ସିଙ୍ଗାପୁରରେ ୪ଟି ଏମଓୟୁ ସ୍ୱାକ୍ଷରିତ

ବିଶ୍ୱସ୍ତରୀୟ ସ୍ୱଚ୍ଛ ଶକ୍ତି ସହଭାଗିତାକୁ ମଜବୁତ କଲା ଓଡ଼ିଶା

ଭୁବନେଶ୍ୱର, ୨୯/୧୦: ଅକ୍ଷୟ ଶକ୍ତି ଓ ନୂତନ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନ୍ତର୍ଜାତୀୟ ଗବେଷଣା ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଏନର୍ଜି ୱିକ୍ (SIEW) ୨୦୨୬ ଅନ୍ତର୍ଗତ ଏସିଆ କ୍ଲିନ୍ ଏନର୍ଜି ସମିଟ୍ (ACES) ରେ ୪ଟି ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷର କରିଛି। ସିଙ୍ଗାପୁରର ନାନ୍‌ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭରସିଟି (NTU) କୁ ନଲେଜ ପାର୍ଟନର ଭାବେ ଗ୍ରହଣ କରି ବିଶ୍ୱର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଓ ଶକ୍ତି କମ୍ପାନୀଗୁଡ଼ିକ ସହ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି, ଯାହା ଡିଜିଟାଲାଇଜେସନ୍, କୃତ୍ରିମ ବୁଦ୍ଧିମତ୍ତା, ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍, ସ୍ମାର୍ଟ ଗ୍ରୀଡ୍ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଗବେଷଣାକୁ ଆଗକୁ ନେବ।

ରାଜ୍ୟର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଅନ୍ତର୍ଜାତୀୟ ସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ କରି ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶକ୍ତି ବିଭାଗର ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ନବୋନ୍ମେଷ, ଗବେଷଣା ଏବଂ ବିଶ୍ୱସ୍ତରୀୟ ସହଯୋଗ ମାଧ୍ୟମରେ ଓଡ଼ିଶା ଏକ ଭବିଷ୍ୟତ-ଉପଯୋଗୀ ଏବଂ ସୁଦୃଢ଼ ଶକ୍ତି କ୍ଷେତ୍ର ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ଏମଓୟୁଗୁଡ଼ିକ ଅନ୍ତର୍ଜାତୀୟ ଅନୁଷ୍ଠାନ ଓ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ସହିତ ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ, ଯାହା ଶକ୍ତି ସଂରକ୍ଷଣ, କୃତ୍ରିମ ବୁଦ୍ଧିମତ୍ତା, ସ୍ମାର୍ଟ ଗ୍ରୀଡ୍ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଆଧୁନିକ ସମାଧାନର ମାର୍ଗ ପ୍ରଶସ୍ତ କରିବା ସହ ଓଡ଼ିଶାକୁ ସ୍ୱଚ୍ଛ ଶକ୍ତି ନିବେଶ ଓ ନବସୃଜନର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବାରେ ସହାୟକ ହେବ।

ଜାନୁଆରୀ ୨୦୨୩ରେ ଶକ୍ତି ବିଭାଗ, NTU ସିଙ୍ଗାପୁର ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ପ୍ରାରମ୍ଭିକ ଗବେଷଣା ସହଯୋଗକୁ ଏହି ନୂତନ ଏମଓୟୁ ଗୁଡ଼ିକ ଅଧିକ ବ୍ୟାପକ କରିବା ସହ ବିଶ୍ୱସ୍ତରୀୟ ଶିଳ୍ପ ବିଶେଷଜ୍ଞମାନଙ୍କୁ ସାମିଲ କରିଛି। ଏହି ଚୁକ୍ତିନାମା ଅଧୀନରେ ଟାଟା କନ୍ସଲଟାନ୍ସି ସର୍ଭିସେସ୍ (TCS) ସିଙ୍ଗାପୁର ସହ ଡିଜିଟାଲାଇଜେସନ୍ ଓ AI-ଆଧାରିତ ୱର୍କବେଞ୍ଚ ସମାଧାନ, VFlowTech ସିଙ୍ଗାପୁର ସହ ଫ୍ଲୋ ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟା, PHENOGY ସିଙ୍ଗାପୁର ସହ ସୋଡିୟମ୍-ଆୟନ୍ ବ୍ୟାଟେରୀ ଆଧାରିତ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ ସିଷ୍ଟମ, ଏବଂ ଫିନ୍‌ଲ୍ୟାଣ୍ଡର DANFOSS Drives Oy ସହ ମାଇକ୍ରୋଗ୍ରୀଡ୍, ସ୍ମାର୍ଟ ଗ୍ରୀଡ୍ ସଂଯୋଗୀକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଉପରେ ମିଳିତ ଗବେଷଣା କରାଯିବ।

ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶାସନ ସଚିବ ଡ. ଦେବୀଦତ୍ତ ତ୍ରିପାଠୀ, ଏବଂ NTU ପକ୍ଷରୁ ERI@N ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ମାଧବୀ ଶ୍ରୀନିବାସନ୍ ଏହି ଏମଓୟୁ ଗୁଡ଼ିକରେ ସ୍ୱାକ୍ଷର କରିଥିଲେ। ଏହି ସମ୍ମିଳନୀରେ ଗ୍ରୀଡ୍‌କୋ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ, ନିର୍ଦ୍ଦେଶକ ଇଂ. ଦେବାଶିଷ ଦାସ ଏବଂ ଆଇଆଇଟି ଭୁବନେଶ୍ୱରର ଡିନ୍ ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ ଶକ୍ତି ବିଭାଗର ପ୍ରତିନିଧିମାନେ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସିଓ ହୁଆଙ୍ଗ ଗାନ୍ ଏବଂ ସ୍ଥାୟୀ ସଚିବ ଶ୍ରୀ ଅଗଷ୍ଟିନ୍ ଏଲ୍. ଙ୍କୁ ସାକ୍ଷାତ କରି ମିଳିତ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ, ଯାହା ରାଜ୍ୟର ଦୀର୍ଘକାଳୀନ ଶକ୍ତି ସୁରକ୍ଷା ଓ ଆଧୁନିକୀକରଣ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ।