ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ: ବିଜେଡି

ମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି

ରୋଜଗାର ଓ ଖର୍ଚ୍ଚରେ ସନ୍ତୁଳନ ହରାଇ ଚାପଗ୍ରସ୍ତ ଓଡ଼ିଶାବାସୀ

ଭୁବନେଶ୍ୱର, ୧୩/୧୧: ଡବଲ ଇଞ୍ଜିନ ସରକାର ରାଜ୍ୟରେ ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ସାଧାରଣ ଖାଉଟିଙ୍କ ରୋଜଗାର ଓ ଖର୍ଚ୍ଚ ଦିନକୁ ଦିନ ଅସନ୍ତୁଳିତ ହୋଇପଡୁଛି । ଯାହାଫଳରେ ଚାପଗ୍ରସ୍ତ ହେଉଛନ୍ତି ସାଧାରଣ ଖାଉଟି ।

ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୬ରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୧୭%ରେ ପହଞ୍ଚିଛି, ଯାହା ଜାତୀୟ ହାରାହାରି ୬.୦୯% ଠାରୁ ବହୁତ ଅଧିକ । ଏହା ବଡ଼ ରାଜ୍ୟମାନଙ୍କ ମଧ୍ୟରେ ୫ମ ସର୍ବୋଚ୍ଚ ସ୍ଥାନରେ ଅଛି । ଗ୍ରାମାଞ୍ଚଳରେ ଏହା ୭.୭୪% ଏବଂ ସହରାଞ୍ଚଳରେ ୫.୬୩% ରହିଛି । ରାଜ୍ୟର ଗ୍ରାମୀଣ ପରିବାର ଅଧିକ ଭାବରେ ପ୍ରଭାବିତ ହେଉଛନ୍ତି । ଖାଦ୍ୟ ଦ୍ରବ୍ୟର ଦରବୃଦ୍ଧି ହିଁ ଏହାର ମୁଖ୍ୟ କାରଣ । ପିଆଜର ଦାମ୍ ପ୍ରାୟ ୧୧୬% ବୃଦ୍ଧି ପାଇଛି, ରସୁଣ ୬୧% ଏବଂ ଲେମ୍ବୁ ୪୭% ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ଖାଦ୍ୟ ମୁଦ୍ରାସ୍ଫୀତି ସେପ୍ଟେମ୍ବର ମାସରେ ୭.୭୪% ଥିବାବେଳେ ଅକ୍ଟୋବର ମାସରେ ଏହା ବୃଦ୍ଧି ପାଇ ୮.୯୪%ରେ ପହଞ୍ଚିଛି । ଏହା ସାଧାରଣ ଲୋକଙ୍କ ରୋଜଗାର ଉପରେ ଚାପ ସୃଷ୍ଟି କରିଛି ।

ବିଜେପି ସରକାର “ଡବଲ ଇଞ୍ଜିନ, ଡବଲ ବିକାଶ” କହି ଲୋକଙ୍କୁ ଆଶା ଦେଇଥିଲେ । କିନ୍ତୁ ବାସ୍ତବରେ ଏହା “ଡବଲ ପ୍ରତାରଣା” ହୋଇଛି । ଗତ ୨ ବର୍ଷରେ ଓଡ଼ିଶାର ମୁଦ୍ରାସ୍ଫୀତି ବାରମ୍ୱାର ଜାତୀୟ ହାରାହାରି ଠାରୁ ଅଧିକ ରହିଛି । ସେପ୍ଟେମ୍ୱରରେ ୬.୭୧% ଥିଲା, ଯାହା ଅକ୍ଟୋବରରେ ଆହୁରି ବଢ଼ିଛି । ଏହା ଦେଖାଏ ଯେ ସରକାର ନିୟନ୍ତ୍ରଣ ପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେଇନାହାନ୍ତି । ତୁରନ୍ତ ଖାଦ୍ୟ ଦ୍ରବ୍ୟର ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ । ଗ୍ରାମାଞ୍ଚଳର ଲୋକଙ୍କୁ ସହାୟତା ପ୍ରଦାନ କରାଯାଉ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସକ୍ରିୟ ହୋଇ କାର୍ଯ୍ୟ କରୁ । ସାଧାରଣ ଜନତାର ଦୁଃଖକୁ ଅଣଦେଖା କରି କେବଳ ପ୍ରଚାର କରିବା ପରିବର୍ତ୍ତେ, ବିଜେପି ସରକାର ପ୍ରତିବଦ୍ଧତାର ସହ ଲୋକଙ୍କ କଷ୍ଟ ଦୂର କରନ୍ତୁ ।