ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତା ଦାୟୀ: ରାଜସ୍ୱ ମନ୍ତ୍ରୀ
‘ଆବଶ୍ୟକରୁ ଅଧିକ ବର୍ଷା ହେବାରୁ ସ୍ଥିତି ବିଗିଡ଼ିଛି’
ଭୁବନେଶ୍ୱର, ୧୨/୧୧: ଗଞ୍ଜାମ ବନ୍ୟା ପରିସ୍ଥିତିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଦାୟୀ କରିଥିବା ବେଳେ ଏହା ଉପରେ ବର୍ଷିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବନ୍ୟା ପରିଚାଳନାରେ ପୂର୍ବର ୨୪ ବର୍ଷର ସରକାରଙ୍କ ବିଫଳତାକୁ ଦାୟୀ କରିଛନ୍ତି ମନ୍ତ୍ରୀ। ଗଞ୍ଜାମର ବିଭିନ୍ନ ନଦୀ ଓ ଡ୍ୟାମ୍ରେ ଜଳ ପରିଚାଳନା ବ୍ୟବସ୍ଥାକୁ ନେଇ ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଭିନ୍ନ ନଦୀରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଟୋମେଟିକ୍ ରଖାଯାଇଥିବା ବେଳେ ଅତ୍ୟଧିକ ବର୍ଷା ଯୋଗୁଁ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଆଇଏମଡିର ପାଣିପାଗ ଆକଳନ ଆଧାରରେ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଆକଳନଠାରୁ ଅଧିକ ବର୍ଷା ହେବାରୁ ପରିସ୍ଥିତି ବିଗିଡ଼ିଥିଲା। ବିଶେଷକରି ୨୮, ୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମରେ ବନ୍ୟା ସ୍ଥିତି ଉପୁଜିଥିଲା।
ମାତ୍ର ୩ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୩୩୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ସେହିପରି ପାତ୍ରପୁରରେ ଏହି ସମୟ ମଧ୍ୟରେ ୮୦୮.୪ ମିଲିମିଟର ବର୍ଷା ହୋଇଥିବା ବେଳେ କେବଳ ଗୋଟିଏ ଦିନରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଏତେ ପରିମାଣର ବର୍ଷା ଯୋଗୁଁ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ବନ୍ୟା ପରିସ୍ଥିତିର ମୁକାବିଲା ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ଏଭଳି ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ଏବଂ ଜଳ ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ଆଇଆଇଟି ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
୨୪ ବର୍ଷର ସରକାର ନିଜ ବିଫଳତା ଲୁଚାଇବାକୁ ଆମକୁ ଦୋଷ ଦେଉଛନ୍ତି। ଆସନ୍ତା ବିଧାନସଭାରେ ବିରୋଧୀ ତଥ୍ୟ ସହ ଉତ୍ତର ଦେବାକୁ ଅନୁରୋଧ କରୁଛୁ। ତିତିଲି ସମୟରେ ୭୨ ଓ ଫନି ସମୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଆମ ସରକାରରେ ଜିରୋ କାଜୁଆଲିଟିକୁ ଆମେ ପ୍ରାଥମିକତା ଦେଉଛୁ। ମାତ୍ର ପାହାଡରୁ ପଥର ଖସିବାର କୌଣସି ପୂର୍ବାନୁମାନ ନ ଥାଏ ବୋଲି ମନ୍ତ୍ରୀ କହିଛନ୍ତି।