ପୁସ୍ତକମେଳାରେ ଭାବବିହ୍ୱଳ ଦୃଶ୍ୟ; ହ୍ୱିଲ୍‌ଚିୟାରରେ ମଞ୍ଚକୁ ଗଲେ ତିନି ଦିବ୍ୟାଙ୍ଗ କଳାକାର

୨୩ତମ ପୁସ୍ତକ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, ୨୫/୧୧: ଚାଲିଥିବା ୨୩ତମ ବରଗଡ଼ ପୁସ୍ତକମେଳାର ୨୫ ତାରିଖ ସନ୍ଧ୍ୟା ଏକ ଅଭୁତପୂର୍ବ ଓ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଛି। ପୁସ୍ତକମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିବା ବେଳେ, ଏହି ସନ୍ଧ୍ୟାରେ ‘ପାଓ୍ବାର ଅଫ୍ ଦିବ୍ୟାଙ୍ଗ’ ଅନୁଷ୍ଠାନର ତିନିଜଣ ଶତପ୍ରତିଶତ (୧୦୦%) ଦିବ୍ୟାଙ୍ଗ ଯୁବକ ଜଗନ୍ନାଥ ପୋଢ଼, ଜଗନ୍ନାଥ ପାତ୍ର ଏବଂ ଜଗନ୍ନାଥ ତାଣ୍ଡିଙ୍କ ସାଂସ୍କୃତିକ ଓ ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲା।

ଗାନ୍ଧୀ ସୃଷ୍ଟି ପାଠାଗାର ପକ୍ଷରୁ ଆୟୋଜିତ ଏହି ପୁସ୍ତକମେଳାରେ ପାଠାଗାରର ସଭାପତି ଅରୁଣ ମହାନ୍ତି, ସମ୍ପାଦକ ରବିନାରାୟଣ ପଣ୍ଡା ଏବଂ ଅନ୍ୟ ସଦସ୍ୟମାନେ ନିଜେ ତିନି ଦିବ୍ୟାଙ୍ଗ ଯୁବକ ଜଗନ୍ନାଥ ପୋଢ଼, ଜଗନ୍ନାଥ ପାତ୍ର ଓ ଜଗନ୍ନାଥ ତାଣ୍ଡିଙ୍କୁ ହ୍ୱିଲ୍‌ଚିୟାର ଯୋଗେ ମଞ୍ଚ ଉପରକୁ ନେଇଥିଲେ। ପ୍ରଥମେ ଅତିଥିମାନଙ୍କ ଦ୍ୱାରା ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ‘ପାଓ୍ବାର ଅଫ୍ ଦିବ୍ୟାଙ୍ଗ’ ଅନୁଷ୍ଠାନର ମୁଖ୍ୟ ଶ୍ୟାମସୁନ୍ଦର ଅଗ୍ରଓ୍ବାଲ, ମେଘନାଥ ସାହୁ ଓ ଅନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।

ଶାରୀରିକ ପ୍ରତିବନ୍ଧକ ସତ୍ତ୍ୱେ ତିନି ଯୁବକଙ୍କ ଆତ୍ମବିଶ୍ୱାସ ଓ ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଉପସ୍ଥିତ ଦର୍ଶକମାନେ ନିଜନିଜ ମୋବାଇଲରେ ନୃତ୍ୟ କରୁଥିବା ଏହି ପ୍ରେରଣାଦାୟୀ ଦୃଶ୍ୟକୁ ରେକର୍ଡ କରୁଥିବା ଦେଖିବାକୁ ମିଳିଥିଲା। ଆୟୋଜକଙ୍କ ଏଭଳି ମାନବିକତା ଓ କଳାକାରଙ୍କ ଅଦମ୍ୟ ଇଚ୍ଛାଶକ୍ତି ପୁସ୍ତକମେଳାର ଏହି ସନ୍ଧ୍ୟାକୁ ସ୍ମରଣୀୟ କରିଦେଇଥିଲା।