ଭୁବନେଶ୍ୱର, ୭/୧୧: ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଦେବା ଏବଂ ଇସ୍ରାଏଲ୍ ସହ ବ୍ୟବସାୟିକ ଓ ବୈଷୟିକ ସହଯୋଗର ବ୍ୟାପକ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଇସ୍ରାଏଲ୍–ଓଡ଼ିଶା ବିଜନେସ୍ ଏବଂ ଇନୋଭେସନ୍ ରାଉଣ୍ଡଟେବୁଲ୍ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ସ୍ଥାନୀୟ ଓ-ହବ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ରାଏଲ୍ ପ୍ରତିନିଧିମଣ୍ଡଳୀ ଓଡ଼ିଶାର ବିଭିନ୍ନ ଷ୍ଟାର୍ଟଅପ୍ ସହ ଆଲୋଚନା କରିବା ସହ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ନବସୃଜନଗୁଡିକୁ ସିଧାସଳଖ ଦେଖିଥିଲେ ।
ଏହି ଅବସରରେ ଜୁଇସ୍ ପିପୁଲ୍ ପଲିସି ଇନ୍ଷ୍ଟିଚ୍ୟୁଟ୍ (JPPI)ର ସୋସିଆଲ୍ ଆକ୍ସିଲେରେଟର୍ର ମ୍ୟାନେଜିଂ ପାର୍ଟନର୍ ଗିଲାଡ୍ ନ୍ୟୁମାନ୍ ଇସ୍ରାଏଲ୍ ଏବଂ ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକ ମଧ୍ୟରେ ସହଯୋଗର ବିଭିନ୍ନ ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ବିଶେଷକରି ପରିବେଶ ସୁରକ୍ଷା, ଇଏସ୍ଜି (ESG), ନିରୀକ୍ଷଣ ବ୍ୟବସ୍ଥା ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରରେ ମିଳିତ କାର୍ଯ୍ୟ କରିବାର ବ୍ୟାପକ ସୁଯୋଗ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ଷ୍ଟାର୍ଟଅପ୍ ଏବଂ ଇନ୍କ୍ୟୁବେସନ୍ କେନ୍ଦ୍ର ଭାବେ ଓ-ହବ୍ ସହ ଭାଗୀଦାରି ସୃଷ୍ଟି ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ ସ୍ମୃତି ରଞ୍ଜନ ପ୍ରଧାନ ଓଡ଼ିଶାର ଷ୍ଟାର୍ଟଅପ୍ ବିଷୟରେ ବିସ୍ତୃତ ବିବରଣୀ ରଖିଥିବା ବେଳେ ମିଶନ୍ ଆସୋସିଏଟ୍ ସୁଶ୍ରୀ ସାଲୋନୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏନ୍ଆର୍ଡିସି ଆଉଟ୍ରିଚ୍ ଅଫିସ୍ ମୁଖ୍ୟ ଡ. ବିଜୟ କୁମାର ସାହୁ ବୈଠକର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଚ୍ସିଏଲ୍ର ମୁଖ୍ୟ ବିସାସିସ୍ ଗନ୍ତାୟତ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ ।
ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ଇନୋଭେସନ୍ ସହିତ ସଷ୍ଟେନେବିଲିଟି ଓ ସାମାଜିକ ନବସୃଜନକୁ ନେଇ ଏକ ଅଧିବେଶନ ଆୟୋଜିତ ହୋଇଥିଲା । ବାସ୍ତବ ସମସ୍ୟାର ସମାଧାନ କରୁଥିବା ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ଇସ୍ରାଏଲ୍ ପ୍ରତିନିଧିମଣ୍ଡଳୀ ପରାମର୍ଶ ଦେଇଥିଲେ । ବୈଠକରେ ଉପସ୍ଥିତ ଉଦ୍ୟୋଗ ପୁଞ୍ଜି ନିବେଶକମାନେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ନିବେଶ ଓ ସହଯୋଗ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ।
ଓଡ଼ିଶାର ଷ୍ଟାର୍ଟଅପ୍ ଜଗତକୁ ଅନ୍ତର୍ଜାତୀୟ ବଜାର, ନୂତନ ପ୍ରଯୁକ୍ତି ଓ ନିବେଶ ସୁଯୋଗ ସହ ଯୋଡ଼ିବାରେ ଏହି ରାଉଣ୍ଡଟେବୁଲ୍ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି । ଏହା ସହ ଇସ୍ରାଏଲ୍ ଏବଂ ଓଡ଼ିଶା ମଧ୍ୟରେ ଭବିଷ୍ୟତରେ ଦୀର୍ଘମିଆଦୀ ବ୍ୟବସାୟିକ ଓ ନବସୃଜନଭିତ୍ତିକ ସହଯୋଗ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପିତ ହୋଇଛି ।