ଜୟପୁର, ୨୨/୧୧: ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା। ଖାଟୁ ଶ୍ୟାମଜୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଚାଲିଗଲା ୯ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିବା ସୂଚନା ମିଳିଛି। ଅନ୍ୟ ୬ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ରାଜସ୍ଥାନର କୋଟା-ଉଦୟପୁର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରୁ ରବିବାର ଭୋର ପ୍ରାୟ ୨ଟା ସମୟରେ କୋଟା ଜିଲ୍ଲାର ଶମ୍ଭୁପୁରା ଗାଁ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଯାତ୍ରୀବାହୀ କ୍ରୁଜର ଗାଡ଼ି ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ଦାର ଥିଲା ଯେ ଗାଡ଼ିଟି ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି।
ସୂଚନା ଅନୁସାରେ, ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଗୋଟିଏ ପରିବାରର ସଦସ୍ୟମାନେ ରାଜସ୍ଥାନର ପ୍ରସିଦ୍ଧ ଖାଟୁ ଶ୍ୟାମଜୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି ସେମାନେ ନିଜ ଘର ମହାରାଷ୍ଟ୍ରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। କ୍ରୁଜର ଗାଡ଼ିରେ ୧୫ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡ଼ି ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ କୋଟାର ନ୍ୟୁ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ତେବେ ପ୍ରାଥମିକ ତଦନ୍ତରୁ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଆଖି ଲାଗିଯିବା କାରଣରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତଦନ୍ତ ପରେ ହିଁ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ।