ସମ୍ବଲପୁର ମହୋତ୍ସବ – ୨୦୨୬: ଆକର୍ଷଣୀୟ ‘ସମଲେଇ ବରନ୍‌’ ଓ ଶୋଭାଯାତ୍ରା

ନଭେମ୍ବର ୧୫ରୁ ଅନୁଷ୍ଠିତ ହେବ ମହୋତ୍ସବ

ସମ୍ବଲପୁର, ୧୦/୧୧: ସମ୍ବଲପୁର ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ‘ସମଲେଇ ବରନ୍‌’ ଏବଂ ଦୀର୍ଘତମ ସାଂସ୍କୃତିକ ଶୋଭାଯାତ୍ରା ସହରରେ ଏକ ଭବ୍ୟ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ମାଁ ସମଲେଶ୍ୱରୀ ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ବିଶାଳ ପଟୁଆର କୁଞ୍ଜେଲ୍‌ପଡ଼ା, ବଡ଼ ସଡ଼କ, ମୁଦିପଡ଼ା, ଜିଏମ୍‌ୟୁ, ଫାଟକ ଏବଂ ବୁଢ଼ାରଜା ଦେଇ ବୀର୍‌ସା ମଏଦାନ୍‌ (ପିଏଚ୍‌ଡ଼ି ପଡ଼ିଆ) ପର୍ଯ୍ୟନ୍ତ ପ୍ରାୟ ୯-୧୦ କିଲୋମିଟର ପଥ ଅତିକ୍ରମ କରିଥିଲା।

ସକାଳ ୯ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶୋଭାଯାତ୍ରାକୁ ଯୁବ ନେତ୍ରୀ ଶୁଭଶ୍ରୀ ମିଶ୍ର ମାଁ‌ଙ୍କ ଝଣ୍ଡା ଉଡ଼ାଇ ଶୁଭାରମ୍ଭ କରିଥିଲେ। ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାଏଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଶହ ଶହ କଳାପ୍ରେମୀ, ଛାତ୍ରଛାତ୍ରୀ ଓ ନାଗରିକମାନେ ପାରମ୍ପରିକ ପୋଷାକରେ ସାମିଲ ହୋଇ ଢୋଲ, ନିଶାନ୍, ତାସା ଓ ଝାଞ୍ଜର ତାଳେ ତାଳେ ନାଚିଥିଲେ। ପୂରା ରାସ୍ତାରେ ସାଧାରଣ ଜନତା ଫୁଲ ବର୍ଷା ଓ ଝୋଟି ପକାଇ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ ଜଣାଇଥିଲେ।

ଏହି ସାଂସ୍କୃତିକ ମହୋତ୍ସବ ଚଳିତ ନଭେମ୍ବର ମାସ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଅନୁଷ୍ଠିତ ହେବ। ଏହାସହ ପଡ଼ିଆରେ ମନ୍‌ହରି ହାଟ୍‌ ଓ ମୀନା ବଜାର ଆସନ୍ତା ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।

“ଜୟ ମ’ ସମଲେଶ୍ୱରୀ, ଆମର୍‌ ଅସ୍ମିତା ଜଗତ୍‌ ଜିତା” ଧ୍ୱନି ସହ ଏହି ଶୋଭାଯାତ୍ରାର ଶୁଭାରମ୍ଭ ହୋଇଯାଇଛି।