ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ଉପରେ ୩୭ ଶିକ୍ଷା ବୋର୍ଡର ବ୍ୟାପକ ଆଲୋଚନା

ପତଞ୍ଜଳିରେ ଆରମ୍ଭ ହେଲା ଜାତୀୟ ସମ୍ମିଳନୀ

ହରିଦ୍ୱାର, ୨୫/୧୧: ଶିଶୁଙ୍କ ସାମାଜିକ, ମାନସିକ ଓ ଭାବନାତ୍ମକ ବିକାଶ ସହ ସେମାନଙ୍କ ଭିତରେ ନୈତିକ ମୂଲ୍ୟବୋଧ ଓ ସଂସ୍କାର ସୃଷ୍ଟି କରିବା ଉପରେ ଦେଶର ୩୭ଟି ଶିକ୍ଷା ବୋର୍ଡର ଏକ ସମ୍ମିଳନୀ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ପତଞ୍ଜଳି ଯୋଗପୀଠରେ କାଉନସିଲ୍ ଅଫ୍ ବୋର୍ଡସ୍ ଅଫ୍ ସ୍କୁଲ ଏଜୁକେସନ୍ ଇନ୍ ଇଣ୍ଡିଆ (COBSE) ପକ୍ଷରୁ ତିନିଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି। ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ୩୭ଟି କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ଶିକ୍ଷା ବୋର୍ଡର ଅଧ୍ୟକ୍ଷ, ସଚିବ ଏବଂ ବହୁ ଶିକ୍ଷାବିତ୍ ଯୋଗଦେଇଛନ୍ତି। ଏହା ସହ ନେପାଳ, ଭୁଟାନ ଏବଂ ଆମେରିକାର ନର୍ଥୱେଷ୍ଟ ଆକ୍ରେଡିଟେସନ୍ କମିସନ୍ (NWAC) ସମେତ ଅନ୍ୟ ଦେଶର ପ୍ରତିନିଧିମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

‘ଛାତ୍ରଛାତ୍ରୀଙ୍କ ସାମାଜିକ-ଭାବନାତ୍ମକ ବିକାଶ ଏବଂ କଲ୍ୟାଣ କ୍ଷେତ୍ରରେ ଆହ୍ୱାନ’ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେଉଛି। ବର୍ତ୍ତମାନର ପରିବର୍ତ୍ତିତ ସାମାଜିକ ପରିବେଶ, ଡିଜିଟାଲ୍ ଦୁନିଆର ପ୍ରଭାବ ଏବଂ ପାରିବାରିକ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ପିଲାମାନଙ୍କ ମାନସିକ ଓ ସାମାଜିକ ବିକାଶ ଏକ ବଡ଼ ଆହ୍ୱାନ ପାଲଟିଛି। ଏହି ସମସ୍ୟାର ସମାଧାନ ସହ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମ୍ବେଦନଶୀଳ, ମୂଲ୍ୟବୋଧଭିତ୍ତିକ ଏବଂ ଛାତ୍ରକୈନ୍ଦ୍ରିକ କରିବା ଉପରେ ସମ୍ମିଳନୀରେ ଆଲୋଚନା ହେବ।

ପତଞ୍ଜଳି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ଆୟୋଜିତ ଏହି ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଡ. ଧନ ସିଂହ ରାୱତ, ଯୋଗଗୁରୁ ସ୍ୱାମୀ ରାମଦେବ, ପତଞ୍ଜଳି ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଳକୃଷ୍ଣ, ଭାରତୀୟ ଶିକ୍ଷା ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଏନ୍.ପି. ସିଂହ, କୋବ୍ସେ ଅଧ୍ୟକ୍ଷ ଡ. ଜି. ଇମାନୁଏଲ୍ ଏବଂ ସଚିବ ଏମ୍.ସି. ଶର୍ମା ମିଳିତ ଭାବେ ଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କୋବ୍ସେ ପକ୍ଷରୁ ପ୍ରକାଶିତ ଦୁଇଟି ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା।

ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀ ଡ. ଧନ ସିଂହ ରାୱତ କହିଥିଲେ ଯେ, ଭାରତୀୟ ଶିକ୍ଷା ବୋର୍ଡ ଏକ ଆଦର୍ଶ ବୋର୍ଡ ଭାବେ ଉଭା ହୋଇଛି। ଏହି ସମ୍ମିଳନୀରେ ଆଗାମୀ ତିନିଦିନ ଧରି ହେବାକୁ ଥିବା ଆଲୋଚନା ଏବଂ ମିଳିବାକୁ ଥିବା ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରାଯିବ। ଦେଶର ସମସ୍ତ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଓ ଅଧିକାରୀମାନେ ନିଜ ନିଜ ବୋର୍ଡର କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଆବଶ୍ୟକ। ଏହାଦ୍ୱାରା ବୋର୍ଡରୁ ଶିକ୍ଷା ଗ୍ରହଣ କରି ବାହାରୁଥିବା ଛାତ୍ରଛାତ୍ରୀ ଦେଶ ଗଠନରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରିପାରିବେ।

ସେ ଆହୁରି କହିଥିଲେ ଯେ, ଶିକ୍ଷା ବ୍ୟବସ୍ଥାର ବିକାଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏଥିରେ ସମାଜର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବୋର୍ଡ ପରୀକ୍ଷାର ଉତ୍ତରଖାତା ମୂଲ୍ୟାୟନ, ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ଆହୁରି ସୁଧାର ଆଣିବା ଆବଶ୍ୟକ। ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ। ଆଜିର ଛାତ୍ରଛାତ୍ରୀ ପୂର୍ବାପେକ୍ଷା ଅଧିକ ସଚେତନ ଓ ପ୍ରତିଭାବାନ ହୋଇଥିବାବେଳେ ଶିକ୍ଷକମାନଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବୃଦ୍ଧି ପାଇଛି। ତେଣୁ ଭବିଷ୍ୟତରେ ପାରମ୍ପରିକ ଶ୍ରେଣୀଗୃହ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ନେଇ ମଧ୍ୟ ନୂଆ ଆଲୋଚନା ହୋଇପାରେ। ତେବେ ପ୍ରତ୍ୟେକ ଶିକ୍ଷାବର୍ଷରେ ୧୮୦ରୁ ୨୨୦ ଦିନ ପର୍ଯ୍ୟନ୍ତ ପାଠପଢ଼ା ସୁନିଶ୍ଚିତ କରିବା ଜରୁରୀ।

ଯୋଗଗୁରୁ ସ୍ୱାମୀ ରାମଦେବ କହିଥିଲେ ଯେ, ଶିକ୍ଷାର ଉଦ୍ଦେଶ୍ୟ କେବଳ ପିଲାମାନଙ୍କୁ ଡିଗ୍ରୀ ପ୍ରଦାନ କରିବା କିମ୍ବା ଚାକିରି ଯୋଗାଇବା ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ବରଂ ସେମାନଙ୍କ ମଧ୍ୟରେ ଚରିତ୍ର ଗଠନ, ନୈତିକତା, ଅନୁଶାସନ, ରାଷ୍ଟ୍ରଭାବନା ଏବଂ ସାମାଜିକ ଦାୟିତ୍ୱବୋଧ ବିକଶିତ କରିବା ଉପରେ ଗୁରୁତ୍ୱ ଦେବା ଦରକାର।

