୧.୨୩ କୋଟି ଟଙ୍କା ହଡ଼ପ ମାମଲାରେ ବରିଷ୍ଠ ସହାୟକ ଗିରଫ

ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାଁରେ କରୁଥିଲେ ଜାଲ ବିଲ୍

ଅନୁଗୋଳ, ୨୧/୧୧: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଜଣେ ବରିଷ୍ଠ ସହାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍‌ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହାୟକ ଅଜୟ କୁମାର ନାୟକଙ୍କୁ ୧ କୋଟି ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଗିରଫ କରାଯାଇଛି। ଅବସରପ୍ରାପ୍ତ ଓ ମୃତ ସରକାରୀ କର୍ମଚାରୀଙ୍କ ନାଁରେ ଜାଲ୍ ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଜୟ ନାୟକ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍‌ଓ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଏହି ବିଭାଗରେ କର୍ମଚାରୀଙ୍କ ଦରମା, ଅବ୍ୟବହୃତ ଛୁଟି ବାବଦ ପ୍ରାପ୍ୟ ଏବଂ ବକେୟା ଅର୍ଥ ପ୍ରଦାନ ସମ୍ପର୍କିତ କାର୍ଯ୍ୟ ତାଙ୍କ ଦାୟିତ୍ୱରେ ଥିଲା। ଏହି ସୁଯୋଗରେ ସେ HRMS ପୋର୍ଟାଲରେ ଅନଲାଇନ୍ ଅର୍ଥ ପ୍ରଦାନ ରେକର୍ଡରେ ହେରଫେର କରି ଜାଲିଆତି କରିଥିବା ଅଭିଯୋଗ ହୋଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ୨୦୧୯ ଜାନୁଆରୀ ୧ ତାରିଖରୁ ୨୦୨୫ ଜୁନ୍ ୩୦ ତାରିଖ ମଧ୍ୟରେ ମୋଟ ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା ଆତ୍ମସାତ୍ କରାଯାଇଛି। ଅବସର ନେଇଥିବା ଏବଂ ମୃତ କର୍ମଚାରୀଙ୍କ ନାଁରେ ଅବ୍ୟବହୃତ ଛୁଟି ବାବଦ ପ୍ରାପ୍ୟ ଓ ବକେୟା ଦରମା ପ୍ରଦାନ ପାଇଁ ଜାଲ୍ ଦାବିପତ୍ର ପ୍ରସ୍ତୁତ କରାଯାଉଥିଲା। ଏହାପରେ HRMS ପୋର୍ଟାଲ ମାଧ୍ୟମରେ ଅର୍ଥ ମଞ୍ଜୁର କରାଇ ଟ୍ରେଜେରି ଜରିଆରେ NEFT ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରାଯାଉଥିଲା।

ଏହି ଅର୍ଥ ପ୍ରକୃତ ହିତାଧିକାରୀଙ୍କ ଆକାଉଣ୍ଟକୁ ନଯାଇ ଅଭିଯୁକ୍ତ ଅଜୟ ନାୟକଙ୍କ ନିଜ ବ୍ୟାଙ୍କ ଖାତା ସମେତ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ ଯାଇଥିବା ତଦନ୍ତରୁ ଜଣାପଡ଼ିଛି।

ଅର୍ଥ ଆତ୍ମସାତ୍ ଘଟଣା ସାମ୍ନାକୁ ଆସିବା ପରଠାରୁ ଅଜୟ ନାୟକ ଗତ ଅକ୍ଟୋବର ମାସରୁ ଫେରାର ଥିଲେ। ଭିଜିଲାନ୍ସ ଟିମ୍ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା। ଶେଷରେ ଅନୁଗୋଳ ସହରରେ ଏକ କାର୍‌ରେ ଘରକୁ ଫେରୁଥିବା ସମୟରେ ଗତ ରାତିରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍।

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪୪/୨୦୨୬ରେ ମାମଲା ରୁଜୁ ହୋଇଛି। ଅଜୟ ନାୟକଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରାରେ ମାମଲା ହୋଇଛି।