ଧାମନଗରରେ ବିକାଶର ନୂଆ ଫର୍ଦ୍ଦ

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଧାମନଗର, ୦୭/୧୧: ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଯାତ୍ରାକୁ ଆହୁରି ଦ୍ରୁତଗାମୀ କରିବା ପାଇଁ ଭିତ୍ତିଭୂମି ଉନ୍ନୟନ, ପ୍ରାଶାସନିକ ସୁବିଧା, କ୍ରୀଡ଼ା ଏବଂ ସାଂସ୍କୃତିକ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଏନ୍.ଏ.ସି. ଏବଂ ଗ୍ରାମାଞ୍ଚଳ ଗସ୍ତ କରି ଏକାଧିକ ଜନହିତକର ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।ଧାମନଗର ଏନ୍.ଏ.ସି.ର ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ଭଦ୍ରକ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀଙ୍କ ଉପସ୍ଥିତିରେ ଜୟନଗର ଠାରେ ୫୦୦ ଏବଂ ଦକ୍ଷିଣବାଡ଼ ଠାରେ ୩୦୦ କ୍ଷମତା ବିଶିଷ୍ଟ ଦୁଇଟି ବହୁମୁଖୀ ସଭାଗୃହର ଉଦ୍‌ଘାଟନ କରାଯାଇଛି। ଧାମନଗରକୁ ଏକ ଆଧୁନିକ ଓ ସୁଦୃଢ଼ ସହର ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହାସହ ଦକ୍ଷିଣବାଡ଼ ଠାରେ ପୂର୍ତ୍ତ ବିଭାଗ ରାସ୍ତାରୁ ସନ୍ତୋଷ ଯେନା ଙ୍କ ଘର ଭାୟା ଦୁର୍ଗା ଦାଣ୍ଡ ରାସ୍ତାର ଉନ୍ନତିକରଣ ଏବଂ ଧାମନଗର ମେଳଣ ପଡ଼ିଆରେ ନୂତନ ଯଜ୍ଞ ମଣ୍ଡପ ନିର୍ମାଣର ଶୁଭ ଶିଳାନ୍ୟାସ କରାଯାଇଛି।ଗ୍ରାମାଞ୍ଚଳ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୋବଲ କାଳୀ ପଡ଼ିଆଠାରେ ଏକ ବହୁମୁଖୀ ଷ୍ଟାଡିୟମ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ‘ପଡ଼ିଆରୁ ପୋଡ଼ିୟମ’ ଯାଏଁ ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବାରେ ଏହି ଷ୍ଟାଡିୟମ୍ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଗମନାଗମନ କ୍ଷେତ୍ରରେ ପ୍ରମୁଖ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ମୁସ୍ତଫାପୁର ଠାରେ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ, ପାରିପାର୍ଶ୍ୱିକ ଉନ୍ନତିକରଣ ତଥା ପୂର୍ତ୍ତ ବିଭାଗ ରାସ୍ତାରୁ ଦୋବଲ-ସୋଧ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

ଏହାବ୍ୟତୀତ, ଖଡ଼ିପଦା ପଞ୍ଚାୟତର କାଞ୍ଜିଆପାଳ ମଠର ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ ସୋହଡ଼ା ପଞ୍ଚାୟତ ବେଦପୁର ଠାରେ ଜଳସମ୍ପଦ ବିଭାଗର ଆଧୁନିକ ଡାକବଙ୍ଗଳା ଏବଂ ଜୟନ୍ତରା ଠାରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ରର ଲୋକାର୍ପଣ କରାଯାଇଛି। ଶେଷରେ ମନ୍ତ୍ରୀ ଦଳାଙ୍ଗ ପଞ୍ଚାୟତର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କ ସହ ମତ ବିନିମୟ କରିଥିଲେ। ଧାମନଗର ବାସୀଙ୍କ ଶ୍ରଦ୍ଧା ଓ ବିଶ୍ୱାସ ହିଁ ପ୍ରଗତି ପାଇଁ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଉଛି ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବ୍ୟକ୍ତ କରିଛନ୍ତି। ଏହି ଅବସର ରେ ଭଦ୍ରକ ଜିଲ୍ଲାପାଳ ଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।