ନବରଙ୍ଗପୁର, ୨୧/୧୧: ନବରଙ୍ଗପୁର ଜିଲ୍ଲା ଉମରକୋଟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତ ଦୀର୍ଘ ୧୯ ବର୍ଷ ପରେ ଏକ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ଶୁଣାଇ ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ପ୍ରତ୍ୟେକ ଦୋଷୀଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ହତ୍ୟାକାଣ୍ଡ ୨୦୦୭ ମସିହାରେ ଜମିଜମା ବିବାଦକୁ କେନ୍ଦ୍ର କରି ଘଟିଥିଲା। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁନୀତା ପଟ୍ଟନାୟକ ୨୨ ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଦୋଷୀମାନଙ୍କୁ ଆଉ ଏକ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ସଲିମ ଭତ୍ରା, ରୂପଧର ଭତ୍ରା, ଲଛିମୀ ଭତ୍ରା, ରବି ଭତ୍ରା, ମଙ୍ଗୁଳୁ ଭତ୍ରା, ଲକ୍ଷ୍ମୀଧର ଭତ୍ରା, ରାମ ଭତ୍ରା ଏବଂ ବନ୍ଧୁକ ଭତ୍ରାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ବିଦ୍ୟା ଭତ୍ରା ଏବଂ ହରିଚାନ୍ଦ ଭତ୍ରାଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।