ଶିକ୍ଷାକୁ ପ୍ରାଥମିକତା: ମାଟ୍ରିକ୍ ପରୀକ୍ଷା ପାଇଁ ୬ଟି ସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ଟେଷ୍ଟ ପେପର୍ ବଣ୍ଟନ କଲା ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍
ଉପକୃତ ହେବେ ୪୮୦ ଛାତ୍ରଛାତ୍ରୀ
ପାରାଦୀପ, ୨୭/୧୧: ସମାବେଶୀ ସାମାଜିକ ବିକାଶ ଓ ଶିକ୍ଷାର ପ୍ରସାର ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରି ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଏବଂ ଜେଏସଡବ୍ଲ୍ୟୁ ଫାଉଣ୍ଡେସନ୍ ପକ୍ଷରୁ ଏରସମା ବ୍ଲକ୍ ଓ ପାରାଦୀପ ସହରାଞ୍ଚଳର ୬ଟି ସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହାଇସ୍କୁଲ୍ ସାର୍ଟିଫିକେଟ୍ (ଏଚଏସସି) ପରୀକ୍ଷା ପାଇଁ ମାଗଣା ଟେଷ୍ଟ ପେପର୍ ବଣ୍ଟନ କରାଯାଇଛି। ୨୬.୧୧.୨୦୨୬ ତାରିଖରେ ଢ଼ିଙ୍କିଆସ୍ଥିତ କପ୍ତେଶ୍ୱର ବିଦ୍ୟାପୀଠଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମୋଟ ୪୮୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ।
ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ର ସଭାପତି ଶ୍ରୀ ଅନିଲ କୁମାର ସିଂହଙ୍କ ନେତୃତ୍ୱରେ ଏହି ପଦକ୍ଷେପ ଆଖପାଖ ଅଞ୍ଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ ଆବଶ୍ୟକ ଶିକ୍ଷା ସାମଗ୍ରୀ ଯୋଗାଇବା ସହ ସେମାନଙ୍କ ଶିକ୍ଷାଗତ ଦକ୍ଷତା ଓ ଫଳାଫଳରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛି। ବିଶେଷକରି ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ବିକାଶ ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱ ଦେଇଛି।
ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ତିନୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେ.ବି. ନୋଡାଲ୍ ହାଇସ୍କୁଲ୍, ନୂଆଗାଁ; କପ୍ତେଶ୍ୱର ବିଦ୍ୟାପୀଠ, ଢ଼ିଙ୍କିଆ ଏବଂ ଅପ୍ଗ୍ରେଡେଡ୍ ହାଇସ୍କୁଲ୍, ଗଡ଼କୁଜଙ୍ଗ ସମେତ ପାରାଦୀପ ସହରାଞ୍ଚଳର ସଞ୍ଜୟ ଗାନ୍ଧୀ ହାଇସ୍କୁଲ୍, ଏନ୍ଏସି ହାଇସ୍କୁଲ୍ ଏବଂ ଏନ୍ଏସି ବାଳିକା ହାଇସ୍କୁଲ୍କୁ ସାମିଲ କରାଯାଇଛି।
ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ପକ୍ଷରୁ ଟେଷ୍ଟ ପେପର୍ ଯୋଗାଇଦେବା ପାଇଁ ଅନୁରୋଧ ଆସିଥିଲା। ଏହାକୁ ଗୁରୁତ୍ୱ ଦେଇ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଏବଂ ଜେଏସଡବ୍ଲ୍ୟୁ ଫାଉଣ୍ଡେସନ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୨୦୨୭ ମାର୍ଚ୍ଚ ମାସରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଓଡ଼ିଶା ପକ୍ଷରୁ ଆୟୋଜିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ପାଇଁ ଏହି ଟେଷ୍ଟ ପେପର୍ ଛାତ୍ରଛାତ୍ରୀଙ୍କୁ ଉତ୍ତମ ପ୍ରସ୍ତୁତିରେ ସହାୟକ ହେବ। ଏହାଦ୍ୱାରା ସେମାନଙ୍କ ବିଷୟଭିତ୍ତିକ ଜ୍ଞାନ, ପରୀକ୍ଷା ପ୍ରସ୍ତୁତି, ପ୍ରତିଯୋଗିତାମୂଳକ ଦକ୍ଷତା ଏବଂ ଶିକ୍ଷାଗତ ଫଳାଫଳରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।
ଏହି କାର୍ଯ୍ୟକ୍ରମକୁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ର ଉପସଭାପତି ଶ୍ରୀ ମନୋଜ ସିଂହ, ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ମିତ୍ରଭାନୁ ଚୌଧୁରୀ ଏବଂ ଜେଏସଡବ୍ଲ୍ୟୁ ଫାଉଣ୍ଡେସନ୍, ପାରାଦୀପର ସିଏସଆର ମୁଖ୍ୟ ଶ୍ରୀ ଅଭିଜିତ ମହାନ୍ତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ତିନୋଟି ଗ୍ରାମ ପଞ୍ଚାୟତର ବିଶିଷ୍ଟ ଜନପ୍ରତିନିଧି, ସମାଜସେବୀ ଓ ସମ୍ପ୍ରଦାୟର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଢ଼ିଙ୍କିଆଠାରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାଗଣା କୋଚିଂ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଥିଲା। ଜଗତସିଂହପୁର ଜିଲ୍ଲାପାଳ ଏହି କୋଚିଂ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଶିକ୍ଷା କ୍ଷେତ୍ରରେ ଏଭଳି କ୍ରମାଗତ ପଦକ୍ଷେପ ଧିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନୋଟି ଗ୍ରାମ ପଞ୍ଚାୟତର ଲୋକମାନଙ୍କ କଲ୍ୟାଣ ଓ ବିକାଶ ପ୍ରତି ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଏଭଳି ଜନକଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ସମାବେଶୀ ବିକାଶ ଓ ସ୍ଥାୟୀ ସାମାଜିକ ପ୍ରଗତି ପାଇଁ ନିଜର ଅବଦାନ ଜାରି ରଖିଛି। ଶିକ୍ଷା ହିଁ ସାମାଜିକ ପରିବର୍ତ୍ତନ ଓ ଆଗାମୀ ପିଢ଼ିର ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୁଖ୍ୟ ଆଧାର ବୋଲି ସଂସ୍ଥା ବିଶ୍ୱାସ କରେ।