୫୮୮ କିମି ଲମ୍ବା ଜାତୀୟ ଜଳପଥ-୫ର ବିକାଶ ନେଇ ଆଲୋଚନା

ତାଳଚେରରୁ ପାରାଦୀପ ଓ ଧାମରାକୁ ଯୋଡ଼ିବ ଜଳପଥ

ଭୁବନେଶ୍ୱର, ୦୩/୧୧: ଓଡ଼ିଶାରେ ଶିଳ୍ପ ବିକାଶ ଓ ଜଳପଥ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଜାତୀୟ ଜଳପଥ-୫ (NW-5)ର ଉନ୍ନତିକରଣ ନେଇ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ ବିଜୟ କୁମାରଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା। ଏଥିରେ ଶିଳ୍ପ ସଂସ୍ଥାର ପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

ପ୍ରସ୍ତାବିତ ଜାତୀୟ ଜଳପଥ-୫ର ମୋଟ ଦୈର୍ଘ୍ୟ ପ୍ରାୟ ୫୮୮ କିଲୋମିଟର। ଏହାକୁ ଦୁଇଟି ଭାଗରେ ଉନ୍ନତିକରଣ କରିବାର ଯୋଜନା ରହିଛି। ପ୍ରଥମ ଭାଗଟି ନଦୀପଥ ହୋଇଥିବା ବେଳେ ଏହା ତାଳଚେରରୁ ପାରାଦୀପ ଓ ଧାମରା ପର୍ଯ୍ୟନ୍ତ ୩୩୨ କିଲୋମିଟର ଲମ୍ବା ହେବ। ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ମଧ୍ୟରେ ରହିବ। ଦ୍ୱିତୀୟ ଭାଗଟି କେନାଲ୍ ସେକ୍ସନ୍ ହୋଇଥିବା ବେଳେ ଧାମରାରୁ ପଶ୍ଚିମବଙ୍ଗର ଜିଓନଖାଲି ପର୍ଯ୍ୟନ୍ତ ପ୍ରାୟ ୨୫୬ କିଲୋମିଟର ପର୍ଯ୍ୟନ୍ତ ରହିବ। ଏହି ଜଳପଥର ବିକାଶ ଦ୍ୱାରା ତାଳଚେର ସମେତ ରାଜ୍ୟର ଖଣିଜ ସମ୍ପଦ ଓ ଶିଳ୍ପାଞ୍ଚଳଗୁଡ଼ିକୁ ବନ୍ଦର ସହ ଯୋଡ଼ିବା ସହଜ ହେବ।

ବୈଠକରେ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ (IWAI) ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିଭିନ୍ନ ବକେୟା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ଏହା ସହିତ ଜଳପଥରେ ଜାହାଜ ଚଳାଚଳ ପାଇଁ ଆବଶ୍ୟକ ସର୍ବନିମ୍ନ ଜଳଗଭୀରତା (LAD) ବଜାୟ ରଖିବା ନିମନ୍ତେ ଜଳ ଯୋଗାଣ, ଖାଲପାଲ୍ ନାଭିଗେସନ୍ ଲକ୍‌ର ବିକାଶ, ଆବଶ୍ୟକ ଆଇନଗତ ଅନୁମତି, ସେତୁ ନିର୍ମାଣ ଓ ଅପସାରଣ, ଶେଷ ପର୍ଯ୍ୟାୟ ସଡ଼କ ସଂଯୋଗ ଏବଂ ଉଚ୍ଚ ଓ ନିମ୍ନ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ଲାଇନ୍ ସ୍ଥାନାନ୍ତର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।