ସେ କହିଥିଲେ ଯେ, ବ୍ରିଟିଶ ଶାସନ ସମୟରେ ମାକାଉଲେଙ୍କ ଶିକ୍ଷା ପଦ୍ଧତି ଭାରତର ସମୃଦ୍ଧ ଗୁରୁକୁଳ ପରମ୍ପରା ଏବଂ ସ୍ୱଦେଶୀ ଜ୍ଞାନ-ବିଜ୍ଞାନକୁ ଦୁର୍ବଳ କରିଥିଲା। ଭାରତୀୟ ଶିକ୍ଷା ବୋର୍ଡର ପରିକଳ୍ପନା ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣିବାର ଏକ ପ୍ରୟାସ। ଏହା ମାଧ୍ୟମରେ ପାରମ୍ପରିକ ଗୁରୁକୁଳ ଶିକ୍ଷା ଓ ଆଧୁନିକ ଶିକ୍ଷାର ସମନ୍ୱୟ କରି ଆତ୍ମନିର୍ଭର, ଚରିତ୍ରବାନ, ବୈଜ୍ଞାନିକ ଚିନ୍ତାଧାରା ସମ୍ପନ୍ନ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସକ୍ଷମ ଯୁବପିଢ଼ି ଗଢ଼ିବା ଲକ୍ଷ୍ୟ ରହିଛି। ନିଜ ଛାତ୍ର ଜୀବନରୁ ହିଁ ଏକ ସମନ୍ୱିତ ଶିକ୍ଷା ବ୍ୟବସ୍ଥାର ସ୍ୱପ୍ନ ଦେଖିଥିଲେ ଏବଂ ଭାରତୀୟ ଶିକ୍ଷା ବୋର୍ଡ ମାଧ୍ୟମରେ ତାହା ସାକାର ହେଉଥିବା ମଧ୍ୟ ସେ ଅନୁଭବ କରୁଥିବା କହିଥିଲେ।

ଭାରତୀୟ ଶିକ୍ଷା ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଏନ୍.ପି. ସିଂହ କହିଥିଲେ ଯେ, ଶିଶୁର ଜନ୍ମ ପୂର୍ବରୁ ମାତୃଗର୍ଭରେ ରହିବା ସମୟଠାରୁ ଆରମ୍ଭ କରି ସାମାଜିକ ଜୀବନରେ ପ୍ରବେଶ କରିବା ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟ ତା’ର ବ୍ୟକ୍ତିତ୍ୱ ଗଠନରେ ଗୁରୁତ୍ୱ ବହନ କରେ। ବିଶେଷକରି ଜୀବନର ପ୍ରଥମ ୧୪ରୁ ୧୫ ବର୍ଷ ମଧ୍ୟରେ ପିଲାମାନଙ୍କ ମଧ୍ୟରେ ଯେଉଁ ସଂସ୍କାର, ମୂଲ୍ୟବୋଧ ଓ ବ୍ୟବହାରିକ ଗୁଣ ବିକଶିତ ହୁଏ, ତାହା ଭବିଷ୍ୟତରେ ସେମାନଙ୍କ ବ୍ୟକ୍ତିତ୍ୱର ଦିଗ ନିର୍ଦ୍ଧାରଣ କରିଥାଏ।

ତେଣୁ ଆଗାମୀ ପିଢ଼ିକୁ କିଭଳି ଗଢ଼ାଯିବ ଏବଂ ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ କିପରି କରାଯିବ, ତାହା ଶିକ୍ଷାବିତ୍‌ମାନଙ୍କ ପାଇଁ ଏକ ବଡ଼ ପ୍ରଶ୍ନ। ପିଲାମାନଙ୍କୁ କେବଳ ପାଠପଢ଼ାରେ ଦକ୍ଷ କରିଦେଲେ ହେବ ନାହିଁ। ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଦୃଢ଼ତା, ସଂସ୍କାର ଏବଂ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହ ସାମାଜିକ ଓ ଭାବନାତ୍ମକ ଭାବେ ମଧ୍ୟ ସୁଦୃଢ଼ କରିବା ଆବଶ୍ୟକ।

