ଗଞ୍ଜାମ ବନ୍ୟା ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି

ତୁରନ୍ତ ରିଲିଫ୍ ଓ ପୁନର୍ବାସ ପଦକ୍ଷେପ ପାଇଁ ଦାବି

ଭୁବନେଶ୍ୱର, ୧୦/୧୧: ଗଞ୍ଜାମ ଜିଲ୍ଲାରେ ବନ୍ୟା ବିଭୀଷିକା ଓ ଲୋକଙ୍କ ଦୁର୍ଦ୍ଦଶାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ୍, ପୁନର୍ବାସ ଓ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ସେ ଦାବି କରିଛନ୍ତି। ଏନେଇ ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି।

ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ନଭେମ୍ବର ୭ ତାରିଖରେ ସେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ଶେରଗଡ଼, ଆସ୍କା ଓ ସୋରଡ଼ାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଚାଷୀ, ମହିଳା, ଛୋଟ ବ୍ୟବସାୟୀ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ଲୋକେ ଜୀବନ, ଜୀବିକା ଓ ସମ୍ପତ୍ତିର ବ୍ୟାପକ କ୍ଷତି ସହିଥିବା ସେ କହିଛନ୍ତି। ଭିତ୍ତିଭୂମି ନଷ୍ଟ ହେବା ସହ ବ୍ୟାପକ ଫସଲ କ୍ଷତି ହୋଇଛି। ଏହାଦ୍ୱାରା ଗଞ୍ଜାମ ଜିଲ୍ଲା ଅନେକ ବର୍ଷ ପଛକୁ ଚାଲିଯାଇଥିବା ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ବନ୍ୟା ପରିସ୍ଥିତି ନେଇ ସରକାରଙ୍କ ପ୍ରସ୍ତୁତି ଓ ଜଳ ପରିଚାଳନାକୁ ନେଇ ମଧ୍ୟ ନବୀନ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଅକ୍ଟୋବର ୨୩ ତାରିଖରୁ ହିଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପାଣିପାଗ ସମ୍ପର୍କିତ ଆଗୁଆ ସତର୍କ ସୂଚନା ଜାରି ହୋଇଥିଲା। ଘୂର୍ଣ୍ଣିବାତ୍ୟା ସମ୍ପର୍କିତ ଚେତାବନୀ ମିଳିବା ପରେ ଡ୍ୟାମ୍‌ଗୁଡ଼ିକର ଜଳସ୍ତର ଓ ଜଳ ପ୍ରବାହ ଉପରେ ୨୪ ଘଣ୍ଟା ନଜର ରଖିବା ଆବଶ୍ୟକ ଥିଲା। ଏଥିସହ ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ଜଳ ନିଷ୍କାସନ କରାଯିବା ଉଚିତ ଥିଲା।

କିନ୍ତୁ ପ୍ରବଳ ଘୂର୍ଣ୍ଣିବାତ୍ୟାଜନିତ ବର୍ଷା ଆରମ୍ଭ ହେବା ପରେ ଡ୍ୟାମ୍‌ରୁ ଜଳ ନିଷ୍କାସନ କରାଯାଇଥିଲା। ଏହା ବନ୍ୟା ପରିସ୍ଥିତିକୁ ଆହୁରି ଗମ୍ଭୀର କରିବା ସହ ଲୋକଙ୍କ ଜୀବନ ଓ ସମ୍ପତ୍ତିର କ୍ଷତି ପହଞ୍ଚାଇଥିଲା। ଏଭଳି ଅବହେଳା ଓ ଭୁଲ୍ ପରିଚାଳନା ପାଇଁ ଦାୟୀ କିଏ, ତାହା ନିର୍ଦ୍ଧାରଣ କରିବା ସହ କଠୋର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ଏଥିସହ ଗଞ୍ଜାମ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତିକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଞ୍ଜାମ ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଘୂର୍ଣ୍ଣିବାତ୍ୟା ସମୟରେ ପ୍ରବଳ ବର୍ଷା ଓ ବନ୍ୟାର ଆଶଙ୍କା ରହିଥାଏ। ଏହା ଜଣାଥିବା ସତ୍ତ୍ୱେ ସରକାର ଆବଶ୍ୟକ ପ୍ରସ୍ତୁତି କରିନଥିଲେ। ଆଗୁଆ ସତର୍କ ସୂଚନା ମିଳିଥିଲେ ମଧ୍ୟ ଉପଯୁକ୍ତ ପଦକ୍ଷେପ ନିଆଯାଇଥିଲେ ଲୋକଙ୍କ ଦୁର୍ଦ୍ଦଶା ଅନେକାଂଶରେ କମିପାରିଥାନ୍ତା।

ସେହିପରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବିଳମ୍ବ ହୋଇଥିବା ମଧ୍ୟ ନବୀନ ଚିଠିରେ ଦର୍ଶାଇଛନ୍ତି। ବନ୍ୟା ପରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ ଥିଲା। କିନ୍ତୁ ଏଥିରେ ବିଳମ୍ବ ହେବାରୁ ଅନେକ ଲୋକ ଦୀର୍ଘ ସମୟ ଧରି ଖାଦ୍ୟ ଓ ପାଣି ବିନା ଫସି ରହିଥିଲେ। ଏହା ସରକାରଙ୍କ ଆଗୁଆ ପ୍ରସ୍ତୁତି ଓ ଯୋଜନାର ଅଭାବକୁ ଦର୍ଶାଉଛି। ଗଞ୍ଜାମ ଗସ୍ତ ସମୟରେ ଲୋକଙ୍କଠାରୁ ମିଳିଥିବା ଅଭିଯୋଗ ଓ ଦାବିପତ୍ରଗୁଡ଼ିକୁ ତୁରନ୍ତ ପଦକ୍ଷେପ ପାଇଁ ସେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିକଟକୁ ପଠାଇଛନ୍ତି।

ବନ୍ୟା ପରବର୍ତ୍ତୀ ସ୍ଥିତିରେ କେବଳ ରିଲିଫ୍ ସାମଗ୍ରୀ ବଣ୍ଟନ କରିଦେଲେ ଦାୟିତ୍ୱ ସରିଯିବ ନାହିଁ ବୋଲି ନବୀନ କହିଛନ୍ତି। ଚାଷୀଙ୍କୁ ଫସଲ କ୍ଷତିର ଉପଯୁକ୍ତ ମୂଲ୍ୟାୟନ କରି ତୁରନ୍ତ କ୍ଷତିପୂରଣ ଦେବା, ମହିଳା, ଯୁବକ, ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଜୀବିକା ପୁନରୁଦ୍ଧାର କରିବା ସହ ନଷ୍ଟ ହୋଇଥିବା ରାସ୍ତା, ଘର ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନଃନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେବା ଦରକାର। ଏଥିପାଇଁ ସମଗ୍ର ସରକାରୀ ବ୍ୟବସ୍ଥାକୁ ନେଇ ଏକ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଚିଠିରେ ନବୀନ ପୂର୍ବ ବିଜେଡି ସରକାର ସମୟରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗ୍ରାମାଞ୍ଚଳରେ ସରପଞ୍ଚ, ପଞ୍ଚାୟତିରାଜ ସଂସ୍ଥା ଓ ମିଶନ ଶକ୍ତିର ମହିଳା ସଦସ୍ୟଙ୍କୁ ସାମିଲ କରି ଏକ ମଜଭୁତ ସମୁଦାୟଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଢ଼ାଯାଇଥିଲା। କିନ୍ତୁ ବର୍ତ୍ତମାନର ସରକାର ସରପଞ୍ଚ ଓ ମିଶନ ଶକ୍ତିକୁ ଅଣଦେଖା କରୁଥିବାରୁ ଏହି ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି।

କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଭଳି ଜିଲ୍ଲାରେ ପୂର୍ବରୁ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ତ୍ରୁଟି ହୋଇଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ୨୪ ବର୍ଷର ବିଜେଡି ସରକାର ସମୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହୋଇଥିବା ଉନ୍ନତିକୁ ବର୍ତ୍ତମାନର ସରକାର ମାତ୍ର ୨୪ ମାସରେ ପଛକୁ ନେଇ ନଯାଆନ୍ତୁ ବୋଲି କହିଛନ୍ତି।

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଗଞ୍ଜାମବାସୀଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ କେବଳ ପ୍ରତିଶ୍ରୁତି ନୁହେଁ, ଠୋସ୍ ପଦକ୍ଷେପ ଆବଶ୍ୟକ। ସରକାରଙ୍କ କୌଣସି ଅବହେଳା ଯୋଗୁଁ ଯଦି ଲୋକଙ୍କ ଦୁଃଖ ବଢ଼େ, ତେବେ ବିଜୁ ଜନତା ଦଳ ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ ଲୋକଙ୍କ ସ୍ୱର ଉଠାଇବ ବୋଲି କହିଛନ୍ତି।