ସିକରପାଇ ମାର୍କେଟରେ ବାଣ ବେପାର, ରାଜ୍ୟ ରାଜପଥ କଡ଼ରେ ବିକ୍ରି ଅଭିଯୋଗ
ଖୋଲାଖୋଲି ବାଣ ବିକ୍ରି, ଚଢ଼ା ଦରରେ କାରବାର
ବିନା ଲାଇସେନ୍ସରେ ବ୍ୟବସାୟ ଚାଲିଥିବା ଅଗ୍ନିଶମ ବିଭାଗର ସୂଚନା
କଲ୍ୟାଣସିଂହପୁର, ୦୭।୧୧ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ସଦର ମାର୍କେଟରେ ରାଜ୍ୟ ରାଜପଥ-୪୫ କଡ଼ରେ ଖୋଲାଖୋଲି ବାଣ ବେପାର ଚାଲିଥିବା ଅଭିଯୋଗ ହୋଇଛି। ବ୍ୟବସାୟୀମାନେ ଆଳୁ ପିଆଜ ଭଳି ରାସ୍ତାକଡ଼ରେ ବାଣ ବିକ୍ରି କରୁଥିବା ବେଳେ ଗ୍ରାହକଙ୍କଠାରୁ ଚଢ଼ା ଦରରେ ଟଙ୍କା ଆଦାୟ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଜନଗହଳିପୂର୍ଣ୍ଣ ରାଜ୍ୟ ରାଜପଥ କଡ଼ରେ ଏଭଳି ବାଣ ବିକ୍ରି ହେବା ଘଟଣା ସାଧାରଣରେ ଚିନ୍ତା ବଢ଼ାଇଛି। ଦୈନିକ ଏହି ରାସ୍ତା ଦେଇ ଶହ ଶହ ଗାଡ଼ିମୋଟର ଯାତାୟାତ କରୁଥିବା ବେଳେ ମାର୍କେଟରେ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି। ଏଭଳି ସ୍ଥାନରେ ବାଣ ବିକ୍ରି ଯୋଗୁଁ ଅଗ୍ନିକାଣ୍ଡ ଭଳି ଅଘଟଣ ଘଟିବାର ଆଶଙ୍କା ରହିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଲାଇସେନ୍ସ ଓ ସୁରକ୍ଷା ବ୍ୟବସ୍ଥା ରହିଛି କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ଘଟଣା ସମ୍ପର୍କରେ କଲ୍ୟାଣସିଂହପୁର ଥାନା ଅଧିକାରୀ ଅଜିତ ପରିଡ଼ାଙ୍କୁ ଖବର ଦିଆଯାଇଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କଲ୍ୟାଣସିଂହପୁର ଅଗ୍ନିଶମ ବିଭାଗର ୱାଇ.ସି. ବିଜୟ ବେହେରା, କୋଲନରା ଅଗ୍ନିଶମ ବିଭାଗର ଏସ୍.ଓ. ଚିନ୍ମୟ ବେହେରା ଏବଂ ରାୟଗଡ଼ା ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ବ୍ଲକରେ ବାଣ ବ୍ୟବସାୟୀମାନେ ବିନା ଲାଇସେନ୍ସରେ ବାଣ ବିକ୍ରି କରୁଥିବା ସୂଚନା ଦେଇଛନ୍ତି । ଅଗ୍ନିଶମ ବିଭାଗର ଏଭଳି ସୂଚନା ପରେ ଅଞ୍ଚଳରେ ବେଆଇନ ବାଣ ବ୍ୟବସାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିନା ଲାଇସେନ୍ସରେ ରାଜ୍ୟ ରାଜପଥ କଡ଼ରେ ବାଣ ବିକ୍ରି କିପରି ଚାଲିଛି ଏବଂ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାହିଁକି ଯାଞ୍ଚ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇନାହିଁ ତାହାକୁ ନେଇ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି। ତୁରନ୍ତ ଯାଞ୍ଚ କରି ବେଆଇନ ବାଣ ବ୍ୟବସାୟ ବନ୍ଦ କରିବା ସହ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।