କଲ୍ୟାଣସିଂହପୁର ବ୍ଲକର ୬ଟି ବିଦ୍ୟାଳୟରେ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ କଲେ ଶିଳାନ୍ୟାସ
କଲ୍ୟାଣସିଂହପୁର, ୦୬/୧୧: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଶିକ୍ଷା କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ। ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ ବ୍ଲକର ୬ଟି ବିଦ୍ୟାଳୟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦୁଝରଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଏହି ଶିଳାନ୍ୟାସ କରିଥିଲେ। ଏହି ଅବସରରେ କଲ୍ୟାଣସିଂହପୁର ବ୍ଲକର ପୂଜାରୀଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନିକଟରେ ସ୍ଥାନୀୟ ସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏସ୍. ନାଗଭୂଷଣ ରାଓ, ସରପଞ୍ଚ ଅମିତା କାଡ୍ରାକା, ନାଏବ ସରପଞ୍ଚ ବେୱାର କାମେଶ୍ୱର ରାଓ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁରେନ୍ଦ୍ର କାଡ୍ରାକା ଓ ଜିଲ୍ଲା ପରିଷଦ ସଦସ୍ୟା ଭୂମି ଗୌରୀଦେବୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୬୩୦ଟି ବିଦ୍ୟାଳୟରେ ତୃତୀୟ ପର୍ଯ୍ୟାୟରେ ଏହି ଆଦର୍ଶ ବିଦ୍ୟାଳୟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ସେଥିମଧ୍ୟରୁ ରାୟଗଡ଼ା ଜିଲ୍ଲାର ୩୦ଟି ବିଦ୍ୟାଳୟ ସାମିଲ ହୋଇଥିବା ବେଳେ କଲ୍ୟାଣସିଂହପୁର ବ୍ଲକର ୬ଟି ବିଦ୍ୟାଳୟ ଏହି ଯୋଜନାରେ ସ୍ଥାନ ପାଇଛି। ସେଗୁଡ଼ିକ ହେଲା ଧାମୁଣିପଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାରାୟଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସେରିଗୁମ୍ମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସିଙ୍ଗାରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସିକରପାଇ ପ୍ରାଥମିକ ବିଦ୍ୟାଳୟ ଓ ପୂଜାରୀଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ। କାର୍ଯ୍ୟକ୍ରମରେ ଶିଶିର କୁମାର ରାଉତ ମଞ୍ଚ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାର ସୁଯୋଗ ମିଳିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।