ଓଆରଏସ ମନୀଷା ମିଶ୍ରଙ୍କୁ ଚାକିରିରୁ ବରଖାସ୍ତ କଲେ ରାଜ୍ୟ ସରକାର

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର, ୧୦/୧୧: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ବିରୋଧରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରୋବେସନ୍ ଅବଧି ଶେଷ ହୋଇନଥିବାରୁ ନିୟମ ଅନୁଯାୟୀ ତାଙ୍କୁ ତୁରନ୍ତ ଚାକିରିରୁ ବିଦା କରାଯାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ଗତ ନଭେମ୍ବର ୬ ତାରିଖରେ ଜ୍ଞାନରଞ୍ଜନ ପାତ୍ରଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାଲେଶ୍ୱର ଭିଜିଲାନ୍ସ ଅଧିକାରୀମାନେ ମନୀଷା ମିଶ୍ରଙ୍କୁ ଧରିଥିଲେ। ନଭେମ୍ବର ୭ ତାରିଖରେ ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଜେଲ୍ ହାଜତକୁ ପଠାଇଥିଲେ।

ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ମନୀଷା ମିଶ୍ର ଓଡ଼ିଶା ରାଜସ୍ୱ ସେବା (ORS)ରେ ପ୍ରୋବେସନ୍‌ରେ ଥିବାରୁ ତାଙ୍କର ଚାକିରି ସ୍ଥାୟୀ ହୋଇନଥିଲା। ତେଣୁ ଓଡ଼ିଶା ରାଜସ୍ୱ ସେବା ନିଯୁକ୍ତି ନିୟମ, ୨୦୧୧ର ନିୟମ ୧୭(୨) ଏବଂ ୨୦୧୬ର ସମ୍ପୃକ୍ତ ନିୟମ ଅନୁଯାୟୀ ତାଙ୍କୁ ଚାକିରିରୁ କରାଯାଇଛି।