ଟାଟା ପାୱାର ଡିସକମ୍‌ର ସ୍ପଷ୍ଟୀକରଣ: ବିଏ କର୍ମଚାରୀଙ୍କୁ ଛଟେଇ କରାଯାଇନି, କେବଳ ପୁନଃନିୟୋଜନ

ନଭେମ୍ବର ୧୫ ତାରିଖ ସୁଦ୍ଧା କର୍ମଚାରୀମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଆହ୍ୱାନ

ଭୁବନେଶ୍ୱର, ୧୦/୧୧: ଟାଟା ପାୱାର ଡିସକମ୍‌ରେ ଠିକା କର୍ମଚାରୀଙ୍କ ଛଟେଇ ଅଭିଯୋଗକୁ ଖଣ୍ଡନ କରିଛି କମ୍ପାନୀ। କୌଣସି କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇନାହିଁ, ବରଂ ବିଜନେସ୍ ଆସୋସିଏଟ୍‌ (ବିଏ) ଓ ଏଏମସି ଠିକାଦାରଙ୍କ ଦ୍ୱାରା କେବଳ ପୁନଃନିୟୋଜନ ବ୍ୟବସ୍ଥା କରାଯାଇଛି ବୋଲି ସ୍ପଷ୍ଟ କରିଛି ଟାଟା ପାୱାର ଓଡ଼ିଶା ଡିସକମ୍। ଏଥିସହ ନଭେମ୍ବର ୧୫ ତାରିଖ ସୁଦ୍ଧା କର୍ମଚାରୀମାନଙ୍କୁ ନିଜ ନିଜ କାର୍ଯ୍ୟରେ ଯୋଗଦେବାକୁ ଆହ୍ୱାନ ଦେଇଛି କମ୍ପାନୀ।

ଏକ ସାମ୍ବାଦିକ ସମ୍ମିଳନୀ ପରେ ଜାରି ସ୍ପଷ୍ଟୀକରଣରେ ଟାଟା ପାୱାର କହିଛି ଯେ, ରାଜ୍ୟରେ ଏହାର ଡିସକମ୍‌ଗୁଡ଼ିକ ପ୍ରାୟ ୧ କୋଟି ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସେବା ଯୋଗାଉଛନ୍ତି। ଗତ ୬ ବର୍ଷ ମଧ୍ୟରେ ବିଦ୍ୟୁତ୍ ବିତରଣ କ୍ଷତି ହ୍ରାସ ପାଇବା ସହ ସୁରକ୍ଷା ଓ ଗ୍ରାହକ ସେବାରେ ଉନ୍ନତି ଆସିଛି। ଏହି ସମୟ ମଧ୍ୟରେ ଉପଭୋକ୍ତାଙ୍କ ବିଦ୍ୟୁତ୍ ଶୁଳ୍କ ମଧ୍ୟ ଅପରିବର୍ତ୍ତିତ ରହିଥିବା କମ୍ପାନୀ ଦାବି କରିଛି।

କମ୍ପାନୀର ସୂଚନା ଅନୁସାରେ, ଉପଭୋକ୍ତାଙ୍କ ସଂଖ୍ୟା ଓ ବିଦ୍ୟୁତ୍ ଚାହିଦା ବୃଦ୍ଧି ଯୋଗୁଁ ଟିପିସିଓଡିଏଲ୍‌ରେ ଠିକା କର୍ମଚାରୀଙ୍କ ସଂଖ୍ୟା ୨୦୨୦ ମସିହାରେ ପ୍ରାୟ ୬ ହଜାର ଥିବାବେଳେ ଏବେ ଏହା ୧୫ ହଜାର ୩୦୦ରେ ପହଞ୍ଚିଛି। ସେହିପରି ସମସ୍ତ ଡିସକମ୍‌କୁ ମିଶାଇ ଠିକା କର୍ମଚାରୀଙ୍କ ସଂଖ୍ୟା ୫୫ ହଜାରରୁ ଅଧିକ ହୋଇଛି। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କୌଣସି ଠିକା କର୍ମଚାରୀଙ୍କୁ ଛଟେଇ କରାଯାଇନଥିବା ଟାଟା ପାୱାର ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ, ଟିପିସିଓଡିଏଲ୍‌ର ପ୍ରାୟ ୧୫ ହଜାର ୩୦୦ ଠିକା କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୩୭୪ ଜଣଙ୍କୁ ପୁନଃନିୟୋଜନ ପାଇଁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ପ୍ରାୟ ୨୦୦ ଜଣ କର୍ମଚାରୀ ନୂତନ କାର୍ଯ୍ୟସ୍ଥଳରେ ଯୋଗ ଦେଇସାରିଥିବା କମ୍ପାନୀ ସ୍ପଷ୍ଟ କରିଛି।

ଯେଉଁ କର୍ମଚାରୀମାନେ ପୁନଃ କାର୍ଯ୍ୟରେ ଯୋଗଦେବାକୁ ଚାହୁଁଛନ୍ତି, ସେମାନେ ନଭେମ୍ବର ୧୫ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେଇପାରିବେ। ଯଦି କୌଣସି କର୍ମଚାରୀ ଅନୁପସ୍ଥିତ ରହନ୍ତି, ତେବେ ଓଡ଼ିଶାର ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ବିଜନେସ୍ ଆସୋସିଏଟ୍‌ମାନେ ବିକଳ୍ପ ବ୍ୟବସ୍ଥା କରିବାକୁ ବାଧ୍ୟ ହେବେ ବୋଲି ଟାଟା ପାୱାର କହିଛି।