ଫିନଲ୍ୟାଣ୍ଡ, ୨୨/୧୧: ବାଲ୍ଟିକ୍ ସାଗରରେ ରୁଷିଆର ଏକ କାର୍ଗୋ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି। ଆକ୍ରମଣ ପରେ ଜାହାଜରେ ଭୟାବହ ନିଆଁ ଲାଗିଯାଇଥିବା ବେଳେ ଜାହାଜରେ ଥିବା ସମସ୍ତ ୧୬ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନ୍ୟପଟେ ଡ୍ରୋନ୍ ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା ଆଶଙ୍କା କରିଛି ଫିନଲ୍ୟାଣ୍ଡ।
ସୂଚନା ଅନୁଯାୟୀ, ରୁଷିଆର ‘ସ୍ପାର୍ଟା-୨’ ନାମକ ଏହି କାର୍ଗୋ ଜାହାଜ ସେଣ୍ଟ ପିଟର୍ସବର୍ଗରୁ କାଲିନିନଗ୍ରାଡ୍ ଅଭିମୁଖେ ଯାଉଥିଲା। ଏହି ସମୟରେ ରୁଷିଆର ଗୋଗଲାଣ୍ଡ ଦ୍ୱୀପର ପଶ୍ଚିମ ଦିଗରେ ଅନ୍ତର୍ଜାତୀୟ ଜଳସୀମା ମଧ୍ୟରେ ଜାହାଜଟି ଦୁଇଟି ଡ୍ରୋନ୍ ଆକ୍ରମଣର ଶିକାର ହୋଇଥିଲା। ଏହାପରେ ଜାହାଜରେ ନିଆଁ ଲାଗିବା ସହ ଏହା କ୍ଷତିଗ୍ରସ୍ତ ହୋଇଥିଲା। ରୁଷିଆର ଲେନିନଗ୍ରାଡ୍ ଅଞ୍ଚଳର ଗଭର୍ଣ୍ଣର ଆଲେକ୍ଜାଣ୍ଡର ଡ୍ରୋଜଡେଙ୍କୋ ମଧ୍ୟ ଦୁଇଟି ଡ୍ରୋନ୍ ଆକ୍ରମଣ ହୋଇଥିବା ନେଇ ସୂଚନା ଦେଇଥିଲେ।
ଆକ୍ରମଣ ପରେ ଜାହାଜରେ ଥିବା ୧୬ ଜଣ କର୍ମଚାରୀ ଲାଇଫ୍ବୋଟ୍ ସାହାଯ୍ୟରେ ବାହାରକୁ ଆସିଥିଲେ। ପରେ ନିକଟରେ ଥିବା ଅନ୍ୟ ଏକ ରୁଷୀୟ ଜାହାଜ ସେମାନଙ୍କୁ ଉଦ୍ଧାର କରିଥିଲା। ସମସ୍ତ କର୍ମଚାରୀଙ୍କୁ ଫେରାଇ ରୁଷିଆ ନିଆଯାଉଥିବା ଫିନଲ୍ୟାଣ୍ଡର ବର୍ଡର ଗାର୍ଡ ଅଧିକାରୀ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ ଆକ୍ରମଣ ପରେ ନିୟନ୍ତ୍ରଣ ହରାଇଥିବା ଜାହାଜଟି ଭାସି ଭାସି ଫିନଲ୍ୟାଣ୍ଡର ଜଳସୀମା ମଧ୍ୟକୁ ପ୍ରବେଶ କରିଥିଲା। ଫିନଲ୍ୟାଣ୍ଡ କର୍ତ୍ତୃପକ୍ଷ ଜାହାଜଟିକୁ ଅଟକାଇବା ସହ ନିଆଁ ଲିଭାଇବା ପାଇଁ ଉଦ୍ଧାରକାରୀ ଦଳ ନିୟୋଜିତ କରିଥିଲେ। ଶନିବାର ବିଳମ୍ବିତ ସମୟ ପର୍ଯ୍ୟନ୍ତ ଜାହାଜରେ ନିଆଁ ଜଳୁଥିବା ରିପୋର୍ଟ ମିଳିଥିଲା।
ଏହି ଆକ୍ରମଣ ପଛରେ ୟୁକ୍ରେନ୍ ର ହାତ ଥିବା ସମ୍ଭାବନା ଅଧିକ ବୋଲି ଫିନଲ୍ୟାଣ୍ଡର ସାମରିକ ଅଧିକାରୀ ଆକି-ମୌରି ହୁହତିନେନ୍ କହିଛନ୍ତି। ତେବେ ଜାହାଜଟିକୁ କାହିଁକି ଟାର୍ଗେଟ୍ କରାଯାଇଥିଲା, ତାହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ଉପରେ ୟୁକ୍ରେନ୍ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ। ରୁଷିଆ ଦୂତାବାସ ମଧ୍ୟ ଏନେଇ ତୁରନ୍ତ କୌଣସି ମତ ରଖିନାହିଁ।
ତେବେ ଏହି ଘଟଣାକୁ ନେଇ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରି ଓର୍ପୋ କହିଛନ୍ତି ଯେ ଯୁଦ୍ଧର ପ୍ରଭାବ ଏବେ ପଡ଼ୋଶୀ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଆକ୍ରମଣକୁ ନେଇ ବାଲ୍ଟିକ୍ ଅଞ୍ଚଳରେ ସୁରକ୍ଷା ଚିନ୍ତା ବଢ଼ିଛି। ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ନାଟୋ ସଦସ୍ୟ ଦେଶଗୁଡ଼ିକର ନିକଟବର୍ତ୍ତୀ ସାମୁଦ୍ରିକ ଅଞ୍ଚଳକୁ ପହଞ୍ଚିବା ଏବେ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତାର କାରଣ ପାଲଟିଛି।