ଚାଷୀଙ୍କୁ କୃଷି ଋଣ ଛାଡ ସହ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ: ବିଜେଡି
ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ
ଜଳବନ୍ଦୀ ରୋକିବା ପାଇଁ ବ୍ରହ୍ମପୁରରେ ବାହାନା ନାଳ ଓ ସାପୁଆ ନାଳର କରାଯାଉ ସଂପୂର୍ଣ୍ଣ ନବୀକରଣ
ଭୁବନେଶ୍ୱର, ୨୫/୧୧: ବାତ୍ୟା “ଅର୍ଣ୍ଣବ’ ଓ “ଅକ୍ୱାନ’ କାରଣରୁ ଗଂଜାମ ଜିଲ୍ଲା ପ୍ରଭୂତ କ୍ଷୟକ୍ଷତି ହୋଇଛି । କ୍ଷତିଗ୍ରସ୍ତ ଚାଷୀ ଓ ପ୍ରଭାବିତ ହୋଇଥିôବା ଗଂଜାମବାସୀଙ୍କୁ କ୍ଷତିପୂରଣ ଓ ଥଇଥାନ ସହ କୃଷି ଋଣ ଛାଡ କରିବା ଦାବିରେ ଗଂଜାମ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛି ଜିଲ୍ଲା ବିଜେଡି ପ୍ରତିନିଧି ଦଳ ।
ଆଜି ଛତ୍ରପୁରଠାରେ ଜିଲ୍ଲା ସଭାପତି ଶ୍ରୀ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କୁ ଭେଟି ମନୁଷ୍ୟକୃତ ବନ୍ୟା ଲାଗି ଜିଲ୍ଲାବାସୀ ସମ୍ମୁଖୀନ ହୋଇଥିବା ଦୁର୍ଦ୍ଦଶା ସଂପର୍କରେ ଆଲୋଚନା କରିଥିଲେ । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଓ ଭୟଙ୍କର ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର କୃଷି ସମ୍ପର୍କିତ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି । ସମଗ୍ର ଜିଲ୍ଲାରେ ଚାଷଜମି ଜଳମଗ୍ନ ହେବା ସହ ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଏହି ବିପର୍ଯ୍ୟୟ ହଜାର ହଜାର ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି । ଆର୍ଥିକ ଓ ମାନସିକ ସ୍ତରରେ ଗଭୀର ଆଘାତ ପାଇଛନ୍ତି ଗଞ୍ଜାମ ଜିଲ୍ଲାବାସୀ । ଛୋଟ ବ୍ୟବସାୟୀ ଓ ଉଠା ଦୋକାନୀମାନେ ମଧ୍ୟ ଏହି ମନୁଷ୍ୟକୃତ ବନ୍ୟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁକୁଳି ପାରିନାହାନ୍ତି । ଏହି ବିପର୍ଯ୍ୟୟ ପରେ ଯାହା କିଛି ଫସଲ ଅମଳ ହୋଇଥାନ୍ତା, ତାହା ବାତ୍ୟା ‘ଅକୱାନ’ ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଏଭଳି ଦୁଃଖଦ ପରିସ୍ଥିତିରେ ବିଜୁ ଜନତା ଦଳର ସଭାପତି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମାନ୍ୟବର ବିରୋଧୀଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ନଭେମ୍ବର ୭ ତାରିଖରେ ଗଂଜାମ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଗସ୍ତ କରି ଜନସାଧାରଣ ଓ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ ଉତ୍ପନ୍ନ ଉଦ୍ବେଗଜନକ ସ୍ଥିତିକୁ ଉବଲବ୍ଧି କରି ମାନ୍ୟବର ବିରୋଧୀଦଳ ନେତା ତୁରନ୍ତ ରିଲିଫ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଏହି ବିପର୍ଯ୍ୟୟ ଯୋଗୁଁ ଯେଉଁ ଚାଷୀମାନଙ୍କର ଫସଲ ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଛି, ସେମାନେ ନେଇଥିବା କୃଷି ଋଣ ଛାଡ଼ କରିବା ସହ ଫସଲ ବୀମା ଦାବିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଫଇସଲା କରିବା ପାଇଁ ଦାବି କରାଯାଇଥିଲା । ସେହିପରି ଏସଡିଆରଏଫ ନିୟମାବଳୀ ଅନୁଯାୟୀ ମିଳୁଥିବା ସହାୟତା ବ୍ୟତୀତ କ୍ଷତିଗ୍ରସ୍ତ ଚାଷୀ, ଭାଗଚାଷୀଙ୍କୁ ପର୍ଯ୍ୟାପ୍ତ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବା ଆବଶ୍ୟକ ବୋଲି ପ୍ରତିନିଧି ଦଳ ଯୁକ୍ତି ବାଢିଥିଲେ ।