ପାତ୍ରପୁରର ୨୪୬୮ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

‘ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ-୨୦୨୬’ର ଶୁଭାରମ୍ଭ

ପାତ୍ରପୁର, ୧୪/୧୧ (ସୁରେଶ କୁମାର ପଟ୍ଟନାୟକ): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ସରକାରୀ ସହାୟତା ଆଶାରେ ରହିଥିବା ବୟୋଜ୍ୟେଷ୍ଠ, ଭିନ୍ନକ୍ଷମ ଓ ଅସହାୟଙ୍କ ମୁହଁରେ ଫୁଟିଛି ଖୁସିର ହସ। ପାତ୍ରପୁର ବ୍ଲକ୍ ଓ ଏନ୍‌ଏସିର ୨୪୬୮ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯାଇଛି। ପୂର୍ବ ସରକାର ସମୟରେ ଏମିତି ଏକାଥରକେ ଏତେ ସଂଖ୍ୟକ ଲୋକଙ୍କୁ ଭତା ବଣ୍ଟନ ବ୍ୟବସ୍ଥା ହୋଇଥିବା ଆମେ କେବେ ଦେଖିନଥିଲୁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଏହି ଅବସରରେ ସମନ୍ତିଆପଲ୍ଲୀସ୍ଥିତ ମହନ୍ତ ଶ୍ରୀ ପରଙ୍କୁଶ ବିଦ୍ୟାପୀଠ ଷ୍ଟାଡିୟମରେ ‘ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ-୨୦୨୬’ର ଶୁଭାରମ୍ଭ ସହ ବ୍ଲକସ୍ତରୀୟ ଭତ୍ତା ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁରି ପତ୍ର ଓ ସହାୟତା ରାଶି ପ୍ରଦାନ କରିଥିଲେ। ସମାଜର ଶେଷ ଧାଡ଼ିରେ ଥିବା ପ୍ରକୃତ ଯୋଗ୍ୟ ଓ ଅସହାୟଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।

ଏଥିରେ ସାଂସଦ ପ୍ରତିନିଧି ମିନା ଦ୍ୟାନସାମନ୍ତରା, ବିଡିଓ ଲକ୍ଷ୍ମଣ ଚରଣ ସୋରେନ,ଲଳିତା ପ୍ରଧାନ, ଅନାଦି ପଣ୍ଡିତ, ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାଗତ ଭାଷଣ ଦେବା ସହ ନୂତନ ପୋର୍ଟାଲ ର ଉଦ୍ଦେଶ୍ୟ ଓ ଉପକାରିତା ବିଷୟରେ ସୂଚନା ଦେଇଥିଲେ। ଭତ୍ତା ବଣ୍ଟନରେ ବ୍ଲକ୍ ଓ ଏନ୍‌ଏସି କର୍ମଚାରୀଙ୍କ ସହ ସ୍ଥାନୀୟ ପୁଲିସ ପ୍ରଶାସନ ସହଯୋଗ କରିଥିଲେ।