ଭୁବନେଶ୍ୱର, ୨୯/୧୦: ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ‘ବିଶ୍ବ ଷ୍ଟ୍ରୋକ୍ ଦିବସ’ ଉପଲକ୍ଷେ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି I ଅନୁଷ୍ଠାନର ନ୍ୟୁରୋଲୋଜି ବିଭାଗର ବିଶିଷ୍ଟ ଇଣ୍ଟରଭେନସନାଲ୍ ନ୍ୟୁରୋଲୋଜିଷ୍ଟ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଦେବାଶିଷ ହୋତାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେବା ସହ ଷ୍ଟ୍ରୋକ୍ ହେବା ପୁର୍ବରୁ ବିଭିନ୍ନ ଲକ୍ଷଣ ସଂପର୍କରେ ଆଲୋଚନା କରାଯାଇଥିଲା I ହାଇଟେକ୍ ମେଡିକାଲ୍ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର କହିଥିଲେ ଯେ, ଷ୍ଟ୍ରୋକ୍ର ପ୍ରାଥମିକ ଲକ୍ଷଣ ଚିହ୍ନଟ, ଉପଯୁକ୍ତ ସମୟରେ ଚିକିତ୍ସା, ପ୍ରତିଷେଧକ ବ୍ୟବସ୍ଥା ଏବଂ ଷ୍ଟ୍ରୋକ୍ ପରବର୍ତ୍ତୀ ଚିକିତ୍ସା ଅତ୍ୟନ୍ତ ସର୍ତକତା ସହ କରାଯିବା ସମ୍ପର୍କରେ ସମସ୍ତେ ସଚେତନ ହେବା ଆବଶ୍ୟକ | ସେହିପରି ହାଇଟେକ୍ ମେଡିକାଲ୍ ଅକ୍ଷକ ତଥା ପ୍ରାଶାସନିକ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର କହିଥିଲେ, ଯେ ବର୍ତ୍ତମାନ ବିଶ୍ବରେ ମସ୍ତିଷ୍କଘାତ ବା ବ୍ରେନ୍ ଷ୍ଟ୍ରୋକ୍ରେ ସର୍ବାଧୂକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହାର କାରଣ ଓ ଲକ୍ଷଣ ଜାଣିବା ସହ, ଏଭଳି ରୋଗୀଟିଏ ଡାକ୍ତରଖାନାକୁ ଆସିଲେ ତାର କିପରି ତତ୍କାଳ ଚିକିତ୍ସା କରାଯାଇପାରିବ ସେ ସଂପର୍କରେ କହିଥିଲେ । ବ୍ରେନ୍ ଷ୍ଟରୋକ୍ର ମୁଖ୍ ଲକ୍ଷଣ ହେଲା, ମୁହଁର ଗୋଟିଏ ପାର୍ଶ୍ବ ହଠାତ୍ ଅବଶ ହୋଇଯିବା କିମ୍ବା ଝୁଲିପଡ଼ିବା, ହସିବାକୁ ଚେଷ୍ଟା କଲେ ମୁହଁ ଅସମାନ ଦେଖାଯିବା, ଶରୀରର ଗୋଟିଏ ପାର୍ଶ୍ବର ହାତ କିମ୍ବା ଗୋଡ଼ରେ ହଠାତ୍ ଅବଶତା କିମ୍ବା ଦୁର୍ବଳତା ଅନୁଭବ ହେବା, ଯାହା ଫଳରେ ହାତ ଉପରକୁ ଉଠାଇବାରେ କଷ୍ଟ ଅନୁଭବ ହେବା, କଥା ଅସ୍ପଷ୍ଟ ହୋଇଯିବା, ଶବ୍ଦ ଉଚ୍ଚାରଣ କରିବାରେ କଷ୍ଟ ହେବା କିମ୍ବା ଅନ୍ୟମାନଙ୍କ କଥା ବୁଝିବାରେ ଅସମର୍ଥ ହେବା, ଗୋଟିଏ କିମ୍ବା ଦୁଇଟି ଯାକ ଆଜ୍ରେ ହଠାତ୍ ଝାପ୍ସା ଦେଖାଯିବା କିମ୍ବା ସମ୍ପୂର୍ଣ୍ଣ ଅନ୍ଧାର ଦେଖାଯିବା ଏବଂ ହଠାତ୍ ପ୍ରବଳ ମୁଣ୍ଡ ବୁଲାଇବା, ଚାଲିବାରେ ସନ୍ତୁଳନ ହରାଇବା କିମ୍ବା ବିନା କାରଣରେ ପ୍ରବଳ ମୁଣ୍ଡବିନ୍ଧା ହେବା I ଆୟୋଜିତ କାର୍ଯ୍ୟକ୍ରମରେ ମେଡିକାଲ ଛାତ୍ରଛାତ୍ରୀଙ୍କ ସମେତ ସ୍ବାସ୍ଥ୍ୟକର୍ମୀ,ମେଡିକାଲ କଲେଜର ଅଧ୍ୟାପକ, ଡାକ୍ତର, ପିଜି ଛାତ୍ରଛାତ୍ରୀ, ହାଉସସର୍ଜନ ଏବଂ ଟେକ୍ନିସିଆନମାନେ ଉପସ୍ଥିତ ରହି ଷ୍ଟ୍ରୋକ୍ ମୁକାବିଲା ଓ ତୁରନ୍ତ ଡାକ୍ତରୀ ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।