ଦେବାଦେବୀଙ୍କୁ ଅପମାନ କଲେ ମାମଲା ରୁଜୁ କରିବ ପତଞ୍ଜଳି, ଗଠନ ହେବ ସ୍ୱତନ୍ତ୍ର ଟିମ୍: ସ୍ୱାମୀ ରାମଦେବ

ପୌଡ଼ି ଗଡ଼ୱାଲରେ ତିନିଦିନିଆ ହର୍ବାଲ କୁମ୍ଭ ଉଦ୍‌ଯାପିତ

ହରିଦ୍ୱାର, ୦୬/୧୧: ଦେବାଦେବୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ଲଢ଼େଇ ଜାରି ରଖିବ ପତଞ୍ଜଳି। ଏଥିପାଇଁ ପତଞ୍ଜଳି ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ। ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲା ୟମକେଶ୍ୱର ବ୍ଲକ୍‌ର ମାଲାଗାଁରେ ଆୟୋଜିତ ତିନିଦିନିଆ ହର୍ବାଲ କୁମ୍ଭ ଉଦ୍‌ଯାପନୀ ଉତ୍ସବରେ ଏଭଳି ଘୋଷଣା କରିଛନ୍ତି ଯୋଗଗୁରୁ ସ୍ୱାମୀ ରାମଦେବ। ଭଗବାନ ରାମ, କୃଷ୍ଣ ଓ ହନୁମାନଙ୍କ ସମେତ ଭଗବାନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଉଥିବା ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି।

ନଭେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ମାଲାଗାଁରେ ଆୟୋଜିତ ଏହି ହର୍ବାଲ କୁମ୍ଭ-ଜଡ଼ିବୁଟି କୃଷି ମେଳା ଓ ଶ୍ରୀ ଧନ୍ୱନ୍ତରୀ ଧାମ ମହୋତ୍ସବରେ ଆୟୁର୍ବେଦ, ଜଡ଼ିବୁଟି, କୃଷି, ଜୈବ ବିବିଧତା ଓ କୃଷକ କଲ୍ୟାଣକୁ ନେଇ ବିଭିନ୍ନ ଆଲୋଚନା ହୋଇଥିଲା। ତିନିଦିନିଆ ଏହି ଆୟୋଜନରେ ୨,୫୦୦ରୁ ଅଧିକ ଲୋକ ଯୋଗଦେଇଥିବା ବେଳେ ୫୦୦ରୁ ଅଧିକ ଲୋକ ସେଠାରେ ରହି ପ୍ରକୃତିର ସୌନ୍ଦର୍ଯ୍ୟ ଓ ପରିବେଶକୁ ଅନୁଭବ କରିଥିଲେ। ଆସନ୍ତାବର୍ଷ ଅକ୍ଟୋବରରେ ଏହି ମେଳାକୁ ଆହୁରି ବ୍ୟାପକ ଆକାରରେ ଆୟୋଜନ କରାଯିବ ବୋଲି ଘୋଷଣା ହୋଇଛି।

ଉଦ୍‌ଯାପନୀ ସମାରୋହରେ ସ୍ୱାମୀ ରାମଦେବ କହିଥିଲେ ଯେ, କୌଣସି ଧର୍ମ, ଆସ୍ଥା କିମ୍ବା ମହାପୁରୁଷଙ୍କ ପ୍ରତି ଅସମ୍ମାନ କରିବା ଉଚିତ ନୁହେଁ। ଅନ୍ୟ ଧର୍ମର ଆରାଧ୍ୟଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦିଆଗଲେ ଯେପରି ପ୍ରତିକ୍ରିୟା ସୃଷ୍ଟି ହେଉଛି, ସେହିଭଳି ନିଜ ଆରାଧ୍ୟଙ୍କ ପ୍ରତି ଅପମାନକୁ ମଧ୍ୟ ଗ୍ରହଣ କରାଯିବ ନାହିଁ। ସମସ୍ତେ ପରସ୍ପରର ଧର୍ମ ଓ ଭାବନାକୁ ସମ୍ମାନ ଦେବା ଆବଶ୍ୟକ। ପ୍ରେମ, ଭକ୍ତି ଓ ଗୁରୁଙ୍କ ଆଶ୍ରୟ ହିଁ ସନାତନ ଧର୍ମର ପ୍ରକୃତ ମାର୍ଗ।