ପତଞ୍ଜଳି ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଳକୃଷ୍ଣ ନିଜ ଅଭିଭାଷଣରେ ଯୌଥ ପରିବାରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁର ବ୍ୟକ୍ତିତ୍ୱ ଗଠନରେ ମା’ଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ମା’ ହେଉଛନ୍ତି ଶିଶୁର ପ୍ରଥମ ଗୁରୁ ବୋଲି ସେ କହିଥିଲେ। ଯୌଥ ପରିବାର ଏକ ସମୟରେ ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ମଜଭୁତ ପାଠଶାଳା ଭଳି କାମ କରୁଥିଲା। ପରିବାରର ବୟସ୍କ ସଦସ୍ୟଙ୍କ ଆଚରଣ, ପରସ୍ପର ମଧ୍ୟରେ ସମ୍ପର୍କ, ଭଲପାଇବା ଓ ପାରିବାରିକ ସଂସ୍କାରରୁ ପିଲାମାନେ ଅନେକ କିଛି ଶିଖିବାର ସୁଯୋଗ ପାଉଥିଲେ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଯୋଗୁଁ ସମାଜ ଧୀରେ ଧୀରେ ଯୌଥ ପରିବାରରୁ ଏକକ ପରିବାର ଆଡ଼କୁ ଗତି କରୁଛି। ଏପରିକି ଅନେକ ଅଭିଭାବକଙ୍କ ପାଖରେ ନିଜ ପିଲାମାନଙ୍କ ସହ ସମୟ ବିତାଇବା ପାଇଁ ମଧ୍ୟ ଯଥେଷ୍ଟ ସମୟ ରହୁନାହିଁ। ଫଳରେ ପିଲାମାନେ ସାଙ୍ଗସାଥୀ ଏବଂ ସୋସିଆଲ ମିଡିଆର ପ୍ରଭାବରେ ଆସି ବେଳେବେଳେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି।

ଶିକ୍ଷା ବ୍ୟବସ୍ଥାର ଉଦ୍ଦେଶ୍ୟ କେବଳ ପାଠ୍ୟକ୍ରମ ଶେଷ କରିବା ଓ ପରୀକ୍ଷା ଆୟୋଜନ କରିବା ନୁହେଁ। ବରଂ ପିଲାମାନଙ୍କ ସମସ୍ୟା ବୁଝିବା, ସେମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେବା ଏବଂ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶ କରିବା ମଧ୍ୟ ଶିକ୍ଷାର ଲକ୍ଷ୍ୟ ହେବା ଉଚିତ। ପିଲାମାନଙ୍କୁ ଏଭଳି ଭାବେ ଗଢ଼ିବା ଦରକାର, ଯେପରି ସେମାନେ ଭବିଷ୍ୟତରେ ସମାଜ ଓ ରାଷ୍ଟ୍ରକୁ ନୂଆ ଦିଗ ଦେଇପାରିବେ ବୋଲି ଆଚାର୍ଯ୍ୟ ବାଳକୃଷ୍ଣ ଆହ୍ୱାନ ଦେଇଥିଲେ।

ଏହି ଅବସରରେ କୋବ୍ସେର ଅଧ୍ୟକ୍ଷ ଡ. ଜି. ଇମାନୁଏଲ୍ ଶିକ୍ଷାର ଗୁଣବତ୍ତାକୁ ସର୍ବାଧିକ ପ୍ରାଥମିକତା ଦେବା ଉପରେ ଜୋର ଦେଇଥିଲେ। ସମ୍ମିଳନୀରେ ଯୋଗଦେଇଥିବା ସମସ୍ତ ପ୍ରତିନିଧିଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। କୋବ୍ସେର ସଚିବ ଏମ୍.ସି. ଶର୍ମା ସଂଗଠନର ପ୍ରତିଷ୍ଠା, କାର୍ଯ୍ୟପ୍ରଣାଳୀ ଓ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଶିକ୍ଷା ବୋର୍ଡର ନିର୍ଦ୍ଦେଶିକା (ଏକାଡେମିକ୍) ଡ. ବନ୍ଦନା ପାଣ୍ଡେ, ଜାତୀୟ ସଂଯୋଜକ ସ୍ୱାମୀ ପୁଣ୍ୟଦେବ, ପରାମର୍ଶଦାତା ସତ୍ୟେନ୍ଦ୍ର ପଂୱାରଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଗାମୀ ଦୁଇଦିନ ଧରି ଶିଶୁଙ୍କ ସାମାଜିକ ଓ ଭାବନାତ୍ମକ ବିକାଶ, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, ମୂଲ୍ୟବୋଧଭିତ୍ତିକ ଶିକ୍ଷା ଏବଂ ଭବିଷ୍ୟତର ଶିକ୍ଷା ନୀତି ଉପରେ ବିଭିନ୍ନ ଆଲୋଚନା ହେବ।