ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ନୂଆପଡ଼ା ଓ ନୟାଗଡ଼ରେ ହେବ ୨ ନୂଆ ମେଡିକାଲ କଲେଜ
ଭୁବନେଶ୍ୱର, ୨୫।୧୧: ରାଜ୍ୟରେ ହୋମିଓପାଥି ଚିକିତ୍ସା ଓ ଶିକ୍ଷାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯିବ। ଏଥିପାଇଁ ନୂଆପଡ଼ା ଓ ନୟାଗଡ଼ରେ ଦୁଇଟି ନୂଆ ସରକାରୀ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଏନେଇ ବୁଧବାର ଭୁବନେଶ୍ୱରସ୍ଥିତ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହାର ଗରିମା ବୃଦ୍ଧି କରିଛି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ହୋମିଓପାଥି ଚିକିତ୍ସା ପଦ୍ଧତି ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେବେ ଦୀର୍ଘଦିନ ଧରି ଏହାକୁ ଉପଯୁକ୍ତ ସମ୍ମାନ ଓ ଗୁରୁତ୍ୱ ମିଳିନଥିଲା। ୨୦୧୪ ନଭେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷକୁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଭାବେ ଉନ୍ନୀତ କରିବା ପରେ ହୋମିଓପାଥି ସମେତ ପାରମ୍ପରିକ ଚିକିତ୍ସା ପଦ୍ଧତିଗୁଡ଼ିକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା।
ହୋମିଓପାଥି ଚିକିତ୍ସାର ଲୋକପ୍ରିୟତା ବଢ଼ୁଥିବା ବେଳେ ଏହାର ଗୁଣାତ୍ମକ ବିକାଶ ପାଇଁ ଶିକ୍ଷା ଓ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ବିଶେଷକରି ଗବେଷଣାର ମାନ, ଚିକିତ୍ସାର ସୁରକ୍ଷା, କ୍ଲିନିକାଲ ଅଧ୍ୟୟନ ଏବଂ ବୈଜ୍ଞାନିକ ପ୍ରମାଣକୁ ପ୍ରାଥମିକତା ଦେବାକୁ ପଡ଼ିବ। ଏହି ଦିଗରେ ଗବେଷକ ଓ ଚିକିତ୍ସକମାନେ ନିରନ୍ତର ଉଦ୍ୟମ କରିବା ଉଚିତ ବୋଲି ସେ ମତ ଦେଇଥିଲେ।
ରାଜ୍ୟରେ ବର୍ତ୍ତମାନ ୪ଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜ ରହିଛି। ଏହାବ୍ୟତୀତ ଢେଙ୍କାନାଳ ଓ ବ୍ରହ୍ମପୁରରେ ୫୦ ଶଯ୍ୟା ବିଶିଷ୍ଟ ଦୁଇଟି ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ ଶେଷ ହୋଇଛି। ଖୁବ୍ଶୀଘ୍ର ଏଠାରେ ଚିକିତ୍ସା ସେବା ଆରମ୍ଭ ହେବ। ସେହିପରି ବାଲେଶ୍ୱରରେ ଆଉ ଏକ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି।
ଆୟୁର୍ବେଦିକ ଓ ହୋମିଓପାଥିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ାଇବାକୁ ସରକାରୀ ମେଡିକାଲ କଲେଜର ପିଜି ଛାତ୍ରଛାତ୍ରୀ ଓ ହାଉସ୍ ସର୍ଜନମାନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି କରାଯାଇଛି। ଏଥିସହ ହୋମିଓପାଥିକ ମେଡିକାଲ ସର୍ଭିସ୍ କ୍ୟାଡର, ଆୟୁର୍ବେଦିକ ମେଡିକାଲ ସର୍ଭିସ୍ କ୍ୟାଡର ଏବଂ ଆୟୁଷ ସହାୟକ କ୍ୟାଡରର ପୁନର୍ଗଠନ କରାଯିବା ସହ ବେତନ ଢାଞ୍ଚାରେ ସଂଶୋଧନ କରାଯାଇଛି। ଚୁକ୍ତିଭିତ୍ତିକ ଅଧ୍ୟାପକ, ରିଡର୍ ଓ ପ୍ରଫେସରଙ୍କ ପାରିଶ୍ରମିକ ମଧ୍ୟ ବୃଦ୍ଧି କରାଯାଇଛି।
ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟର ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉନ୍ନତିକରଣ କରାଯାଇଛି। ଏଠାରେ ଆୟୁର୍ବେଦିକ ସହିତ ହୋମିଓପାଥିକ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି।
ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଦେଶର ଏକ ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟ ଶିକ୍ଷା ଓ ଚିକିତ୍ସା ଅନୁଷ୍ଠାନ ଭାବେ ଅଭିହିତ କରି ଏହାର ଭିତ୍ତିଭୂମି ଓ ଅଧ୍ୟାପକ ମଣ୍ଡଳୀର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଚିକିତ୍ସା ଶିକ୍ଷା, ଗବେଷଣା ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ସରକାର, ଶିକ୍ଷାନୁଷ୍ଠାନ, ଗବେଷକ ଓ ଚିକିତ୍ସକଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ଜରୁରୀ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ସମ୍ମିଳନୀ ଆୟୋଜନ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜ୍ଞାନ ଓ ଗବେଷଣାକୁ ଆଧାର କରି ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।