ଭୁବନେଶ୍ୱର, ୨୧/୧୧: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ଗତ ଗୁରୁବାର ହୋଇଥିବା ୧୫ ଦିନିଆ ଆଗୁଆ ଆକଳନରୁ ସୂଚନା ମିଳିଛି। ତେବେ ଏହି ଘୂର୍ଣ୍ଣିବଳୟ କେବେ ଓ କେଉଁଠାରେ ସୃଷ୍ଟି ହେବ, ତାହା ଏବେଠାରୁ ସ୍ପଷ୍ଟ ହୋଇନାହିଁ।
ସାଧାରଣତଃ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ବଙ୍ଗୋପସାଗରରେ ୪ରୁ ୫ଟି ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏପର୍ଯ୍ୟନ୍ତ ୩ଟି ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇସାରିଛି। ୧୯୮୭ ମସିହା ପରଠାରୁ ଏଭଳି ସ୍ଥିତି ପ୍ରଥମ ଥର ପାଇଁ ଦେଖାଦେଇଥିବା ଡ. ମହାପାତ୍ର କହିଛନ୍ତି। ଏହା ପଛରେ ଶକ୍ତିଶାଳୀ ଏଲ୍ ନିନୋର ପ୍ରଭାବ ଥାଇପାରେ ବୋଲି ସେ କହିଛନ୍ତି। ୧୯୮୭ ଏଲ୍ନିନୋ ବର୍ଷ ଥିଲା ତେଣୁ ସେତେବେଳେ ସ୍ବଳ୍ପ ବୃଷ୍ଟିପାତ ହୋଇଥିଲା, ଏଥର ବି ସ୍ବଳ୍ପ ବୃଷ୍ଟିପାତ ହେବ।
ଏଲ୍ ନିନୋ ପ୍ରଭାବରେ ବାୟୁମଣ୍ଡଳ ଓ ସମୁଦ୍ରର ସ୍ଥିତିରେ ପରିବର୍ତ୍ତନ ହୋଇଥାଏ। ଏହା ଫଳରେ ପାଣିପାଗ ପ୍ରଣାଳୀର ଗତିବିଧି ଉପରେ ପ୍ରଭାବ ପଡ଼ିଥାଏ। ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟର ଉତ୍ପତ୍ତିସ୍ଥଳ, ଗତିପଥ ଓ ତୀବ୍ରତା ସମ୍ପର୍କରେ ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ଆକଳନ କରାଯାଇନାହିଁ। ଏହା ଘୂର୍ଣ୍ଣିବାତ୍ୟାର ରୂପ ନେବ କି ନାହିଁ, ତାହା ମଧ୍ୟ ଏବେଠାରୁ କହିବା ସମ୍ଭବ ନୁହେଁ।