ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଧକ୍କା ଦେଇ ଫେରାର ମାରିଲା ଅଜଣା ଗାଡ଼ି

କଲ୍ୟାଣସିଂହପୁର, ୧୯/୧୧ (ନରସିଂହ ନାଥ ମହାପାତ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯିବା ଘଟଣା ଅଞ୍ଚଳରେ ଶୋକ ଓ ଉଦ୍‌ବେଗ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ବୁଡ଼ାଗୁଡ଼ା ଗ୍ରାମର ଦୁଇଜଣ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ଦ୍ରୁତଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଗାଡ଼ିଟି ଅଟକିବା ପରିବର୍ତ୍ତେ ସେଠାରୁ ଚାଲିଯାଇଥିଲା। ଏହି ଦୁର୍ଘଟଣାରେ ସାମନ୍ତ ଗାଣ୍ଟା (୬୨) ମୃତ୍ୟୁ ହୋଇଥିବା ବେଳେ କୁମାରସ୍ୱାମୀ ନାଏକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ଖବର ପାଇ ପରିବାର ଲୋକେ ପହଞ୍ଚିବା ପରେ ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ଦେଖି କାନ୍ଦବୋବାଳିରେ ପରିବେଶ ଶୋକାକୁଳ ହୋଇପଡ଼ିଥିଲା। ସ୍ଥାନୀୟ ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ପରେ ଗୁରୁତର ବ୍ୟକ୍ତିକୁ ରୋଗୀବୁହା ଗାଡ଼ି ଯୋଗେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସମ୍ୟରଞ୍ଜନ ଜେନା ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ ଚିକିତ୍ସା ପରେ ସୁସ୍ଥ ଥିବା ସୂଚନା ଦେଇଥିଲେ । ମୃତ୍ୟ ବ୍ୟକ୍ତି ଏକ ଅଟୋଯୋଗେ ଶବ ବ୍ୟବଛେଦ ପାଇ ମେଡିକାଲ ଅଣାଯାଇଛି।ଅନ୍ୟପକ୍ଷରେ ଦୁର୍ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା ଏବଂ ଧକ୍କା ଦେଇ ଫେରାର ହୋଇଥିବା ଗାଡ଼ିଟି କେଉଁଠାର ତାହା ଜାଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏନେଇ କଲ୍ୟାଣସିଂହପୁର ଥାନା ଅଧିକାରୀ ଅଜିତ ପରିଡ଼ା ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି। ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି।