ରାୟଗଡା, ୧୪/୧୧(ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସହରର ତିନିକୋଣିଆ ଛକ ନିକଟରେ ଥିବା ମୁରଲୀ ସୁନା ଦୋକାନରୁ ବଡ଼ ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନର ପଛପଟ କାନ୍ଥ ଖୋଳି ଭିତରେ ପ୍ରବେଶ କରି ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି।
ଦୋକାନ ମାଲିକ ଆଇ. ମୁରଲୀ ଆଚାରୀଙ୍କ ସୂଚନା ଅନୁଯାୟୀ, ଦୋକାନରୁ ୧୦ କିଲୋଗ୍ରାମରୁ ଅଧିକ ରୁପା ଓ ପ୍ରାୟ ୨୦ ଗ୍ରାମ ସୁନା ଚୋରି ହୋଇଛି। ଘଟଣା ଜଣାପଡ଼ିବା ପରେ ମୁନିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ଦୋକାନର ପଛପଟ କାନ୍ଥ ଖୋଳାଯାଇ ଚୋରି ହୋଇଥିବାରୁ ଘଟଣାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଚୋରିରେ କେତେଜଣ ସମ୍ପୃକ୍ତ ଅଛନ୍ତି ଏବଂ ଲୁଟ୍ ସାମଗ୍ରୀ କେଉଁଠାକୁ ନିଆଯାଇଛି, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।