ଗୁଜରାଟ, ୨୨/୧୧: ଗୁଜରାଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ସହ କାର୍ର ମୁହାଁମୁହିଁ ଧକ୍କା ଫଳରେ ୩ ମାସର ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ କାର୍ଟି ଦୁଇ ଫାଳ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ମୃତକମାନେ ଉତ୍ତରାଖଣ୍ଡର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ ଭୁଜ-ଖାଭଡ଼ା ଜାତୀୟ ରାଜପଥରେ ନଭେମ୍ବର ୨୧ ତାରିଖ ଶନିବାର ରାତି ପ୍ରାୟ ୯ଟା ୩୦ରୁ ୧୦ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ କାର୍ ଭୁଜ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଖାଭଡ଼ା ଅଭିମୁଖେ ଆସୁଥିବା ଏକ ମାଲବାହୀ ଟ୍ରେଲର୍ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା।
ଧକ୍କା ଏତେ ଜୋର୍ଦାର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବା ସହ ଦୁଇ ଭାଗ ହୋଇଯାଇଥିଲା। କାର୍ରେ ଥିବା ସମସ୍ତ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ମୃତକମାନେ ଉତ୍ତରାଖଣ୍ଡର ଗଢ଼ୱାଲ ଅଞ୍ଚଳର ବାସିନ୍ଦା। ସେମାନେ କଚ୍ଛର ପ୍ରସିଦ୍ଧ ରଣ ଅଫ୍ କଚ୍ଛ ବୁଲିବାକୁ ଆସିଥିଲେ। ପର୍ଯ୍ୟଟନସ୍ଥଳୀ ବୁଲି ସାରି ଭୁଜ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ମୃତକମାନେ ଭୁଜରେ ନିୟୋଜିତ ଭାରତୀୟ ସେନାର ଯବାନଙ୍କ ପରିବାର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ମୃତକଙ୍କ ମଧ୍ୟରେ ସୌରଭସିଂହ ଜସପାଲସିଂହ ନେଗୀ (୩୨), ତାଙ୍କ ପତ୍ନୀ ସବିତା ଏବଂ ସେମାନଙ୍କର ମାତ୍ର ୩ ମାସର ଝିଅ ଶିବିକା ଅଛନ୍ତି। ସେହିପରି ରିଙ୍କି ନିତିନ ଗୁନସାଇ ଓ ତାଙ୍କ ଝିଅ ବାମିକା ଏବଂ ରାଜେଶ ସିଂହ ରାୱତ ଓ ତାଙ୍କ ୭ ବର୍ଷର ଝିଅ ରକ୍ଷିତାଙ୍କ ମଧ୍ୟ ଏହି ଦୁର୍ଘଟଣାରେ ଜୀବନ ଯାଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଟିମ୍ ମଧ୍ୟ ପହଞ୍ଚିଥିଲେ। କାର୍ଟି ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଉଦ୍ଧାରକାରୀଙ୍କୁ ବହୁ ସମୟ ଲାଗିଥିଲା। ପରେ ସମସ୍ତ ମୃତଦେହକୁ ଭୁଜର ହସ୍ପିଟାଲକୁ ପଠାଯାଇଥିଲା।