ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ

‘ଆ କା ମା ବୈ’ ଧ୍ୱନିରେ ପ୍ରକମ୍ପିତ ନଦୀ ଓ ପୁଷ୍କରିଣୀ

ଭୁବନେଶ୍ୱର, ୨୪/୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ସାରା ଓଡ଼ିଶାରେ ଆଧ୍ୟାତ୍ମିକତା ଓ ପରମ୍ପରାର ଅପୂର୍ବ ସମାଗମ ଦେଖିବାକୁ ମିଳିଛି। ଭୋରରୁ ନଦୀ, ପୋଖରୀ, ଜଳାଶୟ ଓ ସମୁଦ୍ର କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ପାରମ୍ପରିକ ରୀତିନୀତି ଅନୁସାରେ ଡଙ୍ଗା ଭସାଇଛନ୍ତି ଲୋକେ। କଦଳୀ ପାଟୁକା, ସୋଲ, କାଗଜ ଆଦିରେ ତିଆରି ଛୋଟ ଛୋଟ ଡଙ୍ଗାରେ ଦୀପ, ଫୁଲ, ପାନ ଓ ଗୁଆ ରଖି ଜଳରେ ଭସାଇଛନ୍ତି। ଏହା ସହିତ ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ ଧ୍ୱନିରେ ପ୍ରକମ୍ପିତ ହୋଇଛି ରାଜ୍ୟର ବିଭିନ୍ନ ଜଳାଶୟ।

ଭୁବନେଶ୍ୱରର ବିନ୍ଦୁସାଗରଠାରୁ ଆରମ୍ଭ କରି କଟକର ଗଡ଼ଗଡ଼ିଆ ଘାଟ, ଦେବୀ ଘାଟ, ପୁରୀର ମହୋଦଧି ଏବଂ ଦୟା ଓ କୁଆଖାଇ ନଦୀ କୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷକରି ପୁରୀ ସମୁଦ୍ର କୂଳରେ ସୋମବାର ରାତିରୁ ହିଁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଥିଲା। ଭୋରରୁ ପବିତ୍ର ସ୍ନାନ କରିବା ପରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ପରମ୍ପରା ପାଳନ କରିଛନ୍ତି। ଗାଁଠୁ ସହର ସବୁଠି ଏହି ପର୍ବକୁ ନେଇ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି।

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବାର ପରମ୍ପରା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଇତିହାସ ସହ ଜଡ଼ିତ। ପ୍ରାଚୀନ କଳିଙ୍ଗର ସାଧବପୁଅମାନେ ବାଣିଜ୍ୟ ପାଇଁ ବଡ଼ ବଡ଼ ଜାହାଜ ଓ ବୋଇତରେ ସମୁଦ୍ର ପଥ ଦେଇ ଦୂରଦେଶକୁ ଯାତ୍ରା କରୁଥିଲେ। ବିଶେଷକରି ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ଶ୍ରୀଲଙ୍କା ଆଦି ଅଞ୍ଚଳ ସହ କଳିଙ୍ଗର ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ରହିଥିଲା।

ସେହି ସମୟରେ ସାଧବମାନେ ସାମଗ୍ରୀ ନେଇ ବିଦେଶକୁ ଯାଉଥିବା ବେଳେ ପରିବାର ଲୋକେ ସେମାନଙ୍କ ସୁରକ୍ଷିତ ଯାତ୍ରା ଓ ଫେରିବା କାମନା କରୁଥିଲେ। ଏହି ଐତିହାସିକ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଆଜି ମଧ୍ୟ ଓଡ଼ିଆମାନେ ଛୋଟ ଛୋଟ ଡଙ୍ଗା ଭସାଇଥାନ୍ତି। ଏହାକୁ ‘ବୋଇତ ବନ୍ଦାଣ’ ବା ‘ଡଙ୍ଗା ଭସା’ କୁହାଯାଏ।

ଡଙ୍ଗା ଭସା ସମୟରେ ଉଚ୍ଚାରଣ କରାଯାଉଥିବା ‘ଆ କା ମା ବୈ’ ଗୀତର ମଧ୍ୟ ରହିଛି ଐତିହାସିକ ମହତ୍ତ୍ୱ। ଏହି ଚାରିଟି ଶବ୍ଦ ଓଡ଼ିଆ ପଞ୍ଜିକାର ଚାରିଟି ମାସ ଯଥା ଆଷାଢ଼, କାର୍ତ୍ତିକ, ମାର୍ଗଶିର ଓ ବୈଶାଖକୁ ସୂଚାଏ ବୋଲି ପାରମ୍ପରିକ ବିଶ୍ୱାସ ରହିଛି। ଡଙ୍ଗାରେ ପାନ, ଗୁଆ, ଫୁଲ ଓ ଦୀପ ରଖି ଜଳରେ ଭସାଇବା ଏହି ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ଜମିଛି। ମହୋଦଧିରେ ପବିତ୍ର ସ୍ନାନ ସହ ବୋଇତ ବନ୍ଦାଣ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ପ୍ରବଳ ସମାଗମ ସୋଇଛି।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମନ୍ଦିର ପରିସର, ସମୁଦ୍ର କୂଳ ଓ ଭକ୍ତଙ୍କ ଯାତାୟାତ ରାସ୍ତାରେ ୪୫ରୁ ଅଧିକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।