ବିଜେଇଏମ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ ଅମୂଳକ ଓ ଭିତ୍ତିହୀନ
ପୂର୍ବତନ ଶିକ୍ଷୟିତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କଲେ କର୍ତ୍ତୃପକ୍ଷ
ଭୁବନେଶ୍ୱର, ୧୮/୧୧: ବିଜେଇଏମ୍ ସ୍କୁଲର ସମ୍ପାଦକ ପ୍ରତାପ ଜେନାଙ୍କ ସମେତ ଅନ୍ୟ ପରିଚାଳକଙ୍କ ବିରୋଧରେ ଜଣେ ପୂର୍ବତନ ଶିକ୍ଷୟିତ୍ରୀ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଏହା ବିଦ୍ୟାଳୟର ସୁନାମ ଓ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତି।
କଳ୍ପନା ଛକ ନିକଟସ୍ଥ ବିଜେଇଏମ୍ ସ୍କୁଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ କର୍ତ୍ତୃପକ୍ଷ ନିଜ ପକ୍ଷ ରଖିଥିଲେ। ବିଜେ ଏଜୁକେସନ ସୋସାଇଟିର ସଭାପତି ରଘୁନାଥ ମିଶ୍ର, ବିଜେଇଏମ୍ ସ୍କୁଲର ଅଧ୍ୟକ୍ଷା ସନ୍ଧ୍ୟା ଜେନା, ବିଜେଇଏମ୍-୨ର ଅଧ୍ୟକ୍ଷ ବରଦା ପ୍ରସାଦ ପାଇକରାୟ, ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳକ ଶିଶିର ରାଉତଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ।
କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ସମ୍ପୃକ୍ତ ଶିକ୍ଷୟିତ୍ରୀ ବିଜେଇଏମ୍-୨ରେ କାର୍ଯ୍ୟରତ ଥିବା ସମୟରେ ବରିଷ୍ଠ ଶିକ୍ଷକଙ୍କୁ ଅସମ୍ମାନ ପ୍ରଦର୍ଶନ, ଛାତ୍ରଛାତ୍ରୀଙ୍କୁ ଶାରୀରିକ ଦଣ୍ଡ ଦେବା ଏବଂ ବିଦ୍ୟାଳୟର ନିୟମ ଉଲ୍ଲଂଘନ ଭଳି ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ଏଥିପାଇଁ ତାଙ୍କୁ ଏକାଧିକ ଥର ଚେତାବନୀ ଦିଆଯିବା ସହ ମେମୋ ମଧ୍ୟ ଜାରି କରାଯାଇଥିଲା।
ସେ ୨୦୨୪ ଅଗଷ୍ଟ ୨ ତାରିଖରେ ଇ-ମେଲ୍ ଯୋଗେ ନିଜ ଇସ୍ତଫାପତ୍ର ପଠାଇଥିଲେ। ପରବର୍ତ୍ତୀ ସମୟରେ ୨୦୨୫ ମେ ୨୭ ତାରିଖରେ ପୁନଃ ନିଯୁକ୍ତି ପାଇଁ ଆବେଦନ କରିଥିଲେ ମଧ୍ୟ ପୂର୍ବ କାର୍ଯ୍ୟକାଳ ସନ୍ତୋଷଜନକ ନଥିବାରୁ ତାଙ୍କ ଆବେଦନକୁ ଗ୍ରହଣ କରାଯାଇନଥିଲା।
କାର୍ଯ୍ୟରତ ଥିବା ସମୟରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ନିର୍ଯାତନା କିମ୍ବା ଅନ୍ୟ କୌଣସି ଅନ୍ୟାୟ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ କୌଣସି ଅଭିଯୋଗ କରିନଥିଲେ। ଇସ୍ତଫା ଦେବାର ପ୍ରାୟ ଦୁଇ ବର୍ଷ ପରେ ଏଭଳି ଅଭିଯୋଗ ଆଣିବା ପଛରେ ବିଦ୍ୟାଳୟକୁ ବଦନାମ କରିବାର ଉଦ୍ଦେଶ୍ୟ ରଖି ସେ ଏଭଳି ଅଭିଯୋଗ ଆଣିଛନ୍ତି।
ଅନ୍ୟପକ୍ଷରେ, ସମ୍ପୃକ୍ତ ପୂର୍ବତନ ଶିକ୍ଷୟିତ୍ରୀ ରାଜ୍ୟ ମହିଳା ଆୟୋଗଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହି ଅଭିଯୋଗର ତଦନ୍ତ କରି ବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି ନିଜ ରିପୋର୍ଟ ମହିଳା ଆୟୋଗଙ୍କୁ ପ୍ରଦାନ କରିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।