ଚେନ୍ନାଇ, ୨୬/୧୦: ୧୦୦ କୋଟି ଟଙ୍କାର ଲାଞ୍ଚ ଆଦାୟ କରିବା ମାମଲାରେ ଗିରଫ ହୋଇଛନ୍ତି ତାମିଲନାଡୁର ପୂର୍ବତନ ଶିକ୍ଷାମନ୍ତ୍ରୀ ଅନ୍ବିଲ୍ ମହେଶ ପୋୟ୍ୟାମୋଝି। ତାମିଲନାଡୁରେ ଘରୋଇ ସ୍କୁଲ୍ଗୁଡ଼ିକୁ ସ୍ଥାୟୀ ସ୍ୱୀକୃତି ଓ ଆବଶ୍ୟକୀୟ ସରକାରୀ ଅନୁମତି ପ୍ରଦାନ କରିବା ବଦଳରେ ପ୍ରାୟ ୧୦୦ କୋଟି ଟଙ୍କାର ଅର୍ଥ ଆଦାୟ ମାମଲାରେ ଡିଏମ୍କେ ନେତା ତଥା ତାମିଲନାଡୁର ପୂର୍ବତନ ଶିକ୍ଷାମନ୍ତ୍ରୀ ଅନ୍ବିଲ୍ ମହେଶ ପୋୟ୍ୟାମୋଝିଙ୍କୁ ସୋମବାର ଗିରଫ କରାଯାଇଛି। ମାଡ୍ରାସ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବାର କିଛି ସମୟ ପରେ ତାଙ୍କୁ ଗିରଫ କରାଯାଇଛି।
ଗ୍ରେଟର ଚେନ୍ନାଇ ପୁଲିସର କେନ୍ଦ୍ରୀୟ ଅପରାଧ ଶାଖା (ସିସିବି) ଏହି ମାମଲାର ତଦନ୍ତ କରୁଛି। ଘରୋଇ ସ୍କୁଲ୍ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକଠାରୁ ସ୍ଥାୟୀ ସ୍ୱୀକୃତି ଏବଂ ଅନ୍ୟ ପ୍ରଶାସନିକ ଅନୁମତି ଦେବା ବଦଳରେ ଟଙ୍କା ନେଉଥିବା ଅଭିଯୋଗ ରହିଛି।
ଅଭିଯୋଗ ଅନୁଯାୟୀ, ମହେଶ ୨୦୨୧ରୁ ୨୦୨୬ ମଧ୍ୟରେ ତାମିଲନାଡୁର ସ୍କୁଲ୍ ଶିକ୍ଷାମନ୍ତ୍ରୀ ଥିବା ସମୟରେ ୧,୦୦୦ରୁ ଅଧିକ ଘରୋଇ ସ୍କୁଲ୍ ପରିଚାଳନା କମିଟିଠାରୁ ଅର୍ଥ ସଂଗ୍ରହ କରିଥିଲେ। ଏହି ଟଙ୍କାକୁ ଦଳୀୟ ପାଣ୍ଠି ବା ‘ପାର୍ଟି ଫଣ୍ଡ୍’ ନାଁରେ ଆଦାୟ କରାଯାଇଥିଲା। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ତଦନ୍ତ ଆରମ୍ଭ କରିଛି।
ଏହି ମାମଲାରେ ଗିରଫକୁ ଏଡ଼ାଇବା ପାଇଁ ଅନ୍ବିଲ୍ ମହେଶ ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ସୋମବାର କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।