ବିମାନ ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୬ ମୃତ

ଦୀର୍ଘ ସମୟର ଖୋଜାଖୋଜି ପରେ ସମୁଦ୍ରରୁ ମିଳିଲା ମୃତଦେହ

ଆମେରିକା, ୨୫/୧୧: ଆମେରିକାର ମିସିସିପି ଉପକୂଳ ନିକଟରେ ଘଟିଛି ଏକ ଭୟଙ୍କର ବିମାନ ଦୁର୍ଘଟଣା। ମେକ୍ସିକୋ ଉପସାଗର ମଧ୍ୟକୁ ଖସିପଡ଼ିଛି ଏକ ଛୋଟ ବିମାନ। ଏଥିରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡ଼ିଛି। ଦୀର୍ଘ ସମୟର ଖୋଜାଖୋଜି ପରେ ଉଦ୍ଧାରକାରୀ ଦଳ ବିମାନର ଭଗ୍ନାବଶେଷ ଭିତରୁ ସମସ୍ତ ୬ ଜଣଙ୍କ ମୃତଦେହ ଠାବ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୨୪ ତାରିଖ ମଙ୍ଗଳବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ସେସନା ୨୧୦ ନାମକ ଏହି ଛୋଟ ବିମାନଟି ଲୁଇସିଆନାର ନ୍ୟୁ ଅର୍ଲିନ୍ସରୁ ଫ୍ଲୋରିଡାର ଫୋର୍ଟ ମାୟର୍ସ ଅଭିମୁଖେ ଯାଉଥିଲା। ଯାତ୍ରା ସମୟରେ ମିସିସିପିର ପାସ୍କାଗୁଲା ଏବଂ ହର୍ନ ଦ୍ୱୀପ ମଧ୍ୟବର୍ତ୍ତୀ ଅଞ୍ଚଳରେ ବିମାନଟି ମେକ୍ସିକୋ ଉପସାଗରକୁ ଖସିପଡ଼ିଥିଲା।

ପ୍ରାଥମିକ ତଥ୍ୟ ଅନୁସାରେ, ଯୋଗାଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବିମାନଟି ପ୍ରତି ମିନିଟ୍‌ରେ ପ୍ରାୟ ୧୦ ହଜାର ଫୁଟ୍ ବେଗରେ ତଳକୁ ଖସୁଥିଲା। ଏତେ ଦ୍ରୁତ ଗତିରେ ବିମାନଟି ତଳକୁ ଖସିବା ପରେ ଉପସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ପରେ ଆମେରିକାର କୋଷ୍ଟ ଗାର୍ଡ ସମେତ ବିଭିନ୍ନ ସରକାରୀ ଓ ସ୍ଥାନୀୟ ସଂସ୍ଥା ପକ୍ଷରୁ ମିଳିତ ଭାବେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଦଳ ପ୍ରଥମେ ସମୁଦ୍ର ଜଳରେ ତିନୋଟି ଲାଇଫ୍ ଜ୍ୟାକେଟ୍, ଗୋଟିଏ ଲାଇଫ୍ ରାଫ୍ଟ ଏବଂ ବିମାନର କ୍ୟାବିନ୍‌ର ଭଗ୍ନାବଶେଷ ଭାସୁଥିବା ଦେଖିଥିଲେ। କିନ୍ତୁ ବିମାନରେ ଥିବା ଯାତ୍ରୀଙ୍କ କୌଣସି ସନ୍ଧାନ ମିଳିନଥିଲା।

ଏହାପରେ ଗଭୀର ସମୁଦ୍ରରେ ଖୋଜାଖୋଜି ପାଇଁ ଡାଇଭର୍ସଙ୍କୁ ନିୟୋଜିତ କରାଯାଇଥିଲା। ପ୍ରାୟ ୪ ଘଣ୍ଟାର ଉଦ୍ଧାର ଅଭିଯାନ ପରେ ମିସିସିପି ଡିପାର୍ଟମେଣ୍ଟ ଅଫ୍ ମେରାଇନ୍ ରିସୋର୍ସେସ୍‌ର ଡାଇଭର୍ସ ବିମାନର ଫ୍ୟୁଜେଲାଜ୍ ଭିତରୁ ସମସ୍ତ ୬ ଜଣଙ୍କ ମୃତଦେହ ଠାବ କରିଥିଲେ। ଏହାପରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୋଷ୍ଟ ଗାର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ବିମାନରେ ମୋଟ ୬ ଜଣ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ବୟସ୍କ ଏବଂ ୨ ଜଣ ଶିଶୁ ଥିଲେ। ମୃତ ଦୁଇ ଶିଶୁଙ୍କ ବୟସ ୮ ଓ ୧୦ ବର୍ଷ ବୋଲି କୋଷ୍ଟ ଗାର୍ଡର ମୁଖପାତ୍ର ଜୁଆନ୍ ରୋସ୍ ସୂଚନା ଦେଇଛନ୍ତି।