ବନ୍ୟା ପରିଚାଳନାରେ ସରକାର ବିଫଳ, ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ
୫ ହଜାର କୋଟିର ସହାୟତା ଦାବି
ଭୁବନେଶ୍ୱର, ୧୦/୧୧: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚାଟି ଲେଖିଥିବା ବେଳେ କଂଗ୍ରେସ ପ୍ରଦେଶ କମିଟି ସଭାପତି ଭକ୍ତ ଦାସ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ବନ୍ୟା ପରିସ୍ଥିତିର ମୁକାବିଲା, ଆଗୁଆ ପ୍ରସ୍ତୁତି ଏବଂ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ବନ୍ୟା ପରିଚାଳନାରେ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ବର୍ଷା ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ପ୍ରଶାସନ କାହିଁକି ଆବଶ୍ୟକ ପ୍ରସ୍ତୁତି କରିନଥିଲା ବୋଲି ପ୍ରଶ୍ନ କରିଛନ୍ତି। ବନ୍ୟା ଆଶଙ୍କା ଥିବା ଅଞ୍ଚଳରେ ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଓ ରିଲିଫ୍ ବ୍ୟବସ୍ଥାକୁ ନେଇ ଆଗୁଆ ଯୋଜନା କାହିଁକି କରାଯାଇନଥିଲା ବୋଲି କହିଛନ୍ତି।
ଏଥିସହ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଏକ ଭିଡିଓକୁ ନେଇ ମଧ୍ୟ ଭକ୍ତ ଦାସ ସମାଲୋଚନା କରିଛନ୍ତି। ବନ୍ୟା ପରିଚାଳନା ସମ୍ପର୍କରେ ଉଠିଥିବା ପ୍ରଶ୍ନ ଏବଂ ପ୍ରଶାସନିକ ଦାୟିତ୍ୱକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବନ୍ୟା ପରିସ୍ଥିତି ଗମ୍ଭୀର ହେବା ପରେ ଅଧିକ ପାଣି ଛାଡ଼ିବା ଭଳି ବେପରୁଆ କାର୍ଯ୍ୟ କିଏ କରିଥିଲା ଏବଂ ଏଥିପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।।
ବିଶେଷକରି ଜଳସମ୍ପଦ ବିଭାଗର ଦାୟିତ୍ୱ ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବାରୁ ବନ୍ୟା ପରିଚାଳନାରେ ତାଙ୍କ ଭୂମିକାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଜଳଭଣ୍ଡାରରୁ ଜଳ ନିଷ୍କାସନ, ନଦୀର ଜଳସ୍ତର ଉପରେ ନଜର ରଖିବା ଏବଂ ତଳିଆ ଅଞ୍ଚଳର ଲୋକଙ୍କୁ ଆଗୁଆ ସତର୍କ କରିବା ଭଳି ପଦକ୍ଷେପରେ ସମନ୍ୱୟର ଅଭାବ ରହିଥିଲା।
ଅନ୍ୟପଟେ ବନ୍ୟାରେ ରାଜ୍ୟର ପ୍ରାୟ ୨ ଲକ୍ଷ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଥିବା ଭକ୍ତ ଦାସ କହିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ କେବଳ ସାଧାରଣ ସହାୟତା ନୁହେଁ, ବରଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଆଧାରରେ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ଫସଲ ନଷ୍ଟ ଯୋଗୁଁ ଚାଷୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ଦେବା ଆବଶ୍ୟକ ବୋଲି କହିଛନ୍ତି।
ସେହିପରି ଓଡ଼ିଶାର ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରି କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
ସେହିପରି ରାଜ୍ୟର ୧୦ଟି ବନ୍ୟାପ୍ରବଣ ଜିଲ୍ଲାରେ ଆଗୁଆ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା କରାଯାଉ। ବର୍ଷା ଋତୁ ପୂର୍ବରୁ ଜଳଭଣ୍ଡାର ପରିଚାଳନା, ନଦୀବନ୍ଧ ମରାମତି, ଜଳ ନିଷ୍କାସନ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିବା ପାଇଁ ଏକ ସ୍ଥାୟୀ ଯୋଜନା ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।