ଭୁବନେଶ୍ୱର, ୨୭/୧୦: ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ। ଗୋପାଳପୁର ଠାରୁ ଦକ୍ଷିଣରେ ୩୮୦ କିମି ଦୂରରେ ରହିଛି ଅର୍ଣ୍ଣବ। ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବର ୩୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ୨୫ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢୁଛି ବାତ୍ୟା।
ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାପରେ ଉତ୍ତରପଶ୍ଚିମ ମୁହାଁ ହୋଇ ଆନ୍ଧ୍ର ଓ ୟାନମ ଉପକୂଳକୁ ଆସିବ। ଆସନ୍ତା କାଲି ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୧୫ରୁ ୧୨୫ କିମି ରହିବ। ଝଟ୍କା ପବନର ବେଗ ୧୪୦ କିମି ପର୍ଯ୍ୟନ୍ତ ଛୁଇଁବ।
ଅନ୍ୟପଟେ ବାତ୍ୟା ପାଇଁ ପାରାଦୀପ ବନ୍ଦରରେ ୨ ନଂ ସତର୍କ ସୂଚନା ଜାରି କରାଯାଇଛି। ପଣ୍ୟବାହୀ ଓ କୋଷ୍ଟଗାର୍ଡ ଜାହାଜ, ବୋଟ, ଡ୍ରେଜରକୁ ନିର୍ଦ୍ଦେଶ ମିଳିବା କ୍ଷଣି ବନ୍ଦରାଞ୍ଚଳ ଏବଂ ଆଙ୍କରେଜ୍ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ନିରାପଦ ସ୍ଥାନକୁ ଚାଲିଯିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।ବେଳାଭୂମି ଅଞ୍ଚଳରେ ଲୋକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରାଯାଇଛି।
ଲ୍ୟାଣ୍ଡଫଲ ପୂର୍ବରୁ ଓଡ଼ିଶାରେ ବାତ୍ୟାର ପ୍ରଭାବ ଦେଖା ଗଲାଣି।ଦକ୍ଷିଣ ଓଡ଼ିଶା ଆକାଶରେ କଳାହାଣ୍ଡିଆ ମେଘ ସହ ରାୟଗଡ଼ା, ମାଲକାନଗିରି, କୋରାପୁଟରେ ଆକାଶ ମେଘାଚ୍ଛନ୍ନ ରହିଛି। ଗଞ୍ଜାମ ଓ ଗଜପତିରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଆରମ୍ଭ ହୋଇଗଲାଣି।