‘ନୀତିଶ ସେତୁ’ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମରେ ନାମିତ ଏହି ସେତୁ
ବିହାର, ୨୧/୧୧: ବିହାରରେ ଗଙ୍ଗା ନଦୀ ଉପରେ ନିର୍ମିତ ବହୁ ପ୍ରତୀକ୍ଷିତ ୬ ଲେନ୍ ବିଶିଷ୍ଟ ‘ନୀତିଶ ସେତୁ’କୁ ଆଜି ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରାୟ ୧୪ ବର୍ଷ ପୂର୍ବେ ଏହି ପ୍ରକଳ୍ପର ପରିକଳ୍ପନା ହୋଇଥିବା ବେଳେ ଦୀର୍ଘ ପ୍ରତୀକ୍ଷା ପରେ ଏହା ସମ୍ପୂର୍ଣ୍ଣ ହୋଇଛି। ଏହି ସେତୁ ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯୋଗାଯୋଗକୁ ଅଧିକ ସୁଗମ କରିବା ସହ ଯାତାୟାତ ସମୟ ହ୍ରାସ କରିବାରେ ସହାୟକ ହେବ।
ପ୍ରାୟ ୪,୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ମୋଟ ଲମ୍ବ ୧୯.୭ କିଲୋମିଟର। ଏଥିରେ ଗଙ୍ଗା ନଦୀ ଉପରେ ୯.୭ କିଲୋମିଟର ଲମ୍ବର ମୁଖ୍ୟ ସେତୁ ରହିଥିବାବେଳେ ଉଭୟ ପାର୍ଶ୍ୱରେ ପ୍ରାୟ ୧୦ କିଲୋମିଟର ଆପ୍ରୋଚ୍ ରୋଡ୍ ନିର୍ମାଣ କରାଯାଇଛି। ପାଟନାର କଚ୍ଚି ଦର୍ଗାହକୁ ବୈଶାଳୀ ଜିଲ୍ଲାର ବିଦୁପୁର ସହ ଏହି ସେତୁ ସଂଯୋଗ କରୁଛି। ଏହା ଏକ ୬ ଲେନ୍ ବିଶିଷ୍ଟ ଏକ୍ସଟ୍ରାଡୋଜ୍ଡ କେବୁଲ୍-ଷ୍ଟେଡ୍ ବ୍ରିଜ୍। ଏହାର ନିର୍ମାଣ ଦ୍ୱାରା ଗଙ୍ଗା ନଦୀ ପାର୍ ହେବା ପାଇଁ ଲୋକଙ୍କୁ ଆଉ ପୂର୍ବଭଳି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
୨୦୧୨ରେ ଗଙ୍ଗା ନଦୀ ଉପରେ ଏକ ନୂତନ ୬ ଲେନ୍ ସେତୁ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା। ୨୦୧୫ ଅଗଷ୍ଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାର ଶିଳାନ୍ୟାସ କରିଥିଲେ। ୨୦୧୭ ଜାନୁଆରୀରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହା ପରେ ୨୦୨୫ ଜୁନ୍ ୨୩ରେ କଚ୍ଚି ଦର୍ଗାହରୁ ରାଘୋପୁର ଦିଆରା ପର୍ଯ୍ୟନ୍ତ ୪.୫୭ କିଲୋମିଟର ଅଂଶ ଯାତାୟାତ ପାଇଁ ଖୋଲାଯାଇଥିଲା।
ଏହି ସେତୁ ନିର୍ମାଣ ହେବା ଦ୍ୱାରା ପାଟନା ଓ ଉତ୍ତର ବିହାରର ବିଭିନ୍ନ ଅଞ୍ଚଳ ମଧ୍ୟରେ ଯାତାୟାତ ଅଧିକ ସହଜ ହେବ। ମହାତ୍ମା ଗାନ୍ଧୀ ସେତୁ ଓ ଜେପି ସେତୁ ଉପରେ ଥିବା ଯାନବାହନ ଚାପ ମଧ୍ୟ ହ୍ରାସ ପାଇବ।
ଏହି ସେତୁକୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମ୍ମାନରେ ‘ନୀତିଶ ସେତୁ’ ନାମ ଦିଆଯାଇଛି। ନଭେମ୍ବର ୧୩ ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏନେଇ ଘୋଷଣା କରିଥିଲେ। ତେବେ ସେତୁର ନାମକରଣକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇଛି। ଆରଜେଡି ନେତାମାନେ ଜୀବିତ ରାଜନେତାଙ୍କ ନାମରେ ସରକାରୀ ପ୍ରକଳ୍ପର ନାମକରଣକୁ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଜେଡିୟୁ ନେତାମାନେ ଏହାକୁ ନୀତିଶ କୁମାରଙ୍କ ବିକାଶମୂଳକ ଅବଦାନର ସ୍ୱୀକୃତି ବୋଲି କହିଛନ୍ତି।