେ ସର୍ବଶ୍ରୀ ଦୁର୍ଗା ପ୍ରସାଦ ନାଥ,ରତ୍ନଭୂଷଣ ପୃଷେଠ୍,ଡାକ୍ତର ବିନୋଦ ନାୟକ,ଗୁରୁ ଦୁର୍ଗା ପ୍ରସାଦ ଦାଶ,ଡ. ସପନ ମିଶ୍ର,ରାମାଶିଷ ତ୍ରିପାଠୀ,ସଦାନନ୍ଦ ପଣ୍ଡା,କାନ୍ହୁ ଜେନା,କ୍ଷୀରୋଦ ମହାରଣା,ଶିଶିର କର,ଅନୁଜ ଜେନା,ପ୍ରସନ୍ନ ଆଚାର୍ଯ୍ୟ,ଡ. ପ୍ରଦୀପ୍ ସେଠ୍,ସ୍ମିତାରାଣୀ ତ୍ରୀପାଠି,ରାକ୍ଷୀ ମୁଣ୍ଡା,ସଂନ୍ତୋଷ ପଟ୍ଟନାୟକ,ପ୍ରଭଂଜନ ପୂରୋହିତ,ରୀମା ବେହେରା,କାଜଲ୍ ନାୟକ,ନୀଲିମା ମୁଣ୍ଡା,ଲକ୍ଷ୍ମୀ ଓରାମ୍,ସୁରେଶ ପଟ୍ଟନାୟକ,ପ୍ରମୂଖ ଯୋଗ ଦେଇ ମହୋତ୍ସବର ଆୟୋଜନର ବ୍ୟୟ ଅଟକଳ ଓ ଆନୁସଙ୍ଗୀକ ଅନ୍ୟାନ୍ୟ ବିଭାଗ ସମ୍ବନ୍ଧରେ ବିଶଦ ଆଲୋଚନା କରିଛନ୍ତି।
ଏଥର ମହୋତ୍ସବର ଦିନବେଳା କର୍ମଶାଳା,ଆଲୋଚନା,ଝୁଟୀ-ଅଲ୍ପିନା,ଅଂକନ ଓ ଚିତ୍ରଣ,ଆଦି ପ୍ରତିଯୋଗିତା ଓ ସଂଧ୍ୟା କାଳରେ ଗୀତ-ବାଦ୍ୟ-ନୃତ୍ୟର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ପଶ୍ଚିମାଂଚଳର ଲୁପ୍ତପ୍ରାୟ ଲୋକକଳା ଗୀତ-ବାଦ୍ୟ-ନୃତ୍ୟର ପ୍ରଦର୍ଶନକୁ ପ୍ରାଧାନ୍ୟ ଦିଆ ଯିବ। ମଂଚରେ ପରିବେଷିତ ହେଉଥିବା ସମ୍ବଲପୁରୀ ନୃତ୍ୟରେ ପ୍ରୟୋଗାତ୍ମକ ଦିଗକୁ ଅଗ୍ରାଧିକାର ଦିଆଯିବ। ପଶ୍ଚିମାଂଚଳର ସମସ୍ତ ଜିଲ୍ଲାର ମୌଳିକ ପ୍ରଦର୍ଶନ କଳାକୁ ଏହି ମହୋତ୍ସବରେ ସ୍ଥାନିତ କରାଯିବ। ସବୁ ଜିଲ୍ଲାର ଉଦ୍ଘୋଷକ ଓ ଉଦ୍ଘୋଷିକାଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ମଂଚ ଉପସ୍ଥାପନା ପାଇଁ ସସମ୍ମାନେ ଆମନ୍ତ୍ରଣ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଅନେକ ପ୍ରତିଭାଙ୍କୁ ମଂଚରେ ସମ୍ମାନିତ କରିବା ସହ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ‘ଲୋକଶ୍ରୀ’ ସମ୍ମାନରେ ଭୂଷିତ କରାଯିବ। ଏ ବର୍ଷର ସର୍ବଶ୍ରେଷ୍ଠ ପୁରୁଷ କଳାକାର ଙ୍କୁ ‘ଉର୍କୁଲୁ ଭୋରାସାଗର ଶ୍ରେଷ୍ଠ ପୁରୁଷ କଳାକାର’ ସମ୍ମାନ ଓ ସର୍ବଶ୍ରେଷ୍ଠ ନାରୀ କଳାକାରଙ୍କୁ ‘ଗୁରୁବାରୀ ମିର୍ଦ୍ଧା ଶ୍ରେଷ୍ଠ ନାରୀ କଳାକାର’ ସମ୍ମାନ ପ୍ରଦାନ କରାଯିବ। ଏହି ସମସ୍ତ ଚୟନ ପାଇଁ ପଶ୍ଚିମାଂଚଳର ପାଂଚ ଜଣ ପଦ୍ମଶ୍ରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ କମିଟୀ ଗଠନ କରାଯାଇଛି। ଏଥିରେ ସର୍ବଶ୍ରୀ ମିତ୍ରଭାନୁ ଗୌନ୍ତିଆ,ନରସିଂହ ପ୍ରସାଦ ଗୁରୁ,ହଳଧର ନାଗ୍,ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲ ରହିଛନ୍ତି। ଏ ବର୍ଷ ଭାରତ ଓ ବିଶ୍ବର ବିଭିନ୍ନ ସ୍ଥାନରେ ‘ନୂଆଁଖାଇ ଜୁହାର୍ ଭେଟ୍’ ର ଆୟୋଜନ କର୍ତ୍ତାଙ୍କୁ ବିଶେଷ ଭାବରେ ସମ୍ବର୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହି ଭଳି ଓଡ଼ିଶା,ଛତିଶଗଡ଼,ଝାରଖଣ୍ଡ,ବିହାର,ମଧ୍ୟ ପ୍ରଦେଶ ଓ ଅନ୍ୟାନ୍ୟ ସ୍ଥାନରେ ରହିଥିବା ପ୍ରତିଷ୍ଠିତ ସମଲେଶ୍ବରୀ ମନ୍ଦିର ଗୁଡ଼ିକର ପୂଜକ ଓ କର୍ମକର୍ତ୍ତାମାନଙ୍କୁ ମଧ୍ୟ ‘ସମଲେଇ ସମ୍ମାନ’ ପ୍ରଦାନ କରାଯିବ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସମ୍ବଲପୁରର ଶିକ୍ଷାନୁଷ୍ଠାନର ନୃତ୍ୟ ପ୍ରଦର୍ଶନକୁ ସ୍ଥାନିତ କରାଯିବ।
ପ୍ରସିଦ୍ଧ ରଙ୍ଗବତୀ ସମ୍ବଲପୁରୀ ଗୀତର ୫୦ ବର୍ଷ ପୂର୍ତ୍ତି ସୁବର୍ଣ ଜୟନ୍ତୀ ଉତ୍ସବକୁ ସ୍ବତନ୍ତ୍ର ଭାବରେ ପାଳନ କରିବାକୁ ବିଶେଷ ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ଭାଷାରେ ଅନୂଦିତ ହୋଇଥିବା ଏହି ଗୀତର ସଂସ୍କରଣ ସହ ଏହାର ଗୀତିକାର,ସଂଗୀତକାର,ଗାୟକ,ଗାୟିକାଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଦିଆଯିବ। ଏଥି ପାଇଁ ଏକ ସ୍ବତନ୍ତ୍ର କମିଟୀ ଗଟନ କରାଯାଇଛି ଓ ଏଥି ପାଇଁ ସରକାରଙ୍କୁ ତାଙ୍କର ଭୂମିକା ପାଇଁ ମଧ୍ୟ ସୂଚୀତ କରେଇ ଦିଆଯାଇଛି।
ସମ୍ବଲପୁର ମହୋତ୍ସବ-୨୦୨୬ ର ପରବର୍ତ୍ତୀ ପରିବର୍ଦ୍ଧିତ ବୈଠକ ଦଶହରୀ ଛୁଟି ପରେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ସମସ୍ତ ଆଗ୍ରହୀ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ‘ଗୁଗୁଲ୍ ଫର୍ମ’ ଜରିଆରେ ବିଭିନ୍ନ ଦାୟିତ୍ବ ନେବା ଉଦ୍ଧେଶ୍ୟରେ ନିଜ ନିଜର ଇଚ୍ଛା ଜାହିର୍ କରିବାକୁ ନିବେଦନ କରାଯାଇଛି।