ଏମ୍ସ ଭୁବନେଶ୍ୱର ଦ୍ୱାରା “ପ୍ରସ୍ତାବନା ପାଠ” କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବିଧାନ ଦିବସ ପାଳିତ

ସାମ୍ବିଧାନିକ ମୂଲ୍ୟବୋଧଗୁଡ଼ିକୁ ବଜାୟ ରଖିବା ପାଇଁ ଆହ୍ୱାନ

ଭୁବନେଶ୍ୱର, ୨୬/୧୧: ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତୀୟ ସମ୍ବିଧାନ ଗୃହୀତ ହେବା ଘଟଣାକୁ ସ୍ମରଣ କରି, ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ ‘ସମ୍ବିଧାନ ଦିବସ’ ପାଳନ କରାଯାଇଛି।

ଏହି ଅବସରରେ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ସ୍ୱତନ୍ତ୍ର “ପ୍ରସ୍ତାବନା ପାଠ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ଭଳି ସମ୍ବିଧାନର ମୂଳ ମୂଲ୍ୟବୋଧ ପ୍ରତି ଅନୁଷ୍ଠାନ ନିଜର ପ୍ରତିବଦ୍ଧତାକୁ ପୁନଃ ବ୍ୟକ୍ତ କରିଛି।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ସମସ୍ତେ ମିଳିତ ଭାବେ ଭାରତୀୟ ସମ୍ବିଧାନର ‘ପ୍ରସ୍ତାବନା’ ପାଠ କରିଥିଲେ। ଏହି ପଦକ୍ଷେପ ସମ୍ବିଧାନରେ ନିହିତ ମୌଳିକ ଆଦର୍ଶ ଓ ନୀତିଗୁଡ଼ିକୁ ସ୍ମରଣ କରାଇଦେବା ସହ, ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ଏହି ସାମ୍ବିଧାନିକ ମୂଲ୍ୟବୋଧଗୁଡ଼ିକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ଡ. ବିଶ୍ବାସ।

ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ସମେତ ଡିନ୍ ଡ. ରବି ନାରାୟଣ ସାହୁ, ଡ. ମନସ୍ୱିନୀ ମଙ୍ଗରାଜ, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍ ସରକାର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବିଧାନ ଦିବସ ପାଳନ ମାଧ୍ୟମରେ, ଏମ୍ସ ଭୁବନେଶ୍ୱର ଭାରତୀୟ ସମ୍ବିଧାନର ଆଦର୍ଶ ଅନୁଯାୟୀ ସାମ୍ବିଧାନିକ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଏକତା, ସମାନତା ଓ ଭ୍ରାତୃତ୍ୱ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଛି।