ଜୀବନରେ ଭୁଲ୍ ରାସ୍ତାରେ ଯାଇଥିବା ଜଣେ ଯୁବକ କିପରି ନିଜ ଭୁଲ୍ ସୁଧାରି ଦେଶର ସୁରକ୍ଷା ପାଇଁ ଜୀବନ ଉତ୍ସର୍ଗ କରିପାରନ୍ତି, ତାହାର ଏକ ବିରଳ ଉଦାହରଣ ହେଉଛନ୍ତି ଜମ୍ମୁ-କଶ୍ମୀରର ଲାନ୍ସ ନାଏକ ନଜିର ଅହମ୍ମଦ ୱାନି। ଦିନେ ସେ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆତଙ୍କବାଦର ରାସ୍ତା ଛାଡ଼ି ଭାରତୀୟ ସେନାରେ ସାମିଲ ହୋଇଥିଲେ। ଯେଉଁ ଆତଙ୍କବାଦୀଙ୍କ ସହ ଦିନେ ତାଙ୍କର ସମ୍ପର୍କ ଥିଲା, ସେମାନଙ୍କ ବିରୋଧରେ ହିଁ ଲଢ଼ିଥିଲେ। ଶେଷରେ ଦେଶ ପାଇଁ ଲଢ଼ି ଲଢ଼ି ସହିଦ ହୋଇଥିଲେ। ତାଙ୍କର ଏହି ଅସାଧାରଣ ସାହସ ଓ ବଳିଦାନ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତା ପୁରସ୍କାର ‘ଅଶୋକ ଚକ୍ର’ ପ୍ରଦାନ କରାଯାଇଥିଲା।
କିଏ ଥିଲେ ନଜିର ଅହମ୍ମଦ ୱାନି?
ନଜିର ଅହମ୍ମଦ ୱାନି ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ଚେକି ଅଶମୁଜି ଗାଁର ବାସିନ୍ଦା ଥିଲେ। ଏକ ସାଧାରଣ କୃଷକ ପରିବାରରେ ତାଙ୍କର ଜନ୍ମ। ତାଙ୍କ ବାପା ସୋନୁଲ୍ଲାହ ଚାଷ କରିବା ସହ ଏକ ଛୋଟ ଢାବା ମଧ୍ୟ ଚଳାଉଥିଲେ। ପରିବାରରେ ଚାରି ଭାଇ ଥିବାରୁ ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିଲା।
ପିଲାଦିନରୁ ତାଙ୍କ ମନରେ ସେନାରେ ଯୋଗଦେବାର ଇଚ୍ଛା ଥିଲା। ଗାଁର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କଠାରୁ ଯୁଦ୍ଧ ଓ ସେନାର ଅନୁଭୂତି ଶୁଣି ସେ ପ୍ରଭାବିତ ହୋଇଥିଲେ। ଏପରିକି ବଡ଼ ହେଲେ ଦେଶ ପାଇଁ ଯୁଦ୍ଧ କରିବେ ବୋଲି କହୁଥିଲେ। କିନ୍ତୁ କଶ୍ମୀରରେ ଆତଙ୍କବାଦ ଓ ହିଂସାର ପରିବେଶ ତାଙ୍କ ଜୀବନକୁ ଭିନ୍ନ ମୋଡ଼ ଦେଇଥିଲା।
କଶ୍ମୀରରେ ଆତଙ୍କବାଦ ବଢ଼ୁଥିବା ସମୟରେ ନଜିର ମଧ୍ୟ କିଶୋର ଅବସ୍ଥାରେ ଆତଙ୍କବାଦୀଙ୍କ ସମ୍ପର୍କରେ ଆସିଥିଲେ। ପ୍ରଥମେ ସେମାନଙ୍କ ପାଇଁ ଛୋଟମୋଟ କାମ କରୁଥିଲେ। ପରେ ଧୀରେ ଧୀରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ହୋଇଥିଲେ।
ତେବେ ଦିନେ ତାଙ୍କୁ ନିଜ ଭୁଲ୍ ବୁଝିବାର ସୁଯୋଗ ମିଳିଥିଲା। କଶ୍ମୀରରେ ସକ୍ରିୟ ଥିବା ‘ଇଖୱାନ୍’ ନାମକ ଏକ ଗୋଷ୍ଠୀ ସହ ସେ ଜଡ଼ିତ ହୋଇଥିଲେ। ଏହି ଗୋଷ୍ଠୀରେ ପୂର୍ବରୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଥିବା କିଛି ଯୁବକ ଆତ୍ମସମର୍ପଣ କରି ସୁରକ୍ଷାବାହିନୀକୁ ସହଯୋଗ କରୁଥିଲେ। ସେମାନେ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ଦେବା ସହ ଅଭିଯାନରେ ମଧ୍ୟ ସହଯୋଗ କରୁଥିଲେ।
ଏହି ପରିବର୍ତ୍ତନ ନଜିରଙ୍କ ଜୀବନକୁ ମଧ୍ୟ ବଦଳାଇ ଦେଇଥିଲା। ୨୦୦୪ ମସିହାରେ ସେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରି ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେନାର ୧୬୨ ଇନ୍ଫାଣ୍ଟ୍ରି ବାଟାଲିୟନ୍ (ଟେରିଟୋରିଆଲ୍ ଆର୍ମି), ଜମ୍ମୁ ଆଣ୍ଡ କଶ୍ମୀର ଲାଇଟ୍ ଇନ୍ଫାଣ୍ଟ୍ରିରେ ସାମିଲ ହୋଇଥିଲେ। ଏହାପରେ ତାଙ୍କ ଜୀବନର ଲକ୍ଷ୍ୟ ବଦଳିଯାଇଥିଲା। ଆତଙ୍କବାଦର ରାସ୍ତା ଛାଡ଼ି ଦେଶର ସୁରକ୍ଷା ପାଇଁ କାମ କରିବା ଆରମ୍ଭ କରିଥିଲେ।
ସେନାରେ ଯୋଗଦେବା ପରେ ନଜିର ଅହମ୍ମଦ ୱାନି ଅନେକ ଆତଙ୍କବାଦ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ। ତାଙ୍କର ସାହସ, ନିର୍ଭୀକତା ଓ କାର୍ଯ୍ୟଦକ୍ଷତା ପାଇଁ ସେ ଦୁଇଥର ସେନା ମେଡାଲ ପାଇଥିଲେ।
୨୦୦୭ ମସିହାରେ କୁଲଗାମ ଅଞ୍ଚଳରେ ଏକ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କ ସାହସିକତା ପାଇଁ ପ୍ରଥମ ଥର ସେନା ମେଡାଲ ପ୍ରଦାନ କରାଯାଇଥିଲା। ଏହି ଅଭିଯାନରେ ସେ ଚାରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ।
ଏହାପରେ ୨୦୧୭ ନଭେମ୍ବରରେ କୁଲଗାମର କୁଣ୍ଡ ଅଞ୍ଚଳରେ ହୋଇଥିବା ଅଭିଯାନରେ ମଧ୍ୟ ସେ ଅସାଧାରଣ ସାହସ ଦେଖାଇଥିଲେ। ଅତି ନିକଟରୁ ଜଣେ ଆତଙ୍କବାଦୀଙ୍କୁ ନିପାତ କରିବା ସହ ଅନ୍ୟ ଦୁଇଜଣଙ୍କୁ ଜୀବନ୍ତ ଧରିବାରେ ସହଯୋଗ କରିଥିଲେ। ଏହି ସାହସିକତା ପାଇଁ ୨୦୧୮ ମସିହାରେ ତାଙ୍କୁ ଦ୍ୱିତୀୟ ଥର ସେନା ମେଡାଲ ପ୍ରଦାନ କରାଯାଇଥିଲା।
୨୦୧୮ ନଭେମ୍ବର ୨୫ ତାରିଖ ନଜିରଙ୍କ ଜୀବନର ସବୁଠାରୁ ସାହସିକ ଏବଂ ଶେଷ ଦିନ ଥିଲା। ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାର ବଟାଗୁଣ୍ଡ ଅଞ୍ଚଳରେ ୬ ଜଣ ସଶସ୍ତ୍ର ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ୩୪ ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା।
ଏହି ଅଭିଯାନରେ ନଜିରଙ୍କୁ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଖସିଯିବା ରାସ୍ତାକୁ ଅବରୋଧ କରିବା ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସେ କେବଳ ନିଜ ଦାୟିତ୍ୱରେ ସୀମିତ ନରହି ଆକ୍ରମଣକାରୀ ଦଳରେ ସାମିଲ ହେବାକୁ ଜିଦ୍ ଧରିଥିଲେ।
ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାବାହିନୀର ଘେରା ଭାଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲେ। ସେମାନେ ଗୁଳି ଚଳାଇବା ସହ ଗ୍ରେନେଡ୍ ମାଡ଼ କରିଥିଲେ। କିନ୍ତୁ ନଜିର ପଛକୁ ହଟି ନଥିଲେ। ନିଜ ଜୀବନକୁ ବାଜି ଲଗାଇ ସେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।
ଏହାପରେ ଆଉ ଜଣେ ଆତଙ୍କବାଦୀ ଏକ ଘର ଭିତରେ ଲୁଚି ରହିଥିବା ଜଣାପଡ଼ିଥିଲା। ନଜିର ଗ୍ରେନେଡ୍ ମାଡ଼ କରି ତାକୁ ବାହାରକୁ ଆସିବାକୁ ବାଧ୍ୟ କରିଥିଲେ। ଆତଙ୍କବାଦୀ ଜଣକ ଝରକା ଦେଇ ଖସିଯିବାକୁ ଉଦ୍ୟମ କରିବା ସମୟରେ ନଜିର ତାଙ୍କ ସହ ମୁହାଁମୁହିଁ ଲଢ଼େଇ କରି ତାଙ୍କୁ ନିପାତ କରିଥିଲେ।
ଏହି ସମୟରେ ସେ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲେ। ଏପରି ସ୍ଥିତିରେ ମଧ୍ୟ ସେ ଆଉ ଜଣେ ଆତଙ୍କବାଦୀଙ୍କୁ ଆହତ କରିଥିଲେ। ଶେଷରେ ଗୁରୁତର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଏହି ଅଭିଯାନରେ ଲସ୍କର-ଏ-ତୋଏବାର ଜଣେ ଜିଲ୍ଲା କମାଣ୍ଡର ଓ ଜଣେ ବିଦେଶୀ ଆତଙ୍କବାଦୀ ନିହତ ହୋଇଥିଲେ।
ନଜିରଙ୍କ ବଳିଦାନକୁ ଦେଶ ପାଇଁ ସର୍ବଦା ସ୍ମରଣୀୟ। ୨୦୧୯ ଜାନୁଆରୀ ୨୩ରେ ତାଙ୍କୁ ମରଣୋତ୍ତର ଅଶୋକ ଚକ୍ର ପ୍ରଦାନ କରାଯିବା ନେଇ ଘୋଷଣା ହୋଇଥିଲା। ୨୦୧୯ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ଅବସରରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପତ୍ନୀ ମହଜବିନ୍ ୱାନି ଓ ମାଆଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଜମ୍ମୁ-କଶ୍ମୀରରୁ ଏହି ସମ୍ମାନ ପାଇବାରେ ସେ ପ୍ରଥମ ବ୍ୟକ୍ତି ଥିଲେ।
ନଜିରଙ୍କ ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା। ପତ୍ନୀ ମହଜବିନ୍ ଓ ଦୁଇ ପୁଅ ଅଥର ଏବଂ ଶାଇଦଙ୍କୁ ଛାଡ଼ି ସେ ଚାଲିଯାଇଥିଲେ। ତାଙ୍କ ମୃତଦେହ ତ୍ରିରଙ୍ଗାରେ ଘୋଡ଼ାଇ ନିଜ ଗାଁକୁ ଅଣାଯାଇଥିଲା। ଶେଷକୃତ୍ୟ ସମୟରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ତାଙ୍କୁ ଶେଷ ବିଦାୟ ଦେଇଥିଲେ। ଭାରତୀୟ ସେନା ପକ୍ଷରୁ ତାଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା।
ତାଙ୍କ ଜୀବନର କାହାଣୀ ଆଜି ମଧ୍ୟ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଉଦାହରଣ। ଜଣେ ମଣିଷ ନିଜ ଭୁଲ୍ ବୁଝି ଜୀବନର ଦିଗ ବଦଳାଇ ପାରେ ଏବଂ ସମାଜ ଓ ଦେଶ ପାଇଁ ଅମୂଲ୍ୟ ଅବଦାନ ରଖିପାରେ, ନଜିର ଅହମ୍ମଦ ୱାନି ତାହା ପ୍ରମାଣ କରିଛନ୍ତି। ତାଙ୍କର ଏହି ଯାତ୍ରା ଆତଙ୍କବାଦରୁ ଦେଶଭକ୍ତି ଏବଂ ଭୁଲ୍ ରାସ୍ତାରୁ ବୀରତାର ଏକ ଅବିସ୍ମରଣୀୟ କାହାଣୀ ହୋଇ ରହିବ।
୨୦୨୬ ନଭେମ୍ବର ୨୫ରେ ନଜିରଙ୍କ ବଳିଦାନକୁ ୮ ବର୍ଷ ପୂରଣ ହୋଇଛି। ତାଙ୍କ ଜୀବନଯାତ୍ରାକୁ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ସତୀଶ ଦୁଆ ତାଙ୍କ ପୁସ୍ତକ ‘ଏ ଜେନେରାଲ ରେମିନିସେସ୍: ଏ ଲାଇଫ ଅଣ୍ଡର ଫାୟାର ଇନ କାଶ୍ମୀର’ ରେ ମଧ୍ୟ ବର୍ଣ୍ଣନା କରିଛନ୍ତି।