ବିଜେଡିର ଅଭିଯୋଗକୁ ଗ୍ରହଣ କରି ୫ ବିଧାୟକଙ୍କୁ ନୋଟିସ୍ କଲେ ମାନ୍ୟବର ହାଇକୋର୍ଟ

ହାଇକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗତ କଲା ବିଜେଡି

ଆଡଭୋକେଟ୍ ଜେନେରାଲଙ୍କ ରାଜନୈତିକ ବୟାନକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର, ୨୯/୧୦: ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ଓଡ଼ିଶା ବିଧାନସଭାରେ ବିଜେଡିର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ବିଜେଡି ଟିକେଟ୍ରେ ନିର୍ବାଚିତ ୮ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ସମ୍ପର୍କିତ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗତ କରିଛନ୍ତି ।

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, କ୍ରସ ଭୋଟିଂ ଅଭିଯୋଗରେ ବିଜେଡି ପୂର୍ବରୁ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତିଙ୍କ ନିକଟରେ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ନିୟମ ଅନୁଯାୟୀ ଆବେଦନ କରିଥିଲା । କିନ୍ତୁ ପ୍ରକି୍ରୟାଗତ ତ୍ରୁଟି ଦର୍ଶାଇ ମାନ୍ୟବର ବାଚସ୍ପତି ଏହାକୁ ଗ୍ରହଣ ନ କରି ଖାମଖିଆଲ ଭାବରେ ରାଜନୈତିକ ଉଦେ୍ଦଶ୍ୟ ରଖି ଖାରଜ କରିଥିଲେ । ଏହାକୁ ନେଇ ବିଜେଡି ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗତ ୧ ମାସ ତଳେ ମାନ୍ୟବର ହାଇକୋର୍ଟ ଏହାକୁ ଗ୍ରହଣ କରି ମାନ୍ୟବର ବାଚସ୍ପତିଙ୍କୁ ନୋଟିସ୍ ଜାରି କରିଥିଲା ବେଳେ ମାନ୍ୟବର ବାଚସ୍ପତି ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ହାଇକୋର୍ଟ ୫ ବିଧାୟକଙ୍କ ସଭ୍ୟ ପଦ କାହିଁକି ରଦ୍ଦ ନ ହେବ, ସେନେଇ ନୋଟିସ୍ ଜାରି କରି ନିଜ ପକ୍ଷ ରଖିବାକୁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଡଭୋକେଟ୍ ଜେନେରାଲ ଆଜି ଗଣମାଧ୍ୟମକୁ ଦେଇଥିବା ତାଙ୍କ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ । ଯେଉଁ ବିଧାୟକ ମାନେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ, ତାଙ୍କ ସଭ୍ୟ ପଦ ରଦ୍ଦ ଉପରେ ମତାମତ ନ ରଖି ବିଜେଡି ବାଚସ୍ପତିଙ୍କ ପାଖରେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ କରିଥିବା ଆବେଦନ ଉପରେ ଆଡଭୋକେଟ୍ ଜେନେରାଲ ମନ୍ତବ୍ୟ ରଖିବା ନିନ୍ଦନୀୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜେଡି ମାନ୍ୟବର ବାଚସ୍ପତିଙ୍କ ପାଖରେ ଯେଉଁ ଆବେଦନ କରିଥିଲା, ତାହାକୁ ଏକପାଖିଆ ଭାବେ ଖାରଜ କରିଥିଲେ ମାନ୍ୟବର ବାଚସ୍ପତି ।

ଶ୍ରୀମତୀ ମଲ୍ଲିକ ଆହୁରି କହିଥିଲେ ଯେ, ନ୍ୟାୟିକ ପ୍ରକ୍ରିୟା ଉପରେ ଆସ୍ଥା ପ୍ରକଟ କରିବା ସହ ଏହି ମାମଲା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ହେବ ବୋଲି ଦଳ ଆଶା ରଖିଛି । ସାମ୍ୱିଧାନିକ ଓ ଆଇନଗତ ପ୍ରସଙ୍ଗଗୁଡ଼ିକୁ ଉପଯୁକ୍ତ ମର୍ଯ୍ୟାଦା ରକ୍ଷା କରି ଏବଂ ପ୍ରତିଷ୍ଠିତ ଆଇନଗତ ନୀତି ଅନୁଯାୟୀ ଉପସ୍ଥାପନ କରାଯିବ ।