ଏହି ଅବସରରେ ସ୍ୱାମୀ ରାମଦେବ ଶ୍ରୀ ଧନ୍ୱନ୍ତରୀ ଧାମର ବିକାଶରେ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ଗତ ପାଞ୍ଚବର୍ଷ ଧରି ଆଚାର୍ଯ୍ୟ ବାଳକୃଷ୍ଣ ନିରନ୍ତର ପରିଶ୍ରମ କରି ଏହି ସ୍ଥାନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। ଧାମକୁ ଯିବା ରାସ୍ତାଠାରୁ ଆରମ୍ଭ କରି ସେଠାରେ ଲଗାଯାଇଥିବା ଗଛଲତା ପର୍ଯ୍ୟନ୍ତ ସବୁଠି ତାଙ୍କର ସମର୍ପଣ ଓ ପରିଶ୍ରମ ଦେଖିବାକୁ ମିଳୁଛି ବୋଲି ସେ କହିଥିଲେ।

ଅନ୍ୟପଟେ ଆଚାର୍ଯ୍ୟ ବାଳକୃଷ୍ଣ କହିଥିଲେ ଯେ, ଶ୍ରୀ ଧନ୍ୱନ୍ତରୀ ଧାମକୁ ପ୍ରାଚୀନ ଭାରତୀୟ ଜ୍ଞାନ ଓ ଆଧୁନିକ ବିଜ୍ଞାନର ଏକ ଅନନ୍ୟ ସଙ୍ଗମସ୍ଥଳ ଭାବେ ବିକଶିତ କରାଯିବ। ଏହା କେବଳ ଜଡ଼ିବୁଟି ଓ ଆୟୁର୍ବେଦର କେନ୍ଦ୍ର ହୋଇ ରହିବ ନାହିଁ, ବରଂ ଶିକ୍ଷା, ପ୍ରକୃତି, ସଂସ୍କୃତି, ପର୍ଯ୍ୟଟନ ଓ ପ୍ରଶିକ୍ଷଣର ଏକ ପ୍ରମୁଖ କେନ୍ଦ୍ର ହେବ।

ଏଠାରେ ନଲେଜ୍ ପାଥ୍, ଏଣ୍ଟରଟେନମେଣ୍ଟ ପାର୍କ, ଆଡଭେଞ୍ଚର ସ୍ପୋର୍ଟସ୍, ସାଇକେଲିଂ ଟ୍ରାକ୍ ସହ ସାଧନା ଓ ଧ୍ୟାନ ପାଇଁ ସ୍ୱତନ୍ତ୍ର ଗୁମ୍ଫା ନିର୍ମାଣ କରିବାର ଯୋଜନା ରହିଛି। ଏହା ସହ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଦେଶବିଦେଶର ଲୋକଙ୍କୁ ଏହି ଧାମ ସହ ଯୋଡ଼ାଯାଇପାରିବ ବୋଲି ସେ କହିଥିଲେ।

ଉଦ୍‌ଯାପନୀ ସମାରୋହରେ ବିଜୟା ଇଲାହାବାଦୀ ଓ ଉଗ୍ରସେନ ଇଲାହାବାଦୀଙ୍କୁ ସ୍ୱାମୀ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଶାଲ୍‌ ଓ ରୁଦ୍ରାକ୍ଷ ମାଳା ପ୍ରଦାନ କରି ସମ୍ମାନିତ କରିଥିଲେ। ସମାରୋହରେ ବହୁ ସଂଖ୍ୟାରେ ସାଧୁସନ୍ଥ ଓ ସାଧ୍ୱୀ ଉପସ୍ଥିତ ଥିଲେ।