ଇସ୍କନ୍ ପକ୍ଷରୁ ଭବ୍ୟ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଗୋମାତାଙ୍କ ସେବା ଓ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର

ଭୁବନେଶ୍ୱର, ୧୦/୧୧: ଭୁବନେଶ୍ୱରସ୍ଥିତ ଇସ୍କନ୍ ଗୋଶାଳା ପକ୍ଷରୁ ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗିରି ଗୋବର୍ଦ୍ଧନଙ୍କ ସମ୍ମୁଖରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପବିତ୍ର ଅଭିଷେକ କରାଯିବା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଗ ଓ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା।

ଏହି ପବିତ୍ର ଅବସରରେ ଶ୍ରୀପାଦ କୃଷ୍ଣ ଗତି ଦାସଙ୍କ ଦ୍ୱାରା ଗିରି ଗୋବର୍ଦ୍ଧନ ପୂଜାର ଧାର୍ମିକ, ଆଧ୍ୟାତ୍ମିକ ଓ ପୌରାଣିକ ମହତ୍ତ୍ୱ ଉପରେ ଏକ ବିଶେଷ ପ୍ରବଚନ ଆୟୋଜିତ ହୋଇଥିଲା। ଏଥିସହ ଗୋମାତାଙ୍କ ପୂଜନ ଓ ଆରାଧନା କରାଯାଇଥିଲା। ଏହି ଭବ୍ୟ ଧାର୍ମିକ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଯୋଗଦାନ ଫଳରେ ସମଗ୍ର ପରିବେଶ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଭାବନାରେ ପରିପୂର୍ଣ୍ଣ ହୋଇଉଠିଥିଲା।

ଏହି ଧାର୍ମିକ ଆୟୋଜନରେ ଇସ୍କନ୍‌ର ସହ-ସଭାପତି ଉପେନ୍ଦ୍ର ମିଶ୍ର ଦାସ, ସହ-ସଭାପତି ଶାଶ୍ୱତ ପତି ଦାସ, କାଶୀନାଥ ପଣ୍ଡିତ ଦାସ ଏବଂ ରାଜ୍ୟ ପ୍ରଚାର ଅଧିକାରୀ ରାଧାକାନ୍ତ ଦାସଙ୍କ ସମେତ ଇସ୍କନ୍‌ର ଅନ୍ୟାନ୍ୟ କର୍ମକର୍ତ୍ତା ଓ ବହୁ ଭକ୍ତବୃନ୍ଦ ଉପସ୍ଥିତ ଥିଲେ।

ପୌରାଣିକ କଥାନୁସାରେ, ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଧାରଣ କରି ବ୍ରଜବାସୀଙ୍କୁ ଇନ୍ଦ୍ରଙ୍କ ପ୍ରକୋପରୁ ରକ୍ଷା କରିଥିଲେ। ଭଗବାନଙ୍କ ଏହି ଦିବ୍ୟ ଲୀଳା ମାନବ ସମାଜକୁ ପ୍ରକୃତି, ପରିବେଶ, ଗୋମାତା ଓ ସମଗ୍ର ଜୀବଜଗତ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ସହାବସ୍ଥାନର ମହାନ ବାର୍ତ୍ତା ପ୍ରଦାନ କରିଥାଏ।

ଏହି ଅବସରରେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଗିରି ଗୋବର୍ଦ୍ଧନ ପୂଜାରେ ଯୋଗଦେଇ ଗୋମାତାଙ୍କ ସେବା ଓ ସୁରକ୍ଷାର ମହତ୍ତ୍ୱ ଉପରେ ନିଜର ମତ ରଖିଥିଲେ। ଏହି ମହତ୍ କାର୍ଯ୍ୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ସହଯୋଗର ହାତ ବଢ଼ାଇବା ସହ ଗୋମାତାଙ୍କ ସେବା ଓ ସୁରକ୍ଷା ପାଇଁ ଆଗେଇ ଆସିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ।