ଦଶପଲ୍ଲା, ୧୪/୧୧: ସଡ଼କ ଦୁର୍ଘଟଣା ରୋକିବା ସହ ଜନସାଧାରଣଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଛା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଇତ୍ୟବସରରେ ବାଣିଗୋଛା ବଜାରରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିବା ବେଳେ ବାଣିଗୋଛା ହାଇସ୍କୁଲ ପରିସରରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଉପରେ ଏକ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ବାଣିଗୋଛା ଥାନା ଅଧିକାରୀ ଶିବପ୍ରସାଦ ଭଦ୍ର, ବିଦ୍ୟାଳୟର ପ୍ରଧାନଶିକ୍ଷକ ରେବତୀ ରମଣ ବେହେରା, ଓଏସଏସଏଫ୍ ପ୍ଲାଟୁନ୍ କମାଣ୍ଡର ଶଙ୍କର ପାଇକରାୟ ଓ ଏସ୍ଆଇ ବିରେନ୍ଦ୍ର କୁମାର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଥାନା କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ। ଏଥି ସହିତ ଗାଡ଼ି ଚାଳନା ସମୟରେ ହେଲମେଟ୍ ଓ ସିଟ୍ବେଲ୍ଟର ବ୍ୟବହାର, ଟ୍ରାଫିକ୍ ନିୟମର ଅନୁପାଳନ ଏବଂ ଦ୍ରୁତଗତିରେ ଗାଡ଼ି ନଚଳାